ନୂଆଦିଲ୍ଲୀ: ଇରାନ ଯୁଦ୍ଧରେ ହର୍ମୁଜ ପ୍ରଣାଳୀ ମୁଖ୍ୟ ଭୂମିକା ନେଇଛି । ହର୍ମୁଜ ପ୍ରଣାଳୀକୁ ଇରାନ୍ କବଜା କରିନେବା ପରେ ସାରା ବିଶ୍ବରେ ଶକ୍ତି ସଙ୍କଟ ଦେଖା ଦେଇଛି । ଯୁଦ୍ଧ ମଧ୍ୟରେ ଇରାନ ନିଜର କେତେକ ବନ୍ଧୁ ରାଷ୍ଟ୍ରଙ୍କ ଜାହାଜ ଛାଡ଼ିବାକୁ ଅନୁମତି ଦେଇଥିଲା । ଏହି ତାଲିକାରେ ଚୀନ୍ ମଧ୍ୟ ଥିଲା । କିନ୍ତୁ ଶୁକ୍ରବାର ଇରାନ୍, ଚୀନକୁ ଝଟକା ଦେଇଛି । ଇରାନ ଶୁକ୍ରବାର (୨୭ ମାର୍ଚ୍ଚ, ୨୦୨୬) ହର୍ମୁଜ୍ ପ୍ରଣାଳୀରେ ଦୁଇଟି ଚୀନ୍ ଜାହାଜକୁ ଅବରୋଧ କରିଛି ।

ଚୀନ୍ ଜାହାଜକୁ ଛାଡ଼ିଲାନି ଇରାନ୍

ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ (WSJ) ରିପୋର୍ଟ ଅନୁଯାୟୀ, ଇରାନ ହର୍ମୁଜ୍ ପ୍ରଣାଳୀରୁ ଦୁଇଟି ଚୀନ୍ ମାଲିକାନାରେ ଥିବା ଜାହାଜକୁ ଫେରାଇ ଦେଇଛି । ଦୁଇଟି ଚୀନ୍ ଜାହାଜ, CSCL ଭାରତ ମହାସାଗର ଏବଂ CSCL ଆର୍କଟିକ ମହାସାଗର ଫେରିଯାଇଛି । ଇରାନର ରିଭୋଲ୍ୟୁସନରୀ ଗାର୍ଡ ଦାବି କରିଛି ଯେ, ବିଭିନ୍ନ ଦେଶର ତିନୋଟି କଣ୍ଟେନର ଜାହାଜକୁ ଫେରାଇ ଦେଇଛି । ଆମେରିକା ଏବଂ ଇସ୍ରାଏଲକୁ ସମର୍ଥନ କରୁଥିବା ଦେଶଗୁଡ଼ିକର ଜାହାଜକୁ ହର୍ମୁଜ ପ୍ରଣାଳୀ ଦେଇ ଯିବାକୁ ଅନୁମତି ମିଳିବ ନାହିଁ ବୋଲି ଆଇଆରଜିସି ଚେତାବନୀ ଦେଇଛି ।

Also Read: ଇରାନକୁ ଶକ୍ତ ଝଟକା, ଧୋକା ଦେଲା ବନ୍ଧୁ ପାକିସ୍ତାନ; ଇସଲାମାବାଦର ଡବଲ୍ ଗେମକୁ ନେଇ ନିଆଁବାଣ ତେହେରାନ

କେଉଁ ଜାହାଜକୁ ଅନୁମତି ?

WSJ ଏହା ମଧ୍ୟ ରିପୋର୍ଟ କରିଛି ଯେ, କେବଳ ଘରୋଇ ସାମଗ୍ରୀ, କାର, ପୋଷାକ ଏବଂ ଔଷଧ ଭଳି କିଛି ନିର୍ଦ୍ଦିଷ୍ଟ ସାମଗ୍ରୀ ପରିବହନ କରୁଥିବା ଜାହାଜଗୁଡ଼ିକୁ ଏବେ ହର୍ମୁଜ୍ ପ୍ରଣାଳୀ ଦେଇ ଯିବାକୁ ଅନୁମତି ଦିଆଯାଇଛି। ଶସ୍ୟ ପରିବହନ କରୁଥିବା କିଛି ଜାହାଜକୁ ଇରାନ ବନ୍ଦରଗୁଡ଼ିକରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି।

ଏହି ସମୟରେ, ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇରାନ ଉପରେ ଅଧିକ ତୀବ୍ର ଆକ୍ରମଣ କରିବାକୁ ଚେତାବନୀ ଦେଇଛନ୍ତି। ପେଣ୍ଟାଗନ ମଧ୍ୟପ୍ରାଚ୍ୟକୁ ୧୦,୦୦୦ ଅତିରିକ୍ତ ସ୍ଥଳ ସେନା ପଠାଇବା ବିଷୟରେ ବିଚାର କରୁଛି। ଆମେରିକା କହିଛି ଯେ, ଇରାନ ଉପରେ ତୀବ୍ର ଆକ୍ରମଣ ପାଇଁ ବିକଳ୍ପଗୁଡ଼ିକ ଉପରେ ଚିନ୍ତା କରୁଛି । ଇରାନ ଶକ୍ତି କ୍ଷେତ୍ର ଉପରେ ଆକ୍ରମଣ ନକରିବାର ନିଷ୍ପତ୍ତିକୁ ଆଉ ତିନି ଦିନ ବୃଦ୍ଧି କରିଛନ୍ତି ଟ୍ରମ୍ପ।

ଚୀନ୍ ଏବଂ ଇରାନ ମଧ୍ୟରେ ବହୁ ପୁରୁଣା ସମ୍ପର୍କ ରହିଛି। ଟ୍ରମ୍ପ୍ ରାଷ୍ଟ୍ରପତି ହେବା ପୂର୍ବରୁ ଚୀନ୍ ଇରାନକୁ ଅସ୍ତ୍ରଶସ୍ତ୍ର ବିକ୍ରି କରିଆସୁଛି । କିନ୍ତୁ ସୁରକ୍ଷା ଗ୍ୟାରେଣ୍ଟି ଦେଉନାହିଁ । ସେହିଭଳି ଇରାନ ତୈଳ ରପ୍ତାନୀର ୯୦ ପ୍ରତିଶତ ଚୀନକୁ ବିକ୍ରି କରେ।