ନୂଆଦିଲ୍ଲୀ: ଟାଟା କନସଲଟେନ୍ସି ସର୍ଭିସେସ୍ (TCS) କୁ ଆମେରିକାରେ ଚାଲିଥିବା ଏକ ବ୍ୟବସାୟିକ ଗୋପନୀୟତା (Trade Secret) ମାମଲାରେ ବଡ଼ ଝଟ୍‌କା ଲାଗିଛି। ଆମେରିକାର ସର୍ବୋଚ୍ଚ ଅଦାଲତ କମ୍ପାନୀର ସମୀକ୍ଷା ଆବେଦନକୁ ଖାରଜ କରିଦେଇଛନ୍ତି। ଏହି କାରଣରୁ ଟିସିଏସ୍‌କୁ ସମୁଦାୟ ପ୍ରାୟ ୨୨୦ ମିଲିୟନ ଡଲାର (ପ୍ରାୟ ୧,୮୦୦ କୋଟିରୁ ଅଧିକ ଟଙ୍କା) ର ଆର୍ଥିକ କ୍ଷତି ସହିବାକୁ ପଡ଼ିବ। କମ୍ପାନୀ ପକ୍ଷରୁ ଶେୟାର ବଜାର ଏକ୍ସଚେଞ୍ଜ ଫାଇଲିଂରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଆମେରିକା ସୁପ୍ରିମକୋର୍ଟ 'ଡିଏକ୍ସସି ଟେକ୍ନୋଲୋଜି' ପକ୍ଷରେ ଯାଇଥିବା ୧୬୮ ମିଲିୟନ ଡଲାରର କ୍ଷତିପୂରଣ ରାୟକୁ କାଏମ ରଖିଛନ୍ତି । 

କମ୍ପାନୀ ଉପରେ ପଡ଼ିବ ଅତିରିକ୍ତ ଆର୍ଥିକ ବୋଝ

କମ୍ପାନୀ ନିଜ ଫାଇଲିଂରେ ସ୍ପଷ୍ଟ କରିଛି ଯେ, ୧୫ ଜୁନ ୨୦୨୬ ରେ ଆମେରିକା ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଟିସିଏସ୍ ଏହି ମାମଲା ପାଇଁ ନିଜ ଆକାଉଣ୍ଟରେ ପୂର୍ବରୁ ହିଁ ୧୫୦ ମିଲିୟନ ଡଲାରର ବ୍ୟବସ୍ଥା କରି ରଖିଥିଲା। ଏବେ ବର୍ଦ୍ଧିତ କ୍ଷତିପୂରଣ, ସୁଧ ଏବଂ ଆଇନଗତ ଖର୍ଚ୍ଚକୁ ଦୃଷ୍ଟିରେ ରଖି କମ୍ପାନୀକୁ ଆଉ ଅଧିକ ୭୦ ମିଲିୟନ ଡଲାରର ବ୍ୟବସ୍ଥା କରିବାକୁ ହେବ।  ଏହି ଅତିରିକ୍ତ ରାଶିକୁ ଚଳିତ ଆର୍ଥିକ ବର୍ଷ ୨୦୨୭ ର ପ୍ରଥମ ତ୍ରୈମାସିକ ରେ "ୱାନ୍-ଟାଇମ୍ ସ୍ପେଶାଲ ଏକ୍ସପେନ୍ସ" ଭାବେ ଦର୍ଶାଯିବ। 

କଣ ଥିଲା ବିବାଦ ?
ଏହି ଆଇନଗତ ବିବାଦ ୨୦୧୯ ମସିହାରେ ଆମେରିକାର ଡଲାସ୍ ସ୍ଥିତ ଏକ ଫେଡେରାଲ କୋର୍ଟରେ ଆରମ୍ଭ ହୋଇଥିଲା। 'ଡିଏକ୍ସସି ଟେକ୍ନୋଲୋଜି'ର ପୂର୍ବତନ ସହଯୋଗୀ କମ୍ପାନୀ 'କମ୍ପ୍ୟୁଟର ସାଇନ୍ସେସ୍ କର୍ପୋରେସନ' (CSC) ଟିସିଏସ୍ ବିରୋଧରେ ଏହି ମାମଲା ଦାୟର କରିଥିଲା। ଟିସିଏସ୍ ଆମେରିକାର ପ୍ରସିଦ୍ଧ ବୀମା କମ୍ପାନୀ 'ଟ୍ରାନ୍ସଆମେରିକା' ର ପ୍ରାୟ ୨,୨୦୦ କର୍ମଚାରୀଙ୍କୁ ନିଜ କମ୍ପାନୀରେ ଚାକିରି ଦେଇଥିଲା। ଏହାପରେ ସେହି କର୍ମଚାରୀମାନଙ୍କ ପାଖରେ ଥିବା ଡିଏକ୍ସସି କମ୍ପାନୀର ଆଭ୍ୟନ୍ତରୀଣ ଗୋପନୀୟ ତଥ୍ୟ ବା ସିକ୍ରେଟ୍ସ ବ୍ୟବହାର କରି ଟିସିଏସ୍ ନିଜର ଏକ ପ୍ରତିଦ୍ୱନ୍ଦ୍ୱୀ ଲାଇଫ୍ ଇନସ୍ୟୁରାନ୍ସ ପ୍ଲାଟଫର୍ମ (ସଫ୍ଟୱେର୍) ପ୍ରସ୍ତୁତ କରିଥିଲା।

ଏହି ମାମଲାରେ ପୂର୍ବରୁ ମଧ୍ୟ ଟିସିଏସ୍ ବିପକ୍ଷରେ କୋର୍ଟ ନିଷ୍ପତ୍ତି ଶୁଣାଇ ସାରିଥିଲେ । ଟିସିଏସ୍‌କୁ ଜାଣିଶୁଣି ଟ୍ରେଡ୍ ସିକ୍ରେଟ୍ ବ୍ୟବହାର କରିଥିବା ଅପରାଧରେ ୨୧୦ ମିଲିୟନ ଡଲାର ଜରିମାନା କରିଥିଲେ। ପରେ ୟୁଏସ୍ ଡିଷ୍ଟ୍ରିକ୍ଟ ଜଜ୍ ବ୍ରେଣ୍ଟଲି ଷ୍ଟାର ଏହାକୁ କମାଇ ୧୬୮ ମିଲିୟନ ଡଲାର କରିଥିଲେ  । 

ଟିସିଏସ୍‌ର ଯୁକ୍ତି ଓ ସୁପ୍ରିମକୋର୍ଟଙ୍କ ଆଭିମୁଖ୍ୟ
ଟିସିଏସ୍ ପକ୍ଷରୁ ଆମେରିକା ସୁପ୍ରିମକୋର୍ଟରେ ଦସ୍ତାବିଜ ଦିଆଯାଇଥିଲା ଯେ, ବିରୋଧୀ କମ୍ପାନୀ ନିଜର ପ୍ରକୃତ ଆର୍ଥିକ କ୍ଷତିର କୌଣସି ଦୃଢ଼ ପ୍ରମାଣ ଉପସ୍ଥାପନ କରିନାହିଁ। ତେଣୁ ଏତେ ବଡ଼ ପରିମାଣର କ୍ଷତିପୂରଣ ଏବଂ ଦଣ୍ଡମୂଳକ ଜରିମାନା ଆଦାୟ କରାଯିବା ଅନୁଚିତ। ତେବେ ସୁପ୍ରିମକୋର୍ଟ କମ୍ପାନୀର ଏହି ଯୁକ୍ତିକୁ ଗ୍ରହଣ ନକରି ଆବେଦନକୁ ଖାରଜ କରିଦେଇଛନ୍ତି, ଫଳରେ ଟିସିଏସ୍ ପାଇଁ ଆଇନଗତ ଲଢ଼େଇର ସମସ୍ତ ରାସ୍ତା ବନ୍ଦ ହୋଇଯାଇଛି ଏବଂ କମ୍ପାନୀକୁ ଏହି ବିପୁଳ ଧନରାଶି ପୈଠ କରିବାକୁ ପଡ଼ିବ।