ଦୁବାଇ, ୧୦/୦୯ : ଚଳିତ ମହିଳା ଏସିଆ କପ୍ ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟରେ ଆଜି ପ୍ରଥମ ସେମି ଫାଇନାଲ୍ ଖେଳାଯିବ । ଦୁଇ ପ୍ରମୁଖ ପ୍ରତିଦ୍ୱଦ୍ୱୀ ଭାରତ ଓ ବାଂଲାଦେଶ ପରସ୍ପରକୁ ଭେଟିବେ। ଉଭୟ ଦଳ ମଧ୍ୟରେ ପୂର୍ବର ବହୁ ବିବାଦ ରହିଥିବାରୁ ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ।

ଦକ୍ଷତା ଓ ପ୍ରଦର୍ଶନକୁ ଦେଖିଲେ ଭାରତର ପଲା ଭାରି ରହିବ। ହେଲେ ବାଂଲାଦେଶ ପୂର୍ବରୁ ଏସିଆ କପରେ ଭାରତକୁ ହରାଇ ସାରିଛି। ବାଂଲାଦେଶକୁ ହାଲକା ଭାବେ ଗ୍ରହଣ କରିବା ଭାରତ ପାଇଁ ଭାରି ପଡ଼ିବ। ସ୍ମୃତି ମନ୍ଧନାଙ୍କ ଉପରେ ନଜର ରହିବ। ସେ ଆଉ ୬୯ ରନ କଲେ ଟି-ଟ୍ୱେଣ୍ଟି ଫର୍ମାଟ୍ ରେ ସର୍ବାଧିକ ରନ ହାସଲକରୀ ବ୍ୟାଟର ଭାବେ ରେକର୍ଡ ସ୍ଥାପନ କରିବେ ।

Also Read :- ଫିଲିପାଇନ୍ସରେ ବଡ ଅଘଟଣ; ପର୍ଯ୍ୟଟନ ସ୍ଥଳରେ ଥିବା ଡଙ୍ଗାରେ ଭୟାବହ ଅଗ୍ନିକାଣ୍ତ, ୫ ମୃତ, ୮୦ରୁ ଅଧିକ ଆହତ

ଭାରତୀୟ ସ୍ପିନର ଇତି ମଧ୍ୟରେ ୨୧ଟି ୱିକେଟ୍ ଅକ୍ତିଆର କରିସାରିଛନ୍ତି। ବିଶେଷ କରି ଶ୍ରୀଚରଣୀଙ୍କ ପ୍ରଦର୍ଶନ ବାଂଲାଦେଶ ପାଇଁ ଚିନ୍ତାର କାରଣ ହେବ। ସେ ଚମତ୍କାର ଫର୍ମରେ ରହିଛନ୍ତି ଓ ନିୟମିତ ବ୍ୟବଧାନରେ ୱିକେଟ୍ ଅକ୍ତିଆର କରୁଛନ୍ତି। ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଓ ଚଳିତ ଏସିଆ କପରେ ସେ ୮ଟି ମ୍ୟାଚ ଖେଳି ୨୧ଟି ୱିକେଟ୍ ନେଇ ସାରିଛନ୍ତି।

ଭରାତ ଆଜି ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । ଇଂଲଣ୍ଡରେ ଅନୁଷ୍ଠିତ ଟି-ଟ୍ୱେଣ୍ଟି ବିଶ୍ଵକପ୍ ସମୟରେ ଭାରତ ପ୍ରତି ମ୍ୟାଚରେ ଦଳ ପରିବର୍ତ୍ତନ କରିଥିଲା ଓ ଟାଇଟଲ ଦୌଡ଼ରୁ ବଞ୍ଚିତ ହୋଇଥିଲା। ଚଳିତ ଏସିଆ କପରେ ଭାରତ ୩ଟି ମ୍ୟାଚ ଖେଳି ସାରିଥିଲେ ହେଁ ଏପର୍ଯ୍ୟନ୍ତ ଏକାଦଶ ଅପରିବର୍ତିତ ରଖୁଛି । ବାଂଲାଦେଶ ଲିଗ୍ ପର୍ଯ୍ୟାୟରେ ୧୪ଜଣ ଖେଳାଳିଙ୍କୁ ସୁଯୋଗ ଦେଇ ସାରିଛି। ତେବେ ସେମିରେ ଏକ ଶକ୍ତିଶାଳୀ ଦଳ ନେଇ ବାଂଲାଦେଶ ଗ୍ରାଉଣ୍ଡକୁ ଓହ୍ଲାଇବ। ରବେୟା ଖାନ ଓ ସର୍ମିନ ଅଖତର ଏକାଦଶକୁ ଫେରିବା ଏକ ପ୍ରକାର ନିଶ୍ଚିତ ।

ଦୁବାଇର ଉତ୍ତପ୍ତ ଜଳବାୟୁରେ ସେମି ଫାଇନାଲ୍ ପାଇଁ ପ୍ରସ୍ତୁତ ପିଚ୍ ଶୁଷ୍କ ହୋଇ ସାରିଥିବାରୁ ସ୍ପିନରଙ୍କୁ ଭରପୁର ସହାୟତା କରିବ। ବୋଲରମାନଙ୍କ ପ୍ରଦର୍ଶନ ଉପରେ ମ୍ୟାଚର ଫଳାଫଳ ନିର୍ଭର କରିବ। ତଥାପି ଟସ ବିଜୟୀ ଦଳ ବ୍ୟାଟିଂ କରିବା ଏକ ପ୍ରକାର ନିଶ୍ଚିତ। ଟୁର୍ଣ୍ଣାମେଣ୍ଟର ୧୨ଟି ମ୍ୟାଚରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୮ଟି ମ୍ୟାଚ ଜିତି ସାରିଛନ୍ତି ।