India Forex Reserves: ଦରଦାମ ବଢୁଛି, ଶେୟାର ମାର୍କେଟ୍ ଖସୁଛି। ଏପଟେ ଚାପଯୁକ୍ତ ମହଙ୍ଗା ଆମଦାନୀ ଯୋଗୁ ଉଭୟ ସୁନା ଓ ବୈଦେଶିକ ମୁଦ୍ରା ଭଣ୍ଡାର ଧୀରେ ଧୀରେ ଖାଲି ହେବାରେ ଲାଗିଛି। ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଜାରି ହୋଇଥିବା ନୂଆ ରିପୋର୍ଟରେ କିଛି ଏଭଳି ସୂଚନା ଦିଆଯାଇଛି।

ଆର୍‌ବିଆଇ ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୨ ତାରିଖରେ ଶେଷ ହୋଇଥିବା ସପ୍ତାହରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୧୨.୯୫ ବିଲିୟନ ଡଲାର ହ୍ରାସ ପାଇ ୭୩୪.୬୦ ବିଲିୟନ ଡଲାରକୁ ଖସିଆସିଛି। ବିଦେଶୀ ମୁଦ୍ରା ସମ୍ପତ୍ତି ଏବଂ ସ୍ୱର୍ଣ୍ଣ ଭଣ୍ଡାରରେ ହ୍ରାସ ଯୋଗୁ ଫରେକ୍ସ ରିଜର୍ଭ କମିଛି ବୋଲି ଆର୍‌ବିଆଇ କହିଛି।

ଏହା ପୂର୍ବ ସପ୍ତାହରେ ମଧ୍ୟ ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ହ୍ରାସ ଦେଖିବାକୁ ମିଳିଥିଲା। ସେପ୍ଟେମ୍ବର ୨୫ ତାରିଖରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର ୧୮.୩୪ ବିଲିୟନ ଡଲାର ହ୍ରାସ ପାଇ ୭୪୭.୫୬ ବିଲିୟନ ଡଲାର ରହିଥିଲା।

ସେପ୍ଟେମ୍ବରରେ ଅଲ୍ ଟାଇମ ହାଇରେ ପହଞ୍ଚିଥିଲା ମୁଦ୍ରା ଭଣ୍ଡାର

ତେବେ ସେପ୍ଟେମ୍ବର ମାସରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ଭଲ ପ୍ରଦର୍ଶନ କରିଥିଲା। ସେପ୍ଟେମ୍ବର ୪ ତାରିଖରେ ଶେଷ ହୋଇଥିବା ସପ୍ତାହରେ ଫରେକ୍ସ ରିଜର୍ଭ ୭୮୫.୭୦ ବିଲିଅନ ଡଲାରର ସର୍କାଳୀନ ସର୍ବୋଚ୍ଚ ସ୍ତରରେ ଛୁଇଁଥିଲା। ପ୍ରବାସୀ ଭାରତୀୟଙ୍କ ଠାରୁ ହୋଇଥିବା ପ୍ରବଳ ନଗଦ ପ୍ରବାହ ଯୋଗୁ ଏହି ଫରେକ୍ସ ରିଜର୍ଭ ବଢ଼ିଥିଲା।

ସବୁଠାରୁ ବଡ଼ କଥା ହେଲା ବିଦେଶରେ ରହୁଥିବା ଭାରତୀୟଙ୍କ ଜମା ରାଶି ପାଇଁ ଏକ ସ୍ୱତନ୍ତ୍ର ରିହାତିଯୁକ୍ତ 'ସ୍ୱାପ୍' (swap) ବ୍ୟବସ୍ଥା କରାଯାଇଥିଲା। ଏହା ମାଧ୍ୟମରେ ବ୍ୟାଙ୍କଗୁଡ଼ିକ ପ୍ରାୟ ୧୩୩ ବିଲିୟନ ଡଲାରର ରେକର୍ଡ ପରିମାଣର ପାଣ୍ଠି ସଂଗ୍ରହ କରିଥିଲେ। ଏହି ବ୍ୟାପକ ମୁଦ୍ରା ପ୍ରବାହ ଯୋଗୁ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ୭୮୫.୭୦ ବିଲିୟନ ଡଲାରର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା।


 

Also Read- ଆସନ୍ତା ବର୍ଷ ପର୍ଯ୍ୟନ୍ତ ଘୁଞ୍ଚିପାରେ ନୂଆ ୟୁପିଆଇ ଚାର୍ଜ ନିୟମ ! ପାର୍ବଣ ରୁତୁରେ ବ୍ୟବସାୟୀଙ୍କୁ ମିଳିବ ଫ୍ରି ଟ୍ରାଞ୍ଜାକ୍ସନ ସୁବିଧା: ରିପୋର୍ଟ

ହେଲେ ଶୁକ୍ରବାର ଆର୍‌ବିଆଇ ଜାରି କରିଥିବା ସଦ୍ୟ ଡାଟା ଅନୁସାରେ ଅକ୍ଟୋବର ୨ ତାରିଖରେ ଶେଷ ହୋଇଥିବା ସପ୍ତାହ ପାଇଁ ବିଦେଶୀ ମୁଦ୍ରା ସମ୍ପତ୍ତି ୧୦.୬୬ ବିଲିୟନ୍ ଡଲାର୍ କମି ୬୦୪.୭୪ ବିଲିୟନ୍ ଡଲାର୍‌କୁ ହ୍ରାସ ପାଇଛି। କେବଳ ବିଦେଶୀ ମୁଦ୍ରା ଭଣ୍ଡାର ନୁହେଁ ସପ୍ତାହ ମଧ୍ୟରେ ଦେଶର ସୁନା ଭଣ୍ଡାରରେ ମଧ୍ୟ ବଡ଼ ହ୍ରାସ ଦେଖିବାକୁ ମିଳିଛି।

ରିପୋର୍ଟ ଅନୁସାରେ ସୁନା ଭଣ୍ଡାର ମୂଲ୍ୟ ୨.୨୮ ବିଲିଅନ ଡଲାର ହ୍ରାସ ପାଇ ୧୦୬. ୪୧୩ ବିଲିଅନ ଡଲାରକୁ ଖସିଆସିଛି। ସେହିପରି ସ୍ପେଶାଲ୍ ଡ୍ରଇଂ ରାଇଟ୍ସ (SDR) ୧୫ ମିଲିଅନ ଡଲାର ବୃଦ୍ଧି ପାଇ ୧୮.୬୫ ବିଲିୟନ ଡଲାରରେ ପହଞ୍ଚିଛି। ସେହିପରି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ନିକଟରେ ଭାରତର ସଞ୍ଚୟ ସ୍ଥିତି ୧୫ ମିଲିଅନ ଡଲାର ହ୍ରାସ ପାଇ ୪.୭୮ ବିଲିଅନ ଡଲାର ହୋଇଛି