ବରଗଡ଼: ଧାନ ଅମଳକୁ ନେଇ ଚିନ୍ତା... ମଣ୍ଡି ଖୋଲିବାକୁ ନେଇ ଅସନ୍ତୋଷ ! ବାତ୍ୟା ପରେ ବାତ୍ୟା ଚାଷୀଙ୍କ ଫସଲ ଉଜାଡ଼ି ଦେଇଥିବା ବେଳେ, ମଣ୍ଡି ଖୋଲିବାରେ ବିଳମ୍ବକୁ ନେଇ ତାତିଛନ୍ତି ଚାଷୀ । ଜିଲ୍ଲାସ୍ତରୀୟ ବୈଠକରେ ନଭେମ୍ବର ୩୦ରୁ ମଣ୍ଡି ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ନାରାଜ ଚାଷୀ । ପ୍ରତିବାଦରେ ବରଗଡ ଜିଲ୍ଲା ଅତାବିରା ମାର୍କେଟ ୟାର୍ଡରେ ଜୋରଜବରଦସ୍ତ ଧାନ ପୂରାଇଛନ୍ତି ଚାଷୀ । କେବଳ ଅତାବିରା ନୁହେଁ ବରଂ କଳାପାଣି , ଆମ୍ୱାଭନା ରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଚାଷୀଙ୍କ ଗୋଟିଏ ଦାବି ଶୀଘ୍ର ମଣ୍ଡି ଖୋଲି ଧାନ କିଣା ବିକା ପ୍ରକ୍ରିୟା ଆରମ୍ଭ କରାଯାଉ।

ମଣ୍ଡି ଖୋଲିବା ଆଗରୁ ମଣ୍ଡି ଖୋଲି ଦେଲେ ଚାଷୀ RMC ଗେଟ୍ ଭାଙ୍ଗି ପୂରେଇଲେ ଧାନ। ଚାଷୀ କହିଲେ ଏ ଧାନ କେବଳ ଫସଲ ନୁହେଁ। ଚାଷୀର ବର୍ଷକର ପରିଶ୍ରମ ଆଉ ପରିବାରର ଆଶା। ହେଲେ ପ୍ରକୃତିର ଦାଉ ଆଗରେ ଚାଷୀର ସବୁ ଆଶା ଯେମିତି ଧୂଳିସାତ୍ । ଗୋଟିଏ ପରେ ଗୋଟିଏ ବାତ୍ୟା ଯୋଗୁଁ ବ୍ୟାପକ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି। ଯାହା ବଞ୍ଚିଛି, ସେତକ ବିକ୍ରି କରି ଦୁଇ ପଇସା ପାଇବାକୁ ଚାହିଁ ବସିଛି ଚାଷୀ । ଆଗକୁ ପୁଣି ଗୋଟେ ବାତ୍ୟାର ଆଶଙ୍କା, ଏପରି ସ୍ଥିତିରେ ମଣ୍ଡି ଖୋଲିବାକୁ ବିଳମ୍ବ ହେବା ଚାଷୀଙ୍କର ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । ଏମିତି ସ୍ଥିତି କେବଳ ଅତାବିରାର ନୁହେଁ ବରଂ ବରଗଡ଼ ଜିଲ୍ଲାର ଆମ୍ବାଭୋନା, ଥୁଆପାଳି, କଳାପାଣି ଆଦି ମାର୍କେଟରେ ଚାଷୀ ତାର ଧାନ ପୁରାଇଛି। ଶୀଘ୍ର ଧାନ କିଣିବା ସହ ୪୮ଘଣ୍ଟା ଭିତରେ ତାର ପ୍ରାପ୍ୟ ପ୍ରଦାନ କରିବା ପାଇଁ ଅନୁରୋଧ କରିଛି।

Also Read: ଖସିବ ପାରଦ ଏବଂ ବଢିବ ଶୀତ, ୫ ଡିଗ୍ରୀ କମିବ ତାପମାତ୍ରା

ଚାଷୀଙ୍କ ଅସନ୍ତୋଷ ଭିତରେ ଜିଲ୍ଲାସ୍ତରୀୟ ବୈଠକରେ ନଭେମ୍ବର ୩୦ ତାରିଖରୁ ଧାନ କିଣାବିକା ପାଇଁ ମଣ୍ଡି ଖୋଲିବାକୁ ନିଷ୍ପତ୍ତି ହୋଇଛି । ହେଲେ ଏତେ ଦିନ ଅପେକ୍ଷା କରିବାକୁ ରାଜି ନାହାନ୍ତି ଚାଷୀ । ଚଳିତ ବର୍ଷ ଖରିଫ ଋତୁ ପାଇଁ ୧ଲକ୍ଷ ୮୫ହଜାର ରୁ ଅଧିକ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଛନ୍ତି। ହେଲେ ଗୋଟିଏ ପରେ ଗୋଟିଏ ବାତ୍ୟା କୁ ନେଇ ଚାଷୀଙ୍କ ମନରେ ଛନକା ପଶିଯାଇଛି। ସେଥିପାଇଁ ନିଜ ଅମଳ ଧାନ ଧରି ଆଜି ସିଧା ଅତାବିରା ମାର୍କେଟ ୟାର୍ଡରେ ପହଞ୍ଚି ଜୋର୍ ଜବରଦସ୍ତ ଧାନ ଭର୍ତ୍ତି କରିଛନ୍ତି । ମାର୍କେଟ ୟାର୍ଡରେ ଧାନ ପୂରାଇବାକୁ ନେଇ ଚାଷୀ ଓ ପେକ୍ସ କର୍ମଚାରୀ ହୋଇଛନ୍ତି ମୁହାଁମୁହିଁ । ମଣ୍ଡି ଖୋଲିବା ତାରିଖ ଘୋଷଣା ହୋଇଥିଲେ ମଧ୍ୟ ଚାଷୀଙ୍କ ଧାନ କେବେ ଓ କେମିତି ବିକ୍ରି ହେବ, ତାକୁ ନେଇ ଉଠିଛି ପ୍ରଶ୍ନ ।

ଏପଟେ ବାତ୍ୟାରେ ଫସଲ କ୍ଷତି, ସେପଟେ ମଣ୍ଡି ଖୋଲିବାକୁ ଅପେକ୍ଷା । ଏମିତି ଦୋଛକିରେ ପଡ଼ିଛି ଚାଷୀ। ଚାଷୀଙ୍କ ଅସନ୍ତୋଷ ଆଗକୁ କେଉଁ ରୂପ ନେବ ? ନଭେମ୍ବର ୩୦ରୁ ମଣ୍ଡି ଖୋଲିବା ପରେ ଧାନ କିଣାବିକା ସ୍ୱାଭାବିକ ହେବ ତ ? ଏବେ ଚାଷୀଙ୍କ ଅପେକ୍ଷା ସରକାରୀ ବ୍ୟବସ୍ଥା ଉପରେ ।