ନୂଆଦିଲ୍ଲୀ: ପ୍ରଥମେ ଦେଖା, ତାପରେ ପ୍ରେମ ଆଉ ଶେଷରେ ମର୍ଡର। ଆମେରିକାରେ ୧୯ ବର୍ଷୀୟା ଯୁବତୀଙ୍କୁ ହତ୍ୟା ଅଭିଯୋଗରେ ଭାରତୀୟ ଯୁବକ ଗିରଫ। ଆମେରିକାର ଆରିଜୋନାରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା। ହତ୍ୟା ପରେ ଆମେରିକାରୁ ଖସି ପଳାଇବା ବେଳେ ଧରାପଡ଼ିଛନ୍ତି ଅଭିଯୁକ୍ତ। ତାଙ୍କର ନାଁ ବରୁଣ ବାଚିଗାରୀ।

ଆରିଜୋନାର ଟକ୍ସନରେ ଚାଞ୍ଚଲ୍ୟ। ୟୁନିଭର୍ସିଟି ଅଫ୍ ଆରିଜୋନା ନିକଟସ୍ଥ ନିଜ ଆପାର୍ଟମେଣ୍ଟରୁ ୧୯ ବର୍ଷୀୟା କଲେଜ ଛାତ୍ରୀ ଜୁଲିସା ରୁବି ସାଲାଜାର ରହୁଥିଲେ। କିନ୍ତୁ ଘର ଲୋକ ଫୋନ କରିବା ପରେ ସେ ଫୋନ୍ ନଉଠାଇବାରୁ ସନ୍ଦେହ ବଢ଼ିଥିଲା। ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ତାଙ୍କ ଆପାର୍ଟମେଣ୍ଟରେ ୱେଲଫେୟାର ଚେକ୍ କରିଥିଲା। ସେଠାରେ ଜୁଲିସାଙ୍କୁ ଅଚେତ ଅବସ୍ଥାରେ ପାଇଥିଲା ପୋଲିସ। ତାଙ୍କ ଶରୀରରେ ଆଘାତର ଚିହ୍ନ ମଧ୍ୟ ଥିଲା।

ତଦନ୍ତ ଆଗକୁ ବଢ଼ିବା ପରେ ଜୁଲିସାଙ୍କ ବୟଫ୍ରେଣ୍ଡ ବରୁଣ ବାଚିଗାରୀ ପୋଲିସର ସନ୍ଦେହ ଘେରକୁ ଆସିଥିଲେ। ଆମେରିକୀୟ ମିଡିଆ ରିପୋର୍ଟ ଅନୁସାରେ, ତଦନ୍ତକାରୀମାନେ ସନ୍ଦେହ କରୁଛନ୍ତି ଯେ ବରୁଣ ଜୁଲିସାଙ୍କ ଫୋନ୍ ଏବଂ କ୍ରେଡିଟ୍ କାର୍ଡ ନେଇଯାଇଥିଲେ। ଏପରିକି ଜୁଲିସାଙ୍କ ମାଆଙ୍କ ନିକଟକୁ ତାଙ୍କ ଫୋନରୁ ଅନେକ ମେସେଜ୍ ମଧ୍ୟ ପଠାଯାଇଥିଲେ।

ପୋଲିସ ଓ ଫେଡେରାଲ ଏଜେନ୍ସିଙ୍କ ତଦନ୍ତ ଅନୁସାରେ, ବରୁଣ ପ୍ରଥମେ ଟକ୍ସନ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପହଞ୍ଚିଥିଲେ। ସେଠାରୁ ହ୍ୟୁଷ୍ଟନ୍ ଯାଇଥିଲେ। ପରେ ହ୍ୟୁଷ୍ଟନରୁ ବର୍ଲିନ୍, ଜର୍ମାନୀ ଅଭିମୁଖେ ବିମାନ ଧରିଥିଲେ। ତାଙ୍କ ଗତିବିଧିକୁ ଟ୍ରାକ୍ କରିଥିଲେ ଆମେରିକୀୟ ଅଧିକାରୀ। ଶେଷରେ ବରୁଣଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଥିଲା। ବର୍ଲିନରେ ପହଞ୍ଚିବା ପରେ ତାଙ୍କୁ ହେପାଜତକୁ ନିଆଯାଇଛି।

ଅଧିକାରୀଙ୍କ ସୂଚନା ଅନୁସାରେ, ବରୁଣ ଭାରତ ଫେରିବାକୁ ଉଦ୍ୟମ କରୁଥିବା ଆଶଙ୍କା କରାଯାଉଛି। ତାଙ୍କୁ ଆରିଜୋନାକୁ ପ୍ରତ୍ୟର୍ପଣ କରାଯିବାର ସମ୍ଭାବନା ରହିଛି। ପରେ ପିମା କାଉଣ୍ଟି ଏଡଲ୍ଟ ଡିଟେନସନରେ ରଖାଯାଇ ତାଙ୍କ ବିରୋଧରେ ହତ୍ୟା ମାମଲା ଚାଲିପାରେ।

ରିପୋର୍ଟ ଅନୁସାରେ, ମେ ମାସରେ ତାଙ୍କ ବିରୋଧରେ ପିମା କାଉଣ୍ଟି କୋର୍ଟରେ ଏକ ଅସଦାଚରଣ ମାମଲା ବିଚାରାଧୀନ ଥିଲା। ମାରପିଟ୍ ଘଟଣା ପରେ ବରୁଣଙ୍କୁ ୟୁନିଭର୍ସିଟି ଅଫ୍ ଆରିଜୋନାରୁ ବହିଷ୍କାର କରାଯାଇଥିବା ଜଣାପଡ଼ିଛି। ସେଠାରେ ସେ ବିଜନେସ୍ ଆନାଲିଟିକ୍ସ ପଢ଼ୁଥିଲେ।

ତଦନ୍ତରୁ ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଶାରୀରିକ ନିର୍ଯାତନା ଓ ଯୌନ ଆକ୍ରମଣର ଅଭିଯୋଗ ଯୋଗୁଁ ଜୁଲିସା ବରୁଣଙ୍କ ସହ ସମ୍ପର୍କ ଶେଷ କରିବାକୁ ଚାହୁଁଥିଲେ। ଅଗଷ୍ଟ ୫ ତାରିଖରେ ଜୁଲିସାଙ୍କ ରୁମ୍ରୁ ଜୋରରେ ଚିତ୍କାର ଶୁଣାଯାଇଥିବା ମଧ୍ୟ କୁହାଯାଉଛି। ସହକର୍ମୀମାନେ ତାଙ୍କ ସୁରକ୍ଷା ବିଷୟରେ ପଚାରିବାରୁ, ସେ କେବଳ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା କହିଥିଲେ।

also read- ଆତ୍ମ ସମର୍ପଣ କଲେ ଟ୍ରମ୍ପ୍, ହାରିଲା ଆମେରିକା ! ଇରାନର ସବୁ ସର୍ତ୍ତ ମାନିବାକୁ ରାଜି ୟୁଏସଏ

ଏହି ଘଟଣାର କିଛି ସମୟ ପୂର୍ବରୁ ବରୁଣ ଚାକିରି ମଧ୍ୟ ହରାଇଥିବା ଜଣାପଡ଼ିଛି। ଫଳରେ ଭଡ଼ା ଦେବାରେ ତାଙ୍କ ସମସ୍ୟା ହେଉଥିଲା। ଏପରିକି ତାଙ୍କ ଇମିଗ୍ରେସନ୍ ଷ୍ଟାଟସ୍ ମଧ୍ୟ ବିପଦରେ ପଡ଼ିଥିଲା ବୋଲି ରିପୋର୍ଟରେ କୁହାଯାଇଛି। ତେବେ ଏସବୁ କାରଣ ହତ୍ୟା ସହ ଜଡ଼ିତ କି ନାହିଁ, ସେନେଇ ଅଧିକାରୀମାନେ ଏଯାଏଁ କୌଣସି ସ୍ପଷ୍ଟ ମତ ଦେଇନାହାନ୍ତି।