ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ବୃଦ୍ଧି ପାଇଛି । ଏହାରି ମଧ୍ୟରେ ଆମେରିକା ଏବଂ ଇସ୍ରାଏଲ ସହ ପୁଣି ଥରେ ଯୁଦ୍ଧ ଆରମ୍ଭ ହୋଇପାରେ । ଇରାନର ଜଣେ ସୈନ୍ୟ ଅଧିକାରୀ ମହମ୍ମଦ ଜାଫର ଆସାଦି କହିଛନ୍ତି ଯେ, ଆମେରିକା କୌଣସି ଚୁକ୍ତିନାମାକୁ ଠିକ୍ ଭାବରେ ପାଳନ କରୁନାହିଁ। ଆମେରିକୀୟ ଅଧିକାରୀଙ୍କ ବୟାନ କେବଳ ଦେଖାଣିଆ ବୋଲି ଆସାଦି ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଇରାନର ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ଯଦି କୌଣସି ଆକ୍ରମଣ ହୁଏ ତେବେ ପ୍ରତିଶୋଧ ନିଆଯିବ।

ଇରାନର ନୂତନ ପ୍ରସ୍ତାବକୁ ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟା

ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଆଲୋଚନାର ଏକ ନୂତନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଇରାନ ଏପରି ସର୍ତ୍ତ ରଖିଛି ଯାହାକୁ ସେ ଗ୍ରହଣ କରିପାରିବେ ନାହିଁ। ଇରାନର ନେତାମାନଙ୍କ ମଧ୍ୟରେ ଏକତା ନାହିଁ । ଅନ୍ୟପକ୍ଷରେ, ଟ୍ରମ୍ପ୍ ମଧ୍ୟ ଦାବି କରୁଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଜାରି ରହିଛି, ତେଣୁ ଯୁଦ୍ଧ ବନ୍ଦ ଅଛି । ସେମାନେ ଚୁକ୍ତି କରିବାକୁ ଚାହୁଁଛନ୍ତି, କିନ୍ତୁ ମୁଁ ଏଥିରେ ସନ୍ତୁଷ୍ଟ ନୁହେଁ, ତେଣୁ ଆଗକୁ କ'ଣ ହେବ ତାହା ଆମେ ଦେଖିବୁ । ତେବେ ଇରାନର ଏହି ପ୍ରସ୍ତାବରେ କ'ଣ ତ୍ରୁଟି ରହିଛି ତାହା ଟ୍ରମ୍ପ ସ୍ପଷ୍ଟ କରି ନାହାନ୍ତି ।

ପାଗଳମାନଙ୍କୁ ପରମାଣୁ ଅସ୍ତ୍ର ଦେଇପାରିବି ନାହିଁ: ଟ୍ରମ୍ପ

ଟ୍ରମ୍ପ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଆମେରିକା ଏହି ଯୁଦ୍ଧ ଲଢ଼ୁଛି, କାରଣ ଆମେ ପରମାଣୁ ଅସ୍ତ୍ରଶସ୍ତ୍ରକୁ ପାଗଳଙ୍କ ହାତରେ ରଖିବାକୁ ଦେବୁନାହିଁ। ଇରାନକୁ ପରମାଣୁ ଅସ୍ତ୍ର ହାସଲ କରିବାରୁ ରୋକିବା ଅତ୍ୟନ୍ତ ଜରୁରୀ।

ଇରାନରେ ୬୪ ଦିନ ହେଲା ଇଣ୍ଟରନେଟ୍ ବନ୍ଦ

ଇରାନରେ ୬୪ ଦିନ ହେଲା ଇଣ୍ଟରନେଟ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଇଣ୍ଟରନେଟ୍ ମନିଟରିଂ ସଂଗଠନ ନେଟବ୍ଲକ୍ସ ଅନୁଯାୟୀ, ଦେଶ ପ୍ରାୟତଃ ଅନ୍ତର୍ଜାତୀୟ ନେଟୱାର୍କରୁ ବିଚ୍ଛିନ୍ନ ହୋଇଯାଇଛି। ସରକାର ବିରୋଧୀ ପ୍ରତିବାଦ ପରେ ଜାନୁଆରୀ ଆରମ୍ଭରେ ଏହି ପ୍ରତିବନ୍ଧକ ଲାଗୁ କରାଯାଇଥିଲା ଏବଂ ଫେବୃଆରୀ ଶେଷ ଭାଗରେ ଏହାକୁ ଆହୁରି କଡ଼ାକଡ଼ି କରାଯାଇଥିଲା। ଇଣ୍ଟରନେଟ୍ ବନ୍ଦ ହେବା ଫଳରେ ଦେଶରେ ବ୍ୟବସାୟ ଗୁରୁତର ଭାବରେ ପ୍ରଭାବିତ ହୋଇଛି ଏବଂ ଜନସାଧାରଣ ବହୁତ ଅସୁବିଧାର ସମ୍ମୁଖୀନ ହେଉଛି ।