ନୂଆଦିଲ୍ଲୀ: ବିବାଦର ଅନ୍ୟ ନାମ ପାକିସ୍ତାନ କହିଲେ ଭୁଲ ହେବ ନାହିଁ । ମିତ୍ର କହି ପଛରୁ ଛୁରୀ ଭୁସିବାର କଳା, ଇସଲାମାବାଦକୁ ବେଶ ଜଣା । ଏକଥାକୁ ପୁଣି ପ୍ରମାଣିତ କରି ଦେଖାଇଛି ଆତଙ୍କୀସ୍ତାନ । ଯୁଦ୍ଧତ୍ରସ୍ତ ଇରାନକୁ ବନ୍ଧୁ କହି, ଧୋକା ଦେଇଛି ପାକିସ୍ତାନ । ଏନେଇ ରିପୋର୍ଟ ମିଳିବା ପରେ, ଇରାନ ଖପ୍ପା । ଆମେରିକା ଏବଂ ଇସ୍ରାଏଲ ସହ ଯୁଦ୍ଧ ଲଢ଼ୁଥିବା ଇରାନ୍, କେତେକ ବନ୍ଧୁ ରାଷ୍ଟ୍ରଙ୍କ ପ୍ରତି ନିଜର ସୁସ୍ଥ ଆଭିମୁଖ୍ୟ ପୋଷଣ କରିଛି । ହର୍ମୁଜ ପ୍ରଣାଳୀ ଦେଇ ବନ୍ଧୁ ରାଷ୍ଟ୍ରଙ୍କ ଜାହାଜକୁ ଯାତାୟତ ପାଇଁ ଅନୁମତି ଦେଉଛି । ଏହି ତାଲିକାରେ ଭାରତ, ପାକିସ୍ତାନ ଭଳି ଦେଶ ଅଛନ୍ତି । ପାକିସ୍ତାନକୁ ବନ୍ଧୁ ବୋଲି ବିବେଚନା କରି, ତେହେରାନ ସହାୟତା କରୁଛି । କିନ୍ତୁ ପାକିସ୍ତାନ ଆମେରିକାକୁ ସାହାଯ୍ୟ କରିବାକୁ ଯାଇ ଇରାନର ବିଶ୍ବାସ ଭାଙ୍ଗିଛି । ପାକିସ୍ତାନ ପତାକା ଲାଗିଥିବା ପ୍ରାୟ ୧୦ଟି ତୈଳ ଟ୍ୟାଙ୍କରକୁ ଛାଡ଼ିଥିଲା ଇରାନ୍ । କିନ୍ତୁ ଏବେ ରିପୋର୍ଟ ମିଳିଛି ଯେ, ଏହି ସବୁ ଟ୍ୟାଙ୍କରରୁ ଫାଇଦା ନେଇଛି ଆମେରିକା ।

ଯେଉଁସବୁ ପାକିସ୍ତାନୀ ଜାହାଜଗୁଡ଼ିକୁ ହର୍ମୁଜ ବାଟ ଦେଇ ଆସିବାକୁ ଅନୁମତି ମିଳିଥିଲା, ସେଗୁଡ଼ିକୁ ଆମେରିକାକୁ ପରୋକ୍ଷ ଭାବରେ ଲାଭ ଦେଇଛି । ଭୟଙ୍କର ଯୁଦ୍ଧର ସାମ୍ନା କରୁଥିବା ଇରାନ୍, କଠିନ ସମୟରେ ନିଜର କେତେକ ବନ୍ଧୁ ରାଷ୍ଟ୍ର ରୁଷ, ଚୀନ, ଭାରତ, ଇରାକ ଏବଂ ପାକିସ୍ତାନର ତୈଳ ଟ୍ୟାଙ୍କରଗୁଡ଼ିକୁ ହର୍ମୁଜ୍ ପ୍ରାଣୀଳୀରେ ଯାତାୟତ ପାଇଁ ଅନୁମତି ଦେଇଛି । ସେଥିମଧ୍ୟରୁ ପାକିସ୍ତାନ ପତାକା ଲାଗିଥିବା କିଛି ଜାହାଜ ମଧ୍ୟ ସାମିଲ । ପାକିସ୍ତାନର ଏହି ସବୁ ଜାହାଜ ପରୋକ୍ଷରେ ଇରାନ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିବା ଆମେରିକାକୁ ଫାଇଦା ଦେଇଛି । ଏହି ରିପୋର୍ଟ ମିଳିବା ପରେ, ପାକିସ୍ତାନର ଡବଲ୍ ଗେମ୍କୁ ନେଇ ତେହେରାନ ଉତକ୍ଷିପ୍ତ ହୋଇଉଠିଛି ।

Also Read: Putin On Iran War: ଯୁଦ୍ଧ କେବେ ବନ୍ଦ ହେବ, କେହି କହିପାରିବେ ନାହିଁ; ପୁଟିନଙ୍କ ବଡ଼ ଦାବି

ଟ୍ରମ୍ପ କରିଥିଲେ ଦାବି

ସବୁଠାରୁ ବଡ଼ କଥା ହେଉଛି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକଥାକୁ ବି ସ୍ପଷ୍ଟ କରିଛନ୍ତି । ଟ୍ରୁଥ ସୋସିଆଲରେ ଟ୍ରମ୍ପ ଦାବି କରିଥିଲେ ଯେ, ପାକିସ୍ତାନୀ ପତାକା ଥିବା ପ୍ରାୟ ୮-୧୦ଟି ଆମେରିକୀୟ ଜାହାଜକୁ ହର୍ମୁଜ୍ ଦେଇ ଯିବାକୁ ଅନୁମତି ଦିଆଯାଇଥିଲା । ଇରାନ୍ ପକ୍ଷରୁ ଏହା ଆମେରିକାକୁ କୂଟନୈତିକ ଉପହାର ବୋଲି ସେ କହିଥିଲେ । ଶାନ୍ତି ଆଲୋଚନା ବଜାୟ ରଖିବାକୁ ତେହେରାନ ପ୍ରକୃତରେ ଚାହୁଁଛି ବୋଲି ମଧ୍ୟ ଟ୍ରମ୍ପ ଦାବି କରିଥିଲେ । ଏପରିକି ଇରାନ୍ ଏକପ୍ରକାର ଆତ୍ମସମର୍ପଣ କରିଛି ବୋଲି ବାର୍ତ୍ତା ଦେବାକୁ ଚାହୁଁଥିଲେ ଆମେରିକା ରାଷ୍ଟ୍ରପତି ।

ବିଶ୍ବାସଘାତକ ପାକିସ୍ତାନ 

ଇରାନ ଦୃଷ୍ଟିକୋଣରୁ ପାକିସ୍ତାନର ଏହି କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ । ଗୋଟିଏ ଦିନ ପୂର୍ବରୁ, ଇରାନର ବୈଦେଶିକ ମନ୍ତ୍ରୀ ଭାରତ ସହିତ ପାକିସ୍ତାନକୁ ନିଜର ବନ୍ଧୁ ବୋଲି କହିଥିଲେ। ତେହେରାନରେ, ଏହାକୁ ବିଶ୍ୱାସଘାତକତା ବୋଲି କୁହାଯାଉଛି । ବନ୍ଧୁ ଭାବରେ ପାକିସ୍ତାନକୁ ପ୍ରଦାନ କରାଯାଇଥିବା ସୁବିଧାଗୁଡ଼ିକ ଏବେ ଏହାର ଶତ୍ରୁମାନଙ୍କ ସ୍ୱାର୍ଥ ପୂରଣ କରିବାରେ ବ୍ୟବହୃତ ହେଉଛି । ଏହା ଇରାନର ରାଜନୈତିକ ଏବଂ ରଣନୈତିକ ମହଲରେ ଅସନ୍ତୋଷକୁ ବଢ଼ାଇ ଦେଇଛି। ସେପଟେ ଯୁଦ୍ଧ ବନ୍ଦ କରିବାକୁ ମଧ୍ୟସ୍ଥତା କରିବା ଲାଗି ଚିତ୍କାର କରୁଛି ପାକିସ୍ତାନ । ଆମେରିକା ଏବଂ ଇରାନ୍ ମଧ୍ୟରେ ଆଲୋଚନା କରାଇ ଯୁଦ୍ଧ ବନ୍ଦ କରିବ ବୋଲି ଦାବି କରିଆସୁଛି ପାକିସ୍ତାନ । ଏହାରି ମଧ୍ୟରେ, ଧୋକାବାଜ ପାକିସ୍ତାନର କାରନାମାର ପର୍ଦ୍ଦାଫାସ ହୋଇଛି ।