ନୂଆଦିଲ୍ଲୀ: ଉଡାଣ ସଂକଟ ଭିତରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଇଣ୍ଡିଗୋର ଶୀର୍ଷ ଅଧିକାରୀଙ୍କୁ ସମନ ଜାରି କରିଛି । ଏୟାରଲାଇନର ସିଇଓ ଓ ସିଓଓକୁ ହାଜର ହେବା ପାଇଁ ଡିଜିସିଏ କହିଛି । ଆସନ୍ତାକାଲି ଦିନ ୧୧ଟାରେ ଏୟାରଲାଇନର ପ୍ରତିନିଧିମାନଙ୍କୁ ଜବାବ ଦେବାକୁ ହେବ । ଡିଜିସିଏ ଇଣ୍ଡିଗୋର ଅତିରିକ୍ତ ରୁଟ୍‌କୁ କମ୍ କରିବ ।

ସୂତ୍ର ଅନୁସାରେ ଡିଜିସିଏ ଏକ ଚାରି ସଦସ୍ୟ ବିଶିଷ୍ଟ ସମିତି ଗଠନ କରିଛି । ଏହି କମିଟି ଇଣ୍ଡିଗୋ ଏୟାରଲାଇନ୍ସର ଶୀର୍ଷଙ୍କୁ ମଙ୍ଗଳବାର ଦିନ ୧୧ଟାରେ ଜେରା କରିବେ । ସମିତି ଏହି ଅଧିକାରୀଙ୍କୁ ଗତ ଛଅ ଦିନରେ ରଦ୍ଦ ହୋଇଥଇବା ପ୍ରାୟ ୩୯୦୦ ଉଡାଣ ଉପରେ ପ୍ରଶ୍ନ କରିବ । ଡିଜିସିଏର ଏହି ସମିତି କ୍ରିୟୁ ପ୍ଲାନିଂ, ପରିଚାଳନା ପ୍ରସ୍ତୁତି ଓ ନୂଆ ଫ୍ଲାଇଟ୍ ଡ୍ୟୁଟି ନିୟମର ଯାଞ୍ଚ କରୁଛି ।

ସେପଟେ ଇଣ୍ଡିଗୋ ସଙ୍କଟ ଆଜି ସପ୍ତମ ଦିନରେ ମଧ୍ୟ ସମାଧାନ ହୋଇନାହିଁ । ପରିଚାଳନା ଅସୁବିଧା ଯୋଗୁ ୪୫୦ରୁ ଅଧିକ ଉଡ଼ାଣ ବାତିଲ କରାଯାଇଛି । ଡିସେମ୍ବର ୨ରୁ ଆରମ୍ଭ ହୋଇଥିବା ଏହି ସଙ୍କଟ ହଜାର ହଜାର ଯାତ୍ରୀଙ୍କୁ ଅସୁବିଧାରେ ପକାଇଛି । ଇଣ୍ଡିଗୋ ଏହି ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରିଛି ଏବଂ ଡିସେମ୍ବର ୧୦ ସୁଦ୍ଧା ପରିସ୍ଥିତି ସ୍ୱାଭାବିକ ହୋଇଯିବ ବୋଲି କହିଛି ।

ଡିଜିସିଏ କମିଟିରେ ଚାରି ଜଣ ସଦସ୍ୟ

ହଜାର ହଜାର ଇଣ୍ଡିଗୋ ବିମାନ ବାତିଲ ଏବଂ ହଜାର ହଜାର ଯାତ୍ରୀଙ୍କ ଦ୍ୱାରା ସମ୍ମୁଖୀନ ହୋଇଥିବା ଅସୁବିଧାର ତଦନ୍ତ କରିବା ପାଇଁ DGCA ଦ୍ୱାରା ଗଠିତ ଚାରି ଜଣିଆ କମିଟି ।

ସଞ୍ଜୟ କେ ବ୍ରହ୍ମଣେ, ଯୁଗ୍ମ ମହାନିର୍ଦ୍ଦେଶକ

ଅମିତ୍ ଗୁପ୍ତା, ଡେପୁଟି ଡାଇରେକ୍ଟର ଜେନେରାଲ୍

କ୍ୟାପ୍ଟେନ୍ କପିଲ୍ ମାଙ୍ଗଲିକ୍, ସିନିୟର ଫ୍ଲାଇଟ୍ ଅପରେସନ୍ସ ଇନ୍ସପେକ୍ଟର

କ୍ୟାପ୍ଟେନ୍ ଲୋକେଶ ରାମପାଲ, ଫ୍ଲାଇଟ୍ ଅପରେସନ୍ସ ଇନ୍ସପେକ୍ଟର

ରବିବାର ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଇଣ୍ଡିଗୋକୁ କାରଣ ଦର୍ଶାଅ ନୋଟିସର ଉତ୍ତର ଦେବା ପାଇଁ ଅତିରିକ୍ତ ୨୪ ଘଣ୍ଟା ସମୟ ଦେଇଥିଲା । ଡିଜିସିଏ ଚେତାବନୀ ଦେଇଥିଲା ଯେ ଆଉ କୌଣସି ସମୟ ଦିଆଯିବ ନାହିଁ । ନିର୍ଦ୍ଧାରିତ ସମୟ ମଧ୍ୟରେ ଉତ୍ତର ନ ଦେଲେ ଏକପାଖିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ କହିଛି ଯେ ଏହା ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛି ଏବଂ ଯାତ୍ରୀ ସୁରକ୍ଷା ଏବଂ ନିୟମ ପାଳନ ପ୍ରତି କଠୋର ଅଛି ।