ଇନ୍ଦୋର ୦୧/୦୧: ବର୍ଷ ବର୍ଷର ମାନସିକ ପରେ ହୋଇଥିଲା ପୁଅ । ଅନେକ ପୂଜା ପରେ ଘର ପୁରି ଉଠିଥିଲା ହସ ଖୁସିରେ । ହେଲେ ଦଇବ ସାଜିଲା ବଇରୀ । ନଳ ପାଣି ଉଜାଡ଼ିଦେଲା କୋଳ । ଛଡାିନେଲା ୫ ମାସ ଶିଶୁର ଜୀବନ । ଦେଶର ସବୁଠୁ ସ୍ୱଚ୍ଛ ସହର ଇନ୍ଦୋର ଭାଗୀରଥପୁରାରେ ଦେଖିବାକୁ ମିଳିଛି ଜଳ ସଙ୍କଟର ସବୁଠାରୁ ଦୁଃଖଦ ଚିତ୍ର । ଏହି ଦୂଷିତ ପାଣି ପିଇ ଯାଇଛି ୫ ମାସର ଶିଶୁ ଅଭ୍ୟାନର ଜୀବନ ।

ଯେଉଁ ମାଆ ପିଲାର ସହଜ ହଜମ ଆଶା କରି କ୍ଷୀରରେ ମିଶାଇଥିଲେ ପାଣି । ହେଲେ ଜାଣିନଥିଲେ କି ସେ ପାଣି ତାଙ୍କ ପାଇଁ ସାଜିବ ଘାତକ । ଜଣା ନଥିଲା ଯେ ପୌରପାଳିକାର ଟ୍ୟାପ୍ ରୁ ଆସୁଥିବା ପାଣି ପିଲା ପାଇଁ ବିଷ ପାଲଟିଛି ।ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ଭାଗୀରଥପୁରାର ବାସିନ୍ଦା ସୁନୀଲ ସାହୁ କହିଛନ୍ତି ଯେ ତାଙ୍କର ୫ ମାସର ପୁଅ ଅଭ୍ୟାନ । କିଛି ଦିନ ପୂର୍ବରୁ ବାନ୍ତି ଓ ଝାଡ଼ାର ଲକ୍ଷଣ ଦେଖାଇଥିଲା ତାଙ୍କ ଠାରେ । ସଂଗେ ସଂଗେ ତାକୁ ଶିଶୁ ବିଶେଷଜ୍ଞଙ୍କ ପାଖକୁ ନିଆଯାଇଥିଲା।

ଅଭ୍ୟାନଙ୍କ ବାପା କହିଛନ୍ତି, "ଡାକ୍ତରଙ୍କ ପରାମର୍ଶ କ୍ରମେ, ପୁଅକୁ ଘରେ ଔଷଧ ଦିଆଯାଉଥିଲା । ବଜାରରୁ କ୍ଷୀର କିଣି ଖାଇବାକୁ ଦେବା ଆରମ୍ଭ କଲୁ । କ୍ଷୀର ବହଳ ଥିବାରୁ, ଆମେ ଏହାକୁ ପୌରପାଳିକାର ଟ୍ୟାପ୍ ସଂଯୋଗରୁ ଆସୁଥିବା ପାଣି ସହିତ ମିଶାଇ ଦେଉଥିଲୁ । ସାହୁ ଦାବି କରିଛନ୍ତି ଯେ ତାଙ୍କ ପୁଅ ଦୂଷିତ ପାନୀୟ ଜଳ ଯୋଗୁଁ ବାନ୍ତି ଏବଂ ଝାଡ଼ାରେ ପୀଡିତ ହୋଇଥିଲା । ଡିସେମ୍ବର ୨୯ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।ସରକାରୀ ଅଧିକାରୀମାନେ କହିଛନ୍ତି ଯେ ଗତ ସପ୍ତାହ ମଧ୍ୟରେ ଭାଗୀରଥପୁରାରେ ୧,୧୦୦ରୁ ଅଧିକ ଲୋକ କୌଣସି ନା କୌଣସି ପ୍ରକାରେ ବାନ୍ତି ଏବଂ ଝାଡ଼ାରେ ଆକ୍ରାନ୍ତ ହୋଇଛନ୍ତି ।

ପ୍ରାୟ ୧୫୦ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଏକ ଲିକେଜ୍ ଯୋଗୁଁ ନର୍ଦ୍ଦମା ପାଣି ପାନୀୟ ଜଳ ପାଇପଲାଇନରେ ମିଶିଥିଲା । ଯାହା ଫଳରେ ଭାଗୀରଥପୁରାରେ ରୋଗ ବ୍ୟାପିଥିଲା। ସହରର ଭାଗୀରଥପୁରା ଅଞ୍ଚଳରେ ଏପର୍ଯ୍ୟନ୍ତ ଅତି କମରେ ସାତ ଜଣଙ୍କର ମୃତ୍ୟୁ ହୋଇଛି ।

୧,୧୦୦ ରୁ ଅଧିକ ଲୋକ ଦୂଷିତ ପାନୀୟ ଜଳ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି।ଇନ୍ଦୋରର ମେୟର ପୁଷ୍ୟମିତ୍ର ଭାର୍ଗବ ଏପର୍ଯ୍ୟନ୍ତ ସାତ ଜଣଙ୍କର ମୃତ୍ୟୁ ନିଶ୍ଚିତ କରିଛନ୍ତି । ଯେତେବେଳେ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ଯେ ଭାଗୀରଥପୁରା ଅଞ୍ଚଳରେ ଦୂଷିତ ପାଣି ପିଇବାରୁ ଅସୁସ୍ଥ ହେବା ପରେ ଗୋଟିଏ ସପ୍ତାହ ମଧ୍ୟରେ ଏକ ଛଅ ମାସର ଶିଶୁ ଓ ଛଅ ଜଣ ମହିଳା ସମେତ ନଅ ଜଣଙ୍କର ମୃତ୍ୟୁ ହୋଇଛି । ମେୟର ମୃତକଙ୍କ ପରିଚୟ ପ୍ରକାଶ କରିନାହାଁନ୍ତି।