ନୂଆଦିଲ୍ଲୀ: ଅନିଶ୍ଚିତ ବିଶ୍ୱସ୍ତରୀୟ ଚାହିଦା ଓ AIର ଉପସ୍ଥିତ ମଧ୍ୟରେ ପ୍ରତିଭାକୁ ଗୁରୁତ୍ୱ ଦେଇ ଆଇଟି କମ୍ପାନୀ ଇନଫୋସିସ୍ ଆର୍ଥିକ ବର୍ଷ ୨୦୨୬ରେ ୨୦,୦୦୦ରୁ ଅଧିକ କଲେଜ ସ୍ନାତକ (ଫ୍ରେସର୍)ଙ୍କୁ ନିଯୁକ୍ତି ଦେଇଛି। ଏହି ନିଯୁକ୍ତିକୁ ମିଶାଇ କମ୍ପାନୀର ମୋଟ କର୍ମଚାରୀଙ୍କ ସଂଖ୍ୟା ୩,୨୫,୦୦୦ ଅତିକ୍ରମ କରିଛି।

କମ୍ପାନୀର ବାର୍ଷିକ ସାଧାରଣ ସଭା (AGM)ରେ ଏହାର ମ୍ୟାନେଜମେଣ୍ଟ ଏହି ସୂଚନା ଦେଇଛି। କାମ କରିବା ପାଇଁ ଆର୍ଥିକ ବର୍ଷ ୨୦୨୬ ଏକ ଶୃଙ୍ଖଳିତ ବର୍ଷ ଥିଲା, ଯେଉଁଥିରେ ଇନଫୋସିସ୍ ୩.୧% କନଷ୍ଟାଣ୍ଟ କରେନ୍ସି (constant currency) ରାଜସ୍ୱ ଅଭିବୃଦ୍ଧି ହାସଲ କରିଛି ବୋଲି ମଧ୍ୟ ମ୍ୟାନେଜମେଣ୍ଟ ସୂଚନା ଦେଇଛି।

ଚଳିତ ଆର୍ଥିକ ବର୍ଷ କମ୍ପାନୀ ୯୬ଟି ବଡ଼ ଡିଲ୍ ହାସଲ କରିଛି, ଯାହାର ମୋଟ ଚୁକ୍ତି ମୂଲ୍ୟ (TCV) ୧୪.୯ ବିଲିୟନ ଡଲାରର ହେବ ବୋଲି କମ୍ପାନୀ ସୂଚନା ଦେଇଛି। ଏଥିସହିତ ଡିଜିଟାଲ୍ ରୂପାନ୍ତରଣ ଏବଂ ବୈଷୟିକ ସେବା(digital transformation and technology services.) ପାଇଁ ଗ୍ରାହକଙ୍କ ଚାହିଦା ବଢ଼ୁଥିବା ଦର୍ଶାଇ ପରିଚାଳନା କର୍ତ୍ତୃପକ୍ଷ କହିଛନ୍ତି ଯେ, ବୈଷୟିକ ଶିଳ୍ପ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଦ୍ୱାରା ପରିଚାଳିତ ଏକ ବଡ଼ ପରିବର୍ତ୍ତନ ଦେଇ ଗତି କରୁଛି। ସେମାନେ AI କୁ ପୂର୍ବର ଟେକ୍ନୋଲୋଜୀ ତୁଳନାରେ ଅଧିକ ବଡ଼ ଏବଂ ବ୍ୟାଘାତ ସୃଷ୍ଟିକାରୀ ଟେକ୍ନୋଲୋଜୀ ବୋଲି ବର୍ଣ୍ଣନା କରିଛନ୍ତି।

କମ୍ପାନୀର ମ୍ୟାନେଜମେଣ୍ଟ ଆହୁରି କହିଛନ୍ତି ଯେ, ଏହି ପରିବର୍ତ୍ତନର ସୁଯୋଗ ନେବା ପାଇଁ ଇନଫୋସିସ୍ ପୂର୍ବାପେକ୍ଷା ଅଧିକ ସକ୍ଷମ ଅଛି। AI ରେ ଦ୍ରୁତ ଅଗ୍ରଗତି ସତ୍ତ୍ୱେ ସଫ୍ଟୱେର୍ ବିକାଶ ପ୍ରକ୍ରିୟାରେ ଏବେ ବି ଅନେକ ଗୁରୁତ୍ୱପୂର୍ଣ୍ଣ କାମ ବାକି ଅଛି। ଉଦ୍ୟୋଗୀ ଗ୍ରାହକଙ୍କ ମଧ୍ୟରେ ଏକ ବଡ଼ AI ନିୟୋଜନ ବ୍ୟବଧାନ (deployment gap) ରହିଛି ଏବଂ ଏହି ବ୍ୟବଧାନକୁ ପୂରଣ କରିବାରେ ସାହାଯ୍ୟ କରିବା କମ୍ପାନୀ ପାଇଁ ଏକ ବଡ଼ ଅଭିବୃଦ୍ଧିର ସୁଯୋଗ ହେବ।

ଏଆଇ ଦ୍ୱାରା ଆଇଟି ସେବା କମ୍ପାନୀଗୁଡ଼ିକ ପ୍ରଭାବିତ ହେବା ନେଇ ଚିନ୍ତା ବ୍ୟକ୍ତ କରାଯାଉଥିବା ବେଳେ ମ୍ୟାନେଜମେଣ୍ଟ ସ୍ପଷ୍ଟ କରିଛନ୍ତି ଯେ, କୃତ୍ରିମ ବୁଦ୍ଧିମତା ଇନଫୋସିସ୍ ଭଳି କମ୍ପାନୀଗୁଡ଼ିକୁ ବଦଳାଇ ପାରିବ ନାହିଁ। ବରଂ, ଅନେକ ଉଦ୍ୟୋଗ ରେଡିମେଡ୍ ଉତ୍ପାଦ କିଣିବା ଅପେକ୍ଷା କଷ୍ଟମାଇଜଡ୍ (Customised) ସଫ୍ଟୱେର୍ ସମାଧାନ ପ୍ରସ୍ତୁତ କରିବାକୁ ପସନ୍ଦ କରିବେ, ଯାହା ଟେକ୍ନୋଲୋଜି ସେବା ପ୍ରଦାନକାରୀଙ୍କ ପାଇଁ ବଡ଼ ସୁଯୋଗ ସୃଷ୍ଟି କରିବ ବୋଲି ଇନଫୋସିସ୍ କହିଛି।

ତେବେ ଏଆଇର ଗୁରୁତ୍ୱକୁ ଦର୍ଶାଇ ଇନଫୋସିସ କହିଛି AI ଯୁଗରେ ନୂଆ ଶିକ୍ଷା ଏବଂ ନୂଆ ଚିନ୍ତାଧାରାର ଆବଶ୍ୟକତା ରହିଛି। ବୈଷୟିକ ପରିବର୍ତ୍ତନ ସହିତ ତାଳ ମିଳାଇବା ପାଇଁ କମ୍ପାନୀଗୁଡ଼ିକୁ ନିରନ୍ତର ଭାବେ ନିଜ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି (upskilling) କରିବାକୁ ପଡ଼ିବ।

ଇନଫୋସିସ୍ ସ୍ପଷ୍ଟ କରିଛି ଯେ, ଏହାର AI-ସମ୍ବନ୍ଧୀୟ ବ୍ୟବସାୟ ବର୍ତ୍ତମାନ ବାର୍ଷିକ ପ୍ରାୟ ୧ ବିଲିୟନ ଡ଼ଲାର ରାଜସ୍ୱ ସୃଷ୍ଟି କରୁଛି। ଉଦ୍ୟୋଗଗୁଡ଼ିକ ପରୀକ୍ଷଣରୁ ବାହାରି ବଡ଼ ଧରଣର ନିୟୋଜନ ଆଡ଼କୁ ଅଗ୍ରସର ହେଉଥିବାରୁ, AI ସେବା ବାବଦ ରାଜସ୍ୱ ଦ୍ରୁତ ଗତିରେ ବୃଦ୍ଧି ପାଇବ ବୋଲି କମ୍ପାନୀ ଆଶା ରଖିଛି।