CSK vs KKR: ବ୍ୟାଟିଂ ଓ ବୋଲିଂରେ ଚେନ୍ନାଇ ସୁପର କିଙ୍ଗ୍ସର କମାଲ ପ୍ରଦର୍ଶନ। ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ କୋଲକାତା ନାଇଟ୍ ରାଇଡର୍ସକୁ ୩୨ ରନରେ ହରାଇଛି। ଚେନ୍ନାଇ କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଥିବା ବେଳେ କେକେଆର ଚତୁର୍ଥ ପରାଜୟ ଭୋଗିଛି। ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ୧୯୨ ରନ କରିଥିଲା। ଜବାବରେ କୋଲକାତା ସାମୂହିକ ବ୍ୟାଟିଂ ବିଫଳତା ଭୋଗି ୭ ଓ୍ଵିକେଟ୍ ହରାଇ ୧୬୦ ରନ କରି ପାରିଛି। ସିଏସକେ ପଏଣ୍ଟ ତାଲିକାର ଅଷ୍ଟମକୁ ଉଠିଥିବା ବେଳେ କେକେଆର ନିମ୍ନ ସ୍ଥାନରେ ନିଜର ସ୍ଥିତି ମଜବୁତ କରିଛି।

୧୯୩ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା କୋଲକାତାର ଆରମ୍ଭ ନିରାଶଜନକ ଥିଲା। ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇବାରୁ ଆବଶ୍ୟକ ରନ ହାର ସଂଗ୍ରହ କରି ପାରି ନ ଥିଲା। ଫିନ ଆଲେନ ୧ ରନ କରି ଆଉଟ୍ ହୋଇଥିଲେ। ଓପନିଂ କରିଥିବା ସୁନୀଲ ନାରିନ ୨୪ ରନ ଓ ଅଧିନାୟକ ଆଜିଙ୍କ୍ୟ ରାହାଣେ ୨୮ ରନ କରିଥିଲେ ହେଁ ବଡ଼ ଇନିଂସ ଖେଳି ପାରି ନ ଥିଲେ। ଅଙ୍ଗକୃଷ ରଘୁବଂଶୀ ୨୭ ରନ କରିଥିଲେ। ରିଙ୍କୁ ସିଂ ନିଜର ଖରାପ ଫର୍ମ ବଜାୟ ରଖି ମାତ୍ର ୬ ରନ କରିଥିଲେ। ସବୁଠୁ ନିରାଶ କରିଛନ୍ତି କ୍ୟାମେରୁନ ଗ୍ରୀନ। ଏହି ୨୫ କୋଟିର ଖେଳାଳି ଖାତା ବି ଖୋଲି ପାରି ନାହାନ୍ତି। 

Also Read: ସୂର୍ଯ୍ୟଙ୍କ ହାତରୁ ଯିବ ଅଧିନାୟକ ପଦ, ଟିମ୍ ଇଣ୍ଡିଆରୁ ବି ହେବେ ବାହାର ?

ରୋଭମ୍ୟାନ ପାଓ୍ଵେଲ ୩୧ ରନ ଓ ରମଣଦୀପ ସିଂ ୩୫ ରନ କରିଥିଲେ ହେଁ ତାହା ଦଳ ପାଇଁ ଯଥେଷ୍ଟ ନ ଥିଲା। ଶେଷରେ ଦଳ ୭ ଓ୍ଵିକେଟ୍ ହରାଇ ୧୬୦ ରନ କରିଥିଲା। ଚେନ୍ନାଇ ବୋଲର ମିଳିତ ଭାବେ ଶାଣିତ ବୋଲିଂ କରି ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ବୋଲିଂରେ ନୂର ଅହମ୍ମଦ ଘାତକ ବୋଲିଂ କରି ୪ ଓଭରରେ ୨୧ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ଅଂଶୁଲ କମ୍ବୋଜ ୨ଟି ସଫଳତା ହାସଲ କରିଛନ୍ତି।

CSK ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇକୁ ୨୫ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ଅଧିନାୟକ ଋତୁରାଜ ଗାଏକ୍ଵାଡ଼ ନିଜର ଖରାପ ଫର୍ମ ବଜାୟ ରଖି ୭ ରନ କରି ଆଉଟ୍ ହୋଇଥିଲେ। ସଞ୍ଜୁ ସାମସନ ଓ ଆୟୁଷ ମହାତ୍ରେ ବିସ୍ଫୋରକ ବ୍ୟାଟିଂ କରି ୨ୟ ଓ୍ଵିକେଟ୍ ପାଇଁ ୪୭ ରନ ଯୋଡ଼ି ଦଳର ସ୍ଥିତି ମଜବୁତ କରିଥିଲେ। ମହାତ୍ରେ ମାତ୍ର ୧୭ ବଲରୁ ୬ ଚୌକା ଓ ୨ ଛକା ସହ ୩୮ ରନ କରିଥିଲେ। ସଞ୍ଜୁ ସାମସନ ୪୮ ରନର ଉପଯୋଗୀ ଇନିଂସ ଖେଳିଥିଲେ।

Also Read: ଆରସିବି ତାରକାଙ୍କ ଉପରେ ବୁଲିଲା ବିସିସିଆଇ ଖଣ୍ଡା, ହାର୍ଦ୍ଦିକଙ୍କୁ ଆୟର ଓ ଗିଲଙ୍କ ପରି ଦଣ୍ଡ

ମଧ୍ୟକ୍ରମରେ ଡେଓ୍ଵାର୍ଲ୍ଡ ବ୍ରେଭିସ ୨୯ ବଲରୁ ୪୧ ରନ କରିଥିଲେ। ସରଫରାଜ ଖାନଙ୍କ ବ୍ୟାଟରୁ ୨୩ ରନ ଓ ଶିବମ ଦୁବେ ୧୩ ରନ କରିଥିଲେ। ଶେଷରେ ଚେନ୍ନାଇ ୫ ଓ୍ଵିକେଟ୍ ହରାଇ ୧୯୨ ରନ କରିଛି। ବୋଲିଂରେ କାର୍ତ୍ତିକ ତ୍ୟାଗୀ ୩୫ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ଅନୁକୁଲ ରୟ ୩ ଓଭରରେ ମାତ୍ର ୨୧ ରନ ଦେଇ ଗୋଟିଏ ଏବଂ ସୁନିଲ ନାରିନ ୪ ଓଭରରେ ୨୧ ରନ ଦେଇ ଗୋଟିଏ ଓ୍ଵିକେଟ୍ ନେଇଛନ୍ତି।