ଭୁବନେଶ୍ୱର: ଅନେକ ଲୋକଙ୍କର ଏକାଧିକ ବ୍ୟାଙ୍କ ଖାତା ରହିଥାଏ। ଚାକିରି ବଦଳାଇବା, ଅନ୍ୟ ସହରକୁ ଯିବା କିମ୍ବା ନୂଆ ବ୍ୟାଙ୍କ ଖାତା ଖୋଲିବା ପରେ ପୁରୁଣା ଖାତାକୁ ଅନେକେ ଆଉ ବ୍ୟବହାର କରନ୍ତି ନାହିଁ। ବର୍ଷ ବର୍ଷ ଧରି ଏଭଳି ଖାତା ପଡ଼ି ରହିଲେ ମଧ୍ୟ ସେଥିରେ ଥିବା ଟଙ୍କା ନଷ୍ଟ ହୁଏ ନାହିଁ।

୨ ବର୍ଷ ଟ୍ରାଞ୍ଜାକ୍ସନ ନକଲେ କ’ଣ ହୁଏ?

ଯଦି ଆପଣଙ୍କ ସେଭିଂସ୍ କିମ୍ବା କରେଣ୍ଟ ଆକାଉଣ୍ଟରେ ୨ ବର୍ଷରୁ ଅଧିକ ସମୟ ଧରି ଗ୍ରାହକଙ୍କ ପକ୍ଷରୁ କୌଣସି ଟ୍ରାଞ୍ଜାକ୍ସନ ହୋଇନାହିଁ, ତେବେ ବ୍ୟାଙ୍କ ଏହାକୁ ‘ଇନଅପରେଟିଭ୍’ ବା ନିଷ୍କ୍ରିୟ ଖାତା ଭାବେ ବର୍ଗୀକରଣ କରିପାରେ।ଏଠି ଜାଣି ରଖିବା ସରକାର କି , ଇନଅପରେଟିଭ୍ ହୋଇଗଲେ ଖାତାର ଟଙ୍କା ଶେଷ ହୋଇଯାଏ ନାହିଁ। ଟଙ୍କା ଆପଣଙ୍କର ହିଁ ରହିଥାଏ।ତେବେ ପୁରୁଣା ଖାତାକୁ ପୁଣି କିପରି ଚାଲୁ କରିବେ?ଯଦି ଆପଣଙ୍କ ପୁରୁଣା ବ୍ୟାଙ୍କ ଖାତା ଇନଅପରେଟିଭ୍ ହୋଇଯାଇଛି, ତେବେ ଏହାକୁ ପୁଣି ସକ୍ରିୟ କରାଯାଇପାରିବ। ଏଥିପାଇଁ ବ୍ୟାଙ୍କରେ ଆବଶ୍ୟକ KYC ଅପଡେଟ୍ କରିବାକୁ ପଡ଼ିବ। ବ୍ୟାଙ୍କ ପକ୍ଷରୁ ଆବଶ୍ୟକ ଯାଞ୍ଚ ମଧ୍ୟ କରାଯିବ।RBI ନିୟମ ଅନୁସାରେ, ବ୍ୟାଙ୍କଗୁଡ଼ିକୁ ସେମାନଙ୍କର ସମସ୍ତ ଶାଖାରେ KYC ଅପଡେଟ୍ ସୁବିଧା ଦେବାକୁ ପଡ଼େ। ଅର୍ଥାତ୍ ଖାତା ଖୋଲିଥିବା ପାଇଁ ସେହି ହୋମ୍ ବ୍ରାଞ୍ଚକୁ ହିଁ ଯିବା ଜରୁରୀ ନୁହେଁ। କିଛି ବ୍ୟାଙ୍କରେ ଭିଡିଓ KYCର ସୁବିଧା ମଧ୍ୟ ରହିଛି। ତେବେ ଆବଶ୍ୟକ KYC ଓ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ବ୍ୟାଙ୍କକୁ ୩ଟି କାର୍ଯ୍ୟଦିବସ ମଧ୍ୟରେ ଇନଅପରେଟିଭ୍ ଖାତାକୁ ସକ୍ରିୟ କରିବାର ପ୍ରକ୍ରିୟା ପୂରା କରିବାକୁ ପଡ଼େ।

ତେବେ ୧୦ ବର୍ଷ ଧରି ଟଙ୍କା ଦାବି ନକଲେ କ’ଣ ହୁଏ?

ଯଦି କୌଣସି ବ୍ୟାଙ୍କ ଖାତାରେ ଥିବା ଟଙ୍କାକୁ ୧୦ ବର୍ଷ ଧରି ଦାବି କରାଯାଇନଥାଏ, ତେବେ ବ୍ୟାଙ୍କ ଏହି ଟଙ୍କାକୁ RBIର ‘ଡିପୋଜିଟର ଏଜୁକେସନ୍ ଆଣ୍ଡ ଆୱେରନେସ୍’ (DEA) ଫଣ୍ଡକୁ ଟ୍ରାନ୍ସଫର କରିଥାଏ। କିନ୍ତୁ ଏହାର ଅର୍ଥ ଟଙ୍କା ହାତଛଡ଼ା ହୋଇଗଲା ନୁହେଁ। ଖାତାଧାରୀ କିମ୍ବା ଯୋଗ୍ୟ ଦାବିଦାର ପରେ ମଧ୍ୟ ସମ୍ପୃକ୍ତ ବ୍ୟାଙ୍କ ନିକଟରେ ଟଙ୍କା ପାଇଁ କ୍ଲେମ୍ କରିପାରିବେ। ଯାଞ୍ଚ ପରେ ଯୋଗ୍ୟ ଦାବିଦାରଙ୍କୁ ବ୍ୟାଙ୍କ ଟଙ୍କା ଫେରାଇ ଦେଇଥାଏ।

ଯଦି କେଉଁ ବ୍ୟାଙ୍କରେ ଟଙ୍କା ଅଛି ମନେ ନାହିଁ? ତେବେ କଣ କରିବେ ?

ଯଦି ଆପଣଙ୍କର ପୁରୁଣା ଖାତା କେଉଁ ବ୍ୟାଙ୍କରେ ଥିଲା ତାହା ମଧ୍ୟ ମନେ ନାହିଁ, ତେବେ RBIର UDGAM ପୋର୍ଟାଲ(Unclaimed Deposits – Gateway to Access inforMation ) ମାଧ୍ୟମରେ ଅନକ୍ଲେମ୍ଡ ଡିପୋଜିଟ୍ ଖୋଜିପାରିବେ। ଏଥିପାଇଁ ନାମ ସହିତ PAN, ଡ୍ରାଇଭିଂ ଲାଇସେନ୍ସ, ଭୋଟର ID, ପାସପୋର୍ଟ କିମ୍ବା ଜନ୍ମତାରିଖ ଭଳି ତଥ୍ୟ ବ୍ୟବହାର କରାଯାଇପାରେ। କିଛି କ୍ଷେତ୍ରରେ ଠିକଣା ଆଧାରରେ ମଧ୍ୟ ଟଙ୍କା ଖୋଜିବାର ସୁବିଧା ରହିଛି। ତେବେ UDGAM ପୋର୍ଟାଲ କେବଳ ଅନକ୍ଲେମ୍ଡ ଟଙ୍କା କେଉଁଠି ଅଛି ତାହା ଖୋଜିବାରେ ସହାୟତା କରେ। ଟଙ୍କା ଫେରିପାଇବା ପାଇଁ ସମ୍ପୃକ୍ତ ବ୍ୟାଙ୍କରେ ହିଁ କ୍ଲେମ୍ କରିବାକୁ ପଡ଼ିବ।

also read-ଖେଳ ଦେଖିବା ସହ ବେଟିଂର ନିଶା! ନିବେଶ ଭାବି ଟଙ୍କା ଲଗାଉଛନ୍ତି ଯୁବପିଢ଼ି

ଇନଅପରେଟିଭ୍ ଖାତା ଚାଲୁ କରିବାକୁ ଚାର୍ଜ ଲାଗିବ କି?

ନା। RBIର ନିୟମ ଅନୁସାରେ, ଇନଅପରେଟିଭ୍ ଖାତାକୁ ପୁଣି ସକ୍ରିୟ କରିବା ପାଇଁ ବ୍ୟାଙ୍କ ଗ୍ରାହକଙ୍କଠାରୁ କୌଣସି ଚାର୍ଜ ନେଇପାରିବେ ନାହିଁ।ତେଣୁ ଆପଣଙ୍କର କୌଣସି ପୁରୁଣା ବ୍ୟାଙ୍କ ଖାତା ଥିଲେ ଏବଂ ଦୀର୍ଘ ସମୟ ଧରି ତାହା ବ୍ୟବହାର କରିନଥିଲେ, ତାହାକୁ ଅଣଦେଖା କରନ୍ତୁ ନାହିଁ। ଖାତାରେ ଟଙ୍କା ଥିଲେ ନିୟମ ଅନୁସାରେ ଆପଣ ଏହାକୁ ପୁଣି ଫେରିପାଇପାରିବେ।