ନୂଆଦିଲ୍ଲୀ: ଆଗାମୀ ବର୍ଷଗୁଡ଼ିକରେ ସିନ୍ଧୁ ନଦୀ ଚୁକ୍ତିରୁ ପାକିସ୍ତାନକୁ ବୁନ୍ଦାଏ ବି ପାଣି ମିଳିବ ନାହିଁ। ଏଥିପାଇଁ ନରେନ୍ଦ୍ର ମୋଦୀ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମଙ୍ଗଳବାର କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲ କହିଛନ୍ତି। ପାଟିଲ ସ୍ପଷ୍ଟ କରିଛନ୍ତି ଯେ ସିନ୍ଧୁ ଜଳ ଚୁକ୍ତିକୁ ବାତିଲ କରାଯାଇ ନାହିଁ, ବରଂ ଏହାକୁ ସ୍ଥଗିତ ରଖାଯାଇଛି ଏବଂ ସୀମା ଆରପାରିକୁ ଯାଉଥିବା ପାଣିକୁ ଅଟକାଇବା ପାଇଁ ପ୍ରୟାସ ଜାରି ରହିଛି।

ସେ କହିଛନ୍ତି, "ଏହି ଚୁକ୍ତି ଏବେ ବି ଅଛି; ବରଂ ଏହାକୁ ସ୍ଥଗିତ ରଖାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଏହି ନିଷ୍ପତ୍ତି ନେବା ପରେ, ସେଠାକୁ ଗୋଟିଏ ବି ବୁନ୍ଦା ପାଣି ନଯିବା ସୁନିଶ୍ଚିତ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଉଛି।"

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ପ୍ରସଙ୍ଗକୁ ସରକାର ସର୍ବୋଚ୍ଚ ସ୍ତରରେ ତଦାରଖ କରୁଛନ୍ତି। “ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ, ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ବ୍ୟକ୍ତିଗତ ଭାବେ ଏହି ବିଷୟ ଉପରେ ନଜର ରଖିଛନ୍ତି ଏବଂ ଆମେ ଏହା ଉପରେ ସକ୍ରିୟ ଭାବେ କାର୍ଯ୍ୟ କରୁଛୁ। ମୁଁ ବିଶ୍ୱାସ କରେ ଯେ କାର୍ଯ୍ୟଟି ସମୟ ଅନୁସାରେ ଆଗକୁ ବଢୁଛି। ଏହା ନିଶ୍ଚିତ ଯେ ଆଗାମୀ ବର୍ଷଗୁଡ଼ିକରେ ଗୋଟିଏ ବି ବୁନ୍ଦା ପାଣି ପାକିସ୍ତାନକୁ ଯିବ ନାହିଁ ବୋଲି ଏତିକି ମୁଁ ଆପଣଙ୍କୁ କହିପାରିବି।"

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ବଢ଼ିଥିବା ଉତ୍ତେଜନା ପରେ ଭାରତ ୧୯୬୦ ମସିହାର ସିନ୍ଧୁ ନଦୀ ଜଳ ଚୁକ୍ତିକୁ ସ୍ଥଗିତ ରଖିଥିଲା। ୟାପର ଠାରୁ ପାକିସ୍ତାନ ପାଣି ଛାଡିବାକୁ ଭାରତ ଉପରେ ସବୁ ପ୍ରକାର ଚାପ ପକାଇବାକୁ ଚେଷ୍ଟା କରୁଛି। ଏହାପୂର୍ବରୁ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଚୁକ୍ତି ଅନୁଯାୟୀ ଗଠିତ 'କୋର୍ଟ ଅଫ୍ ଆର୍ବିଟ୍ରେସନ୍' (CoA) ର ଅଧିକାରକୁ ପ୍ରତ୍ୟାଖ୍ୟାନ କରିସାରିଛି।

"ସର୍ବାଧିକ ଜଳାଳୟ" (maximum pondage) ପ୍ରସଙ୍ଗରେ ଟ୍ରିବ୍ୟୁନାଲ ଦ୍ୱାରା ନିକଟରେ ଜାରି ହୋଇଥିବା ରାୟକୁ ଭାରତ ପ୍ରତ୍ୟାଖ୍ୟାନ କରିଥିଲା। ପ୍ରତିକ୍ରିୟା ରଖି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ କହିଥିଲେ ଯେ, ଭାରତ ଏହି କୋର୍ଟକୁ ବେଆଇନ ଭାବେ ଗଠିତ ବୋଲି ବିବେଚନା କରେ ଏବଂ ଏହାର କୌଣସି ନିଷ୍ପତ୍ତିକୁ ମାନ୍ୟତା ଦେବ ନାହିଁ। ଜୈସୱାଲ କହିଛନ୍ତି, "ଭାରତ ବର୍ତ୍ତମାନର ଏହି କଥିତ ରାୟକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରୁଛି, ଯେପରି ଭାବେ ଏହା ପୂର୍ବରୁ ବେଆଇନ ଭାବେ ଗଠିତ CoA ର ସମସ୍ତ ଘୋଷଣାକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଆସିଛି।"ଜୟସ୍ୱାଲ ଆହୁରି ଯୋଡ଼ିଛନ୍ତି ଯେ ଟ୍ରିବ୍ୟୁନାଲ ଦ୍ୱାରା ଜାରି କରାଯାଇଥିବା ଯେକୌଣସି କାର୍ଯ୍ୟାନୁଷ୍ଠାନ, ରାୟ କିମ୍ବା ନିଷ୍ପତ୍ତି ସମ୍ପୂର୍ଣ୍ଣ ମୂଲ୍ୟହୀନ। ଭାରତ ଦୀର୍ଘ ଦିନ ଧରି ଯୁକ୍ତି କରିଆସୁଛି ଯେ ଆର୍ବିଟ୍ରେସନ୍ ପ୍ରକ୍ରିୟା ଚୁକ୍ତିର ଉଲ୍ଲଂଘନ କରି ସ୍ଥାପିତ କରାଯାଇଛି ଏବଂ ଜମ୍ମୁ-କାଶ୍ମୀରର କିଶନଗଙ୍ଗା ଓ ରତଲେ ଜଳବିଦ୍ୟୁତ୍ ପ୍ରକଳ୍ପ ସମ୍ବନ୍ଧୀୟ ବିବାଦ ଉପରେ କୋର୍ଟର କ୍ଷମତାକୁ ଚ୍ୟାଲେଞ୍ଜ କରିଛି।

ସେପଟେ ପାକିସ୍ତାନରେ ପାଣିର ଉପଲବ୍ଧତାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। କରାଚି ବର୍ତ୍ତମାନ ଗମ୍ଭୀର ଜଳ ସଙ୍କଟର ସମ୍ମୁଖୀନ ହେଉଛି, ରିପୋର୍ଟ ଅନୁଯାୟୀ କରାଚୀ ସହରର ପ୍ରାୟ ୭୦ ପ୍ରତିଶତ ଅଞ୍ଚଳରେ ପାଣି ଯୋଗାଣ ବାଧାପ୍ରାପ୍ତ ହୋଇଛି। ସିନ୍ଧୁ ନଦୀ ପ୍ରଣାଳୀ ଅଧୀନରେ ଭବିଷ୍ୟତରେ ପାଣି ପ୍ରବାହକୁ ନେଇ ପାକିସ୍ତାନ ଅନିଶ୍ଚିତତାରେ ଘେରି ରହିଥିବାବେଳେ, ରାଜନୈତିକ ନେତାମାନେ ଏହି ସଙ୍କଟ ପାଇଁ ପ୍ରଶାସନିକ ବିଫଳତାକୁ ଦାୟୀ କରିଛନ୍ତି।