ପୁରୀ ୧୮।୦୫ : ଶନିବାର ରାତି ସାରା ଅନିଦ୍ରା ମହାପ୍ରଭୁ । ହେଲା ନାହିଁ ରାତ୍ର ପହୁଡ଼ ନୀତି । ଶନିବାର ସାବିତ୍ରୀ ଅମାବାସ୍ୟା ଓ ସାଗର ବିଜେ ନୀତି ସହ ରହିଥିଲା ଭିତର ଚନ୍ଦନ ଯାତ୍ରାର ଜଳକ୍ରୀଡ଼ା । ରାତ୍ର ୮ଟା ୫ ସୁଦ୍ଧା ଜଳକ୍ରୀଡ଼ା ସାରି ବଡ଼ଦେଉଳ ବିଜେ କରିଥିଲେ ମଦନ ମୋହନ, ଶ୍ରୀଦେବୀ, ଭୂଦେବୀ । ପରେ ମଧ୍ୟାହ୍ନ ଧୂପ ହୋଇଥିଲା । ରାତ୍ର ପ୍ରାୟ ୧୨ଟା ୩୦ ବେଳକୁ ହୋଇଥିଲା ସନ୍ଧ୍ୟା ଧୂପ ନୀତି । ପରେ ପଣା ଭୋଗ, ଚନ୍ଦନ ଲାଗି ହୋଇ ବଡ଼ସିଂହାର ବେଶ ସରିବା ବେଳକୁ ପ୍ରତ୍ୟୁଷ ୪ଟା ୨୪ ହୋଇଯାଇଥିଲା। ଏହାପରେ ମହାପ୍ରଭୁଙ୍କ ପହୁଡ଼ ନୀତି କରାଯାଇ ନାହିଁ । ଆଗକୁ ନୀତି ତ୍ୱରାନ୍ୱିତ କରାଯିବା ସହ ମଙ୍ଗଳ ଆଳତି ନୀତି ବଢ଼ିଛି । ଭିତର ଚନ୍ଦନ ବେଳେ ଏପରି ନୀତି ବିଳମ୍ବ ହେବା ଶ୍ରଦ୍ଧାଳୁଙ୍କ ଉଦ୍ବେଗର କାରଣ ହୋଇଛି ।

Also Read:-Sudeen Death : ଆମ୍ବ ତୋଳି ବିଲରେ ବସିଥିଲେ, ହଠାତ୍ ଟଳିପଡ଼ିଲେ, ତାପରେ...

ସୂଚନାଥାଉକି, ବାହାର ଚନ୍ଦନ ଯାତ୍ରା ନୀତିରେ କେତେ ସେବକ ଚାପ ଉପରେ ରହିବେ ତାକୁ ନେଇ ବିଶୃଙ୍ଖଳା ଦେଖା ଦେଇଥିଲା ଯାହା ଉଦ୍ବେଗର ବିଷୟ ହୋଇଥିଲା । ଏବେ ଭିତର ଚନ୍ଦନ ଯାତ୍ରା ନୀତି ପରିଚାଳନାରେ ଅବେହଳା ମଧ୍ୟ ଦେଖାଯାଉଛି । ୪ ଦିନ ହେବ ରାତ୍ରି ପ୍ରାୟ ୨ଟା ୩୦ରୁ ୩ ଟା ୩୦ ବେଳକୁ ଶ୍ରୀଜିଉଙ୍କ ପହୁଡ଼ ହେଉଥିବା ବେଳେ ଶନିବାର ରାତିରେ ରାତ୍ର ପହୁଡ଼ ହୋଇନାହିଁ । ମହାପ୍ରଭୁ ଅନିଦ୍ରା ରହିଥିଲେ ଯାହା ଉଦ୍ବେଗର କାରଣ ହୋଇଛି । ସେପଟେ ରବିବାର ସକାଳୁ ପ୍ରାୟ ୪ଟାରୁ ୭ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ସିଂହଦ୍ୱାର ସମେତ ଅନ୍ୟ ଦ୍ୱାରମାନଙ୍କରେ ନୀତିକାନ୍ତି ସୂଚନା ପ୍ରସାର ଏଲ୍ଇଡି ବନ୍ଦ ରହିଥିଲା । ଫଳରେ ଶ୍ରଦ୍ଧାଳୁ ନୀତିକାନ୍ତି ବିଷୟ ଜାଣି ପାରିନଥିଲେ । ସକାଳ ପ୍ରାୟ ୭ଟାରେ ମଙ୍ଗଳ ଆଳତି ସହ ଶ୍ରୀଜିଉଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା ।