ଫିଲିପାଇନ୍ସର ସୁନ୍ଦର ପର୍ଯ୍ୟଟନ ପ୍ରଦେଶ ପାଲାୱାନ୍ରେ ଭୟଙ୍କର ଅଗ୍ନିକାଣ୍ଡ। ସମୁଦ୍ର ମଝିରେ ଜଳିଗଲା ଏକ ଛୋଟ ଡଙ୍ଗା। ନିଆଁରେ ଘେରିଯିବା ପରେ ଚାରିଆଡ଼େ ଖେଳିଗଲା ଆତଙ୍କ। ଏହି ଦୁର୍ଘଟଣାରେ ଅତିକମରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ, ୮୭ ଜଣ ଏବେବି ନିଖୋଜ ଅଛନ୍ତି। ଏବେ ଏହି ଘଟଣାରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ।

ବୁଧବାର ସନ୍ଧ୍ୟାରେ ପାଲାୱାନ୍ ଉପକୂଳରୁ ପ୍ରାୟ ୨.୨ କିଲୋମିଟର ଦୂରରେ ଘଟିଥିଲା ଏହି ଭୟଙ୍କର ଘଟଣା। ଛୋଟ ଡଙ୍ଗାରେ ହଠାତ୍ ଲାଗିଯାଇଥିଲା ନିଆଁ। ମୁହୂର୍ତ୍ତକ ମଧ୍ୟରେ ଡଙ୍ଗାଟିକୁ ସମ୍ପୂର୍ଣ୍ଣ ନିଆଁରେ ଘେରିଯାଇଥିଲା। ଦୁର୍ଘଟଣାର ଖବର ପାଇ ତୁରନ୍ତ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ। ସେଥିରେ ମୋଟ୍ ୧୩୪ ଜଣ ଯାତ୍ରୀ ଓ କର୍ମଚାରୀ ଥିଲେ। ଏପର୍ଯ୍ୟନ୍ତ ୪୨ ଜଣଙ୍କୁ ଉଦ୍ଧାର କରାଯାଇଛି। ସେପଟେ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇ ଉପକୂଳକୁ ଅଣାଯାଇଛି।

ତେବେ ସବୁଠାରୁ ବଡ଼ ଚିନ୍ତାର ବିଷୟ ୮୭ ଜଣଙ୍କର ଏବେବି କୌଣସି ଖୋଜଖବର ମିଳିନାହିଁ। ଉଦ୍ଧାରକାରୀ ଦଳ ସମୁଦ୍ରରେ ଜୋରଦାର ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି। ନିଖୋଜଙ୍କ ମଧ୍ୟରୁ କେତେଜଣ ଜୀବିତ ଅଛନ୍ତି, ତାହା ଜାଣିବା ପାଇଁ ଚାଲିଛି ତଲାସୀ। ପାଲାୱାନ୍ର ଏଲ୍ ନିଡୋ ଏବଂ ପୁଏର୍ଟୋ ପ୍ରିନ୍ସେସା ସବ୍ଟେରେନିଆନ୍ ରିଭର୍ ଭଳି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ପାଇଁ ଏହି ଅଞ୍ଚଳ ବେଶ୍ ଜଣାଶୁଣା। କିନ୍ତୁ ଏବେ ସେହି ପର୍ଯ୍ୟଟନ ଅଞ୍ଚଳ ନିକଟରେ ଘଟିଥିବା ଏହି ସାମୁଦ୍ରିକ ଦୁର୍ଘଟଣା ସୃଷ୍ଟି କରିଛି ଭୟ ଓ ଆତଙ୍କ। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତାହତ ଓ ନିଖୋଜଙ୍କ ସଂଖ୍ୟା ବଦଳିପାରେ।