ନୂଆଦିଲ୍ଲୀ: ଟ୍ରାନ୍ସୟୁନିଅନର ‘ଟପ୍ ଫ୍ରଡ ଟ୍ରେଣ୍ଡସ ରିପୋର୍ଟ’ (Top Fraud Trends Report) ଅନୁଯାୟୀ, ଭାରତରେ ଡିଜିଟାଲ ଠକେଇର ଶିକାର ହେବାର ଆଶଙ୍କା ବିଶ୍ୱରେ ସର୍ବାଧିକ ରହିଛି। ବିଶେଷକରି ଲଜିଷ୍ଟିକ୍ସ, ଟେଲିକମ୍ ଏବଂ ବୀମା କ୍ଷେତ୍ର ଏହି ଠକେଇ ପାଇଁ ଅଧିକ ସମ୍ବେଦନଶୀଳ ବୋଲି ଚିହ୍ନଟ ହୋଇଛି।

ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୨୫ ମସିହାରେ ଭାରତରେ ହୋଇଥିବା ମୋଟ ଡିଜିଟାଲ କାରବାର ମଧ୍ୟରୁ ୭.୧ ପ୍ରତିଶତ ସନ୍ଦିଗ୍ଧ ଠକେଇ ବୋଲି ଜଣାପଡିଛି, ଯାହା ବିଶ୍ୱ ହାର (୩.୮ ପ୍ରତିଶତ) ତୁଳନାରେ ପ୍ରାୟ ଦୁଇଗୁଣ ଅଟେ।

ବିଭିନ୍ନ ଶିଳ୍ପ କ୍ଷେତ୍ରକୁ ତୁଳନା କଲେ, ଲଜିଷ୍ଟିକ୍ସ କ୍ଷେତ୍ରରେ ସର୍ବାଧିକ ୧୬.୩ ପ୍ରତିଶତ ଡିଜିଟାଲ ଠକେଇ ଆଶଙ୍କା ରହିଥିବାବେଳେ, ଟେଲିକମ୍ କ୍ଷେତ୍ରରେ ୧୪.୭ ପ୍ରତିଶତ ଏବଂ ବୀମା କ୍ଷେତ୍ରରେ ୧୧.୫ ପ୍ରତିଶତ ରହିଛି। ଟ୍ରାନ୍ସୟୁନିଅନ ମତରେ, ଏହି କ୍ଷେତ୍ରଗୁଡିକ ରିୟଲଟାଇମ କାରବାର, ବ୍ୟାପକ ନେଟୱର୍କ ଏବଂ ଅଧିକ ସଂଖ୍ୟକ କାରବାର ଉପରେ ନିର୍ଭରଶୀଳ ହୋଇଥିବାରୁ, ପରିଚୟ ଯାଞ୍ଚ ଏବଂ ପ୍ରମାଣୀକରଣରେ ଥିବା ଦୁର୍ବଳତାର ସୁଯୋଗ ନେଇ ଠକମାନେ ଏଠାରେ ସକ୍ରିୟ ରହୁଛନ୍ତି।

Also read- ଆମେରିକୀୟ କମ୍ପାନୀର ଗୋପନୀୟ ତଥ୍ୟ ଚୋରି ଅଭିଯୋଗ, TCS ଦେବ ୨୨୦ ମିଲିୟନ ଡଲାର ଫାଇନ୍ !

ରିପୋର୍ଟରେ ପରିଚୟ ଭିତ୍ତିକ ଠକେଇ ଆଡକୁ ଏକ ବ୍ୟାପକ ପରିବର୍ତ୍ତନ ଘଟୁଥିବା ଉଲ୍ଲେଖ କରାଯାଇଛି, ଯେଉଁଠାରେ ଅପରାଧୀମାନେ ପ୍ରକୃତ ଗ୍ରାହକଙ୍କ ଆକାଉଣ୍ଟକୁ ଟାର୍ଗେଟ କରୁଛନ୍ତି। ବିଶ୍ୱସ୍ତରୀୟ ଯେଉଁ ଟ୍ରେଣ୍ଡ ଦେଖାଯାଉଛି ତାହା ଠାରୁ ଭିନ୍ନ, ଭାରତରେ ଆକାଉଣ୍ଟ ଲଗଇନ୍ (Account Login) ସମୟରେ ଠକେଇର ଆଶଙ୍କା ସର୍ବାଧିକ (୩.୯ ପ୍ରତିଶତ) ରହିଛି। ଏହା ପଛକୁ ଆକାଉଣ୍ଟ ଖୋଲିବା (Account Creation) ସମୟରେ ୩.୧ ପ୍ରତିଶତ ଏବଂ ଆର୍ଥିକ କାରବାର (Financial Transactions) ସମୟରେ ୧.୨ ପ୍ରତିଶତ ଠକେଇ ଆଶଙ୍କା ରହିଛି।

ଏହି ତଥ୍ୟରୁ ସ୍ପଷ୍ଟ ହେଉଛି ଯେ, ଅପରାଧୀମାନେ ବର୍ତ୍ତମାନର ଆକାଉଣ୍ଟଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ହ୍ୟାକ୍ ହୋଇଥିବା କ୍ରେଡେନସିଆଲ୍ସ (compromised credentials) ର ବ୍ୟବହାର ବଢ଼ାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନଙ୍କୁ ଆକାଉଣ୍ଟ ଅନବୋର୍ଡିଂ ଏବଂ ଲଗଇନ୍ ସମୟରେ ପରିଚୟ ଯାଞ୍ଚ ଓ ଠକେଇ ପ୍ରତିରୋଧକ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି।