ନୂଆଦିଲ୍ଲୀ: ବିମାନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ବଡ଼ ଖବର। ଏଭିଏସନ୍ ଟର୍ବାଇନ୍ ଫ୍ୟୁଏଲ୍ ଦାମ ଗୋଟିଏ ମାସ ମଧ୍ୟରେ ୧୪ ପ୍ରତିଶତରୁ ଅଧିକ ବଢ଼ିବା ପରେ ଇଣ୍ଡିଗୋ ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣରେ ଫ୍ୟୁଏଲ୍ ଚାର୍ଜ ବଢ଼ାଇଛି। କମ୍ପାନୀ କହିଛି ଯେ ଏଭିଏସନ୍ ଟର୍ବାଇନ୍ ଫ୍ୟୁଏଲର ଦାମ ଆକାଶ ଛୁଇଁଛି । ଏହା ଫଳରେ ବିମାନ ଚଳାଚଳ ଖର୍ଚ୍ଚ ବଢ଼ିଛି। ଏହି ବଢ଼ୁଥିବା ଖର୍ଚ୍ଚକୁ କିଛି ମାତ୍ରାରେ ପୂରଣ କରିବା ପାଇଁ ଫ୍ୟୁଏଲ୍ ଚାର୍ଜ ବଢ଼ାଯାଇଛି।

ତେବେ ଏବେ କେତେ ଫ୍ୟୁଏଲ୍ ଚାର୍ଜ ଦେବାକୁ ପଡ଼ିବ?ଘରୋଇ ଉଡ଼ାଣରେ ଯାତ୍ରାର ଦୂରତା ଅନୁସାରେ ଫ୍ୟୁଏଲ୍ ଚାର୍ଜ ଧାର୍ଯ୍ୟ କରାଯାଇଛି। ଏବେ ଯାତ୍ରୀଙ୍କୁ ପ୍ରତି ସେକ୍ଟର ୩୭୫ ଟଙ୍କାରୁ ୧,୩୦୦ ଟଙ୍କା ପର୍ଯ୍ୟନ୍ତ ଫ୍ୟୁଏଲ୍ ଚାର୍ଜ ଦେବାକୁ ପଡ଼ିପାରେ। ଯଦି ଦେଖିବେ ତେବେ ଏପ୍ରିଲରେ ଏହି ଚାର୍ଜ ୨୭୫ ଟଙ୍କାରୁ ୯୫୦ ଟଙ୍କା ମଧ୍ୟରେ ଥିଲା। କିନ୍ତୁ ବର୍ତ୍ତମାନ ଦୂରତା ଅଧିକ ହେଲେ ଫ୍ୟୁଏଲ୍ ଚାର୍ଜ ମଧ୍ୟ ଅଧିକ ହେବ ବୋଲି ଜଣାପଡିଛି ।

ଇଣ୍ଡିଗୋ କହିଛି ଯେ ଏଭିଏସନ୍ ଟର୍ବାଇନ୍ ଫ୍ୟୁଏଲର ଦାମ ବଢ଼ିବାର ପୂରା ଖର୍ଚ୍ଚ ଯାତ୍ରୀଙ୍କଠାରୁ ନେଲେ ଚାର୍ଜ ଆହୁରି ଅଧିକ ବଢ଼ାଇବାକୁ ପଡ଼ିଥାନ୍ତା। କିନ୍ତୁ ଯାତ୍ରୀଙ୍କ ଉପରେ ଅଧିକ ବୋଝ ନପକାଇବା ପାଇଁ କମ୍ପାନୀ ନିୟନ୍ତ୍ରିତ ଭାବେ ଚାର୍ଜ ବଢ଼ାଇଛି।

ଫ୍ୟୁଏଲ୍ ଦାମ ବଢ଼ିବା ସହିତ ଏୟାରଲାଇନ୍ସ ଉପରେ ଖର୍ଚ୍ଚର ଚାପ ବଢ଼ିଛି। ରିପୋର୍ଟ ଅନୁସାରେ, ଇଣ୍ଡିଗୋ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୩.୮୨ ବିଲିୟନ୍ ଟଙ୍କା କ୍ଷତି ରେକର୍ଡ କରିଥିଲା। ମେ ମାସରେ କମ୍ପାନୀ କହିଥିଲା ଯେ ଲାଭର ମାର୍ଜିନ୍କୁ ସୁରକ୍ଷିତ ରଖିବା ପାଇଁ ଫ୍ୟୁଏଲ୍ ମୂଲ୍ୟକୁ ବୃଦ୍ଧି କରିବା ନେଇ ବିଚାର କରାଯାଇପାରେ Iଅନ୍ୟପଟେ ଇଣ୍ଡିଗୋ ପ୍ରତିଦିନ ୨,୨୦୦ରୁ ଅଧିକ ଫ୍ଲାଇଟ୍ ଚଳାଏ। ତେଣୁ ଫ୍ୟୁଏଲ୍ ଦାମରେ ବୃଦ୍ଧି କମ୍ପାନୀର ମୋଟ ଖର୍ଚ୍ଚ ଉପରେ ବଡ଼ ପ୍ରଭାବ ପକାଏ।

ALSO READ- ପୁରୁଣା ବ୍ୟାଙ୍କ ଖାତାରେ ଟଙ୍କା ଅଛି କି? ୧୦ ବର୍ଷ ପରେ ବି ଫେରିପାଇପାରିବେ, ଜାଣନ୍ତୁ ଏହି ନିୟମ

କମ୍ପାନୀ କହିଛି ଯେ ଫ୍ୟୁଏଲ୍ ଦାମ ଓ ବଜାର ପରିସ୍ଥିତି ଉପରେ ନଜର ରଖାଯିବ। ଆବଶ୍ୟକ ପଡ଼ିଲେ ଆଗକୁ ଫ୍ୟୁଏଲ୍ ଚାର୍ଜରେ ଉପଯୁକ୍ତ ପରିବର୍ତ୍ତନ କରାଯିବ।ଏହାର ଅର୍ଥ, ଆଗାମୀ ଦିନରେ ATF ଦାମ କମିଲେ ଯାତ୍ରୀଙ୍କ ପାଇଁ ଫ୍ୟୁଏଲ୍ ଚାର୍ଜରେ ମଧ୍ୟ ପରିବର୍ତ୍ତନ ହୋଇପାରେ। କିନ୍ତୁ ଫ୍ୟୁଏଲ୍ ଦାମ ବଢ଼ିଲେ ବିମାନ ଯାତ୍ରା ଆହୁରି ମହଙ୍ଗା ହେବାର ଆଶଙ୍କା ରହିଛି।