IPL 2026: ପାକିସ୍ତାନ ସୁପର ଲିଗର ନୂତନ ସିଜିନ୍ ମାର୍ଚ୍ଚ ୨୬ ତାରିଖରେ ଆରମ୍ଭ ହେଉଛି। କିନ୍ତୁ ଏହା ପୂର୍ବରୁ PSLକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି। କାରଣ ଗୋଟିଏ ପରେ ଗୋଟିଏ ବିଦେଶୀ ଖେଳାଳି ଏହି ଲିଗ୍ ପ୍ରତି ମୁହଁ ଫେରାଇବାରେ ଲାଗିଛନ୍ତି। ସମ୍ପ୍ରତି ଜିମ୍ବାୱେର ୬.୫ ଫୁଟ ଉଚ୍ଚତା ବିଶିଷ୍ଟ ବୋଲର ବ୍ଲେସିଂ ମୁଜାରାବାନି ପିଏସଏଲ ଛାଡ଼ି IPL ଦଳ କୋଲକାତା ନାଇଟ୍ ରାଇଡର୍ସରେ ଯୋଗ ଦେଇଛନ୍ତି। ଏବେ, ଶ୍ରୀଲଙ୍କା କ୍ରିକେଟ୍ ଦଳର ଅଧିନାୟକ ଦାସୁନ୍ ଶନାକା ମଧ୍ୟ ପିଏସଏଲ ଚୁକ୍ତିନାମା ପରିତ୍ୟାଗ କରି ରାଜସ୍ଥାନ ରୟାଲ୍ସରେ ସାମିଲ୍ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

କ୍ରିକବଜ୍ ଅନୁଯାୟୀ, ରାଜସ୍ଥାନ ରୟାଲ୍ସର ଜଣେ ଅଧିକାରୀ କହିଛନ୍ତି ଯେ ଫ୍ରାଞ୍ଚାଇଜ ଦାସୁନ୍ ଶନାକାଙ୍କ ସହ ଚୁକ୍ତି କରିବାର ବହୁତ ନିକଟତର, କେବଳ କିଛି ଅନ୍ତିମ ଔପଚାରିକତା ବାକି ଅଛି। ଶନାକା ଦଳରେ ସାମ୍ କରନଙ୍କ ସ୍ଥାନ ନେବେ। କରନ ଆଘାତ ଯୋଗୁଁ IPL ୨୦୨୬ ରୁ ବାଦ ପଡ଼ିଛନ୍ତି। ଗତ ଡିସେମ୍ବରରେ ଅନୁଷ୍ଠିତ ମିନି ନିଲାମରେ ଶାନାକା ବିକ୍ରି ହୋଇ ପାରି ନ ଥିଲେ। ପରବର୍ତ୍ତୀ ସମୟରେ ଲାହୋର କଲନ୍ଦର୍ସ ତାଙ୍କୁ ପିଏସଏଲ ନିଲାମରେ ୭.୫ ମିଲିୟନ ପାକିସ୍ତାନୀ ଟଙ୍କାରେ କିଣିଥିଲା।

Also Read: IPL-26'ରେ କେତେ ରନ୍ କରିବେ ସୂର୍ଯ୍ୟବଂଶୀ ? ବିସ୍ମୟ ବାଳକଙ୍କ ବିସ୍ଫୋରକ ବୟାନ

କାହିଁକି ଶାନାକା ?

ଦାସୁନ୍ ଶନାକାଙ୍କୁ ଦଳରେ ସାମିଲ୍ କରିବା ପାଇଁ ରାଜସ୍ଥାନ ରୟାଲ୍ସର ନିଷ୍ପତ୍ତି ଆଶ୍ଚର୍ଯ୍ୟଜନକ ନୁହେଁ। କାରଣ ଦାସୁନ ଶନାକା ପାଖରେ ଯେଉଁ ସାମର୍ଥ୍ୟ ରହିଛି ତାହା ସାମ କରନଙ୍କ ପାଖରେ ମଧ୍ୟ ରହିଛି। ସାମ କରନଙ୍କ ସ୍ଥାନ ନେବା ପାଇଁ ସେ ଉପଯୁକ୍ତ ଖେଳାଳି। ତଥାପି ଏହାର ମୁଖ୍ୟ କାରଣ ହେଉଛି ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ କୁମାର ସାଙ୍ଗାକାରା। ବିକ୍ରମ ରାଠୋର ୨୦୨୬ ଟି୨୦ ବିଶ୍ୱକପ୍ ସମୟରେ ଶ୍ରୀଲଙ୍କା କ୍ରିକେଟ୍ ଦଳର ବ୍ୟାଟିଂ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ। ରାଠୋର ବର୍ତ୍ତମାନ ରାଜସ୍ଥାନ ଦଳରେ ସାଙ୍ଗାକାରାଙ୍କ ସହିତ ସହାୟକ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରନ୍ତି। ତେଣୁ, ଉଭୟ ଶାନାକାଙ୍କ ଖେଳ ଶୈଳୀରେ ଭଲ ଭାବରେ ପରିଚିତ।

ପିସିବି ଧମକ ଜାରି 

ପାକିସ୍ତାନ ସୁପର ଲିଗ୍ ଛାଡ଼ି ଖେଳାଳିମାନେ IPLରେ ଯୋଗ ଦେବା ପିସିବି ପାଇଁ ଧକ୍କା ସଦୃଶ ହୋଇଛି। ଏମିତି ଚାଲିଲେ PSL ନିଜର ଚମକ ହରାଇବ। ଖେଳାଳିମାନେ ଇଣ୍ଡିଆନ୍ ପ୍ରିମିୟର ଲିଗରେ ଯୋଗଦେବା ପାଇଁ ପିଏସଏଲ ଛାଡିବା ଘଟଣା କ୍ରମାଗତ ବଢି ଚାଲିଛି।ଏହା ପାକିସ୍ତାନ କ୍ରିକେଟ୍ ବୋର୍ଡ ପାଇଁ ଚିନ୍ତାର କାରଣ ପାଲଟିଛି। ପିସିବି ଅଧ୍ୟକ୍ଷ ମୋହସିନ ନକଭି ଗଣମାଧ୍ୟମକୁ କହିଛନ୍ତି ଯେ ପିଏସଏଲ ଚୁକ୍ତି ଉଲ୍ଲଂଘନ କରୁଥିବା ଖେଳାଳିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ।

Also Read: ଚର୍ଚ୍ଚାରେ ଭାରତୀୟ ଟିମ୍; ନୂଆ ସିଜିନ୍ ପାଇଁ ସୂଚୀ ଜାରି, କେତୋଟି ମ୍ୟାଚ୍ ଖେଳିବେ ରୋହିତ-ବିରାଟ ?