ବେଙ୍ଗାଲୁରୁ,୨୯ /୦୩: ଆରମ୍ଭ ହୋଇଛି ଆଇପିଏଲ-୨୦୨୬ । ଶନିବାର ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲା ଖେଳାଯାଇଥିଲା । ମୁହାଁମୁହିଁ ହୋଇଥିଲେ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ୍ । ତେବେ ଉଦଘାଟନୀ ମୁକାବିଲାକୁ ଆରସିବି ଜିତିନେଇଛି । କିନ୍ତୁ ପ୍ରଥମ ମ୍ୟାଚରେ ସାମ୍ନାକୁ ଆସିଛି ବିବାଦ ।

ବିବାଦ କ'ଣ ?

ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ୍ । ଆରସିବି ଆଗରେ ୨୦୨ ରନର ବିଜୟ ଲକ୍ଷ୍ୟ ରଖିଥିଲା । ତେବେ ଏସଆରଏଚର ବ୍ୟାଟିଂ ବେଳେ ୧୪ ତମ ଓଭରରେ ଏକ ବିବାଦୀୟ ଘଟଣା ଘଟିଥିଲା । କ୍ରିଜରେ ଥିଲେ ହେନରିକ୍ କ୍ଲାସେନ୍ । ସେ ରୋମାରିଓ ସେଫାର୍ଡଙ୍କ ବଲରେ ମିଡ୍ ଓ୍ୱିକେଟ୍ ଦିଗରେ ଏକ ସଟ୍ ଖେଳିଥିଲେ ।

Also Read :- ଓ୍ୱାଙ୍ଖଡେରେ ମୁମ୍ବାଇ-କୋଲକାତା ମୁକାବିଲା : ରେକର୍ଡରେ ଆଗରେ MI, ଫୋକସରେ ରୋହିତ ଶର୍ମା

କିନ୍ତୁ ସଟ୍ ଟି ବାଉଣ୍ଡରୀ ଲାଇନ୍ ରେ ପହଁଚିବା ପୂର୍ବରୁ ଫିଲ୍ଡିଂ କରୁଥିବା ଫିଲ୍ ସଲ୍ଟ୍ ବଲକୁ ଧରି ପକାଇଥିଲେ । ଏହା କ୍ୟାଚ୍ ବୋଲି ସେ ଅପିଲ କରିଥିଲେ । ତେବେ ରିପ୍ଲେରେ ସଲ୍ଟଙ୍କ ଗୋଡ ବାଉଣ୍ଡରୀ ଲାଇନକୁ ସ୍ପର୍ଶ କରୁଥିବା ଦେଖିବାକୁ ମିଳିଥିଲା । ତୃତୀୟ ଅମ୍ପାୟାର ରୋହନ ପଣ୍ଡିତ ଖୁବ୍ କମ୍ ଆଙ୍ଗେଲରୁ ଏହା କ୍ୟାଚ୍ ନା ବାଉଣ୍ଡରୀ ବୋଲି ଚେକ୍ କରିଥିଲେ । ଭଲ ଭାବେ ନଦେଖି ସେ କ୍ଲାସେନଙ୍କୁ ଆଉଟ୍ ଦେଇଥିଲେ ।

ତେବେ ଏହାପରେ ଦେଖିବାକୁ ମିଳିଥିଲା ଯେ, ସଲ୍ଟଙ୍କ ଶରୀର ବାଉଣ୍ଡରୀ ଲାଇନରେ ସ୍ପର୍ଶ ହୋଇଛି । ଯାହାକୁ ନେଇ ବିବାଦ ଉପୁଜିଛି । ଅମ୍ପାୟାରଙ୍କ ଦକ୍ଷତା ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛନ୍ତି ।

ଏହାକୁ ନେଇ ପୂର୍ବତନ ଇଂଲଣ୍ଡ୍ କ୍ୟାପ୍ଟେନ୍ ମାଇକେଲ୍ ଭନ୍ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, ସଲ୍ଟଙ୍କ ଗୋଡ ବାଉଣ୍ଡରୀ ଲାଇନରେ ବାଜିଛି । ହେଲେ ଏହାକୁ ତୃତୀୟ ଅମ୍ପାୟାର କିପରି ଆଉଟ୍ ଦେଲେ ତାହା ଜାଣି ହେଉ ନାହିଁ । ତେବେ କ୍ଲାସେନଙ୍କ ଆଉଟ୍ ମ୍ୟାଚର ମୋଡ ବଦଳାଇଦେଇଥିଲା । ସେ ଆଉଟ୍ ହେଲା ପରେ ଦଳର ବ୍ୟାଟିଂ ସନ୍ତୁଳନ କିଛି ସମୟ ବିଗିଡି ଯାଇଥିଲା । ଆଉଟ୍ ହେଲା ପରେ କ୍ଲାସେନ୍ ମଧ୍ୟ ଅମ୍ପାୟାରଙ୍କ ନିଷ୍ପତ୍ତିରେ ଖୁସି ନଥିବା ଦେଖିବାକୁ ମିଳିଥିଲା ।