ନୂଆଦିଲ୍ଲୀ,୧୦/୦୮:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଉଁ ଉଦ୍ଦେଶ୍ୟ ନେଇ ଇରାନ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିଲେ ତାହା ସଫଳ ହୋଇପାରିଲା ନାହିଁ । ବରଂ ଇରାନ ଯୁଦ୍ଧ ଆହୁରି ଆଗକୁ ଟାଣିବାରେ ଲାଗିଛି। ତେଣୁ ଏଥିରୁ ବର୍ତ୍ତିବାକୁ ଟ୍ରମ୍ପ ବାଟ ଖୋଜୁଛନ୍ତି । ବର୍ତ୍ତମାନ ସେ ଚାହୁଁଛନ୍ତି ଇରାନ ପୂର୍ବଭଳି ହୋର୍ମୁଜ ପ୍ରଣାଳୀକୁ ଖୋଲୁ । ଯାହାଫଳରେ ଇରାନ ସହ ପରମାଣୁ ବୁଝାମଣାରୁ ସେ ଓହରିଯିବେ। ଏଥିସହ ଇରାନ ବିରୋଧରେ ଆମେରିକା ଯୁଦ୍ଧ ବିଜୟୀ ହେଲା ବୋଲି ଘୋଷଣା କରିବେ।

ଦି ୱାଲ ଷ୍ଟ୍ରିଟ୍ ଜର୍ଣାଲ ଏଭଳି ଖବର ପ୍ରକାଶ କରିଛି। ସେଥିରେ କୁହାଯାଇଛି କି ଟ୍ରମ୍ପ ବ୍ୟକ୍ତିଗତ ଭାବେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି। ସେମାନଙ୍କ ସହ ଇରାନ ଯୁଦ୍ଧରୁ ଖସିବାର ବାଟ ଖୋଜୁଛନ୍ତି। ଇରାନ ଯଦି ହୋର୍ମୁଜକୁ ପୂର୍ବଭଳି ସମ୍ପୂର୍ଣ୍ଣ ଖୋଲିବ ତେବେ ସେ ପରମାଣୁ ବୁଝାମଣା ପ୍ରସଙ୍ଗରୁ ଓହରିଯିବେ ବୋଲି ମଧ୍ୟ ସେମାନଙ୍କୁ ଟ୍ରମ୍ପ ସଙ୍କେତ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ୨୦୨୫ ମେ'ରେ ଇରାନର ୩ଟି ଆଣବିକ କେନ୍ଦ୍ର ଉପରେ ଆକ୍ରମଣ କରି ତାକୁ ସମ୍ପୂର୍ଣ ନଷ୍ଟ କରିଦିଆଯାଇଛି । ତେଣୁ ଇଗନ ଆଉ ପରମାଣୁ କାର୍ଯ୍ୟ ଆରମ୍ଭ କରିବା ଭଳି ସ୍ଥିତିରେ ନାହିଁ। ଇରାନ ଆଣବିକ କେନ୍ଦ୍ରର ପୁନଃନିର୍ମାଣ କିମ୍ବା ଗୋପନରେ ପରମାଣୁ କାର୍ଯ୍ୟକ୍ରମ ଜାରି ରଖିଥିବା ନେଇ ଗୁଇନ୍ଦା ସୂଚନା ମିଳିନାହିଁ। ସେହିଭଳି ଇରାନର ସମୃଦ୍ଧ ୟୁରାନିୟମ କିମ୍ବା ସୁରନିୟମ ଭଣ୍ଡାରକୁ ନେଇ ଚିନ୍ତାର କୌଣସି କାରଣ ନାହିଁ ବୋଲି ଟ୍ରମ୍ପ ଅଧିକାରୀଙ୍କୁ କହିଛନ୍ତି। କିନ୍ତୁ ଇରାନ ପରମାଣୁ କାର୍ଯ୍ୟକ୍ରମ ଜାରି ରଖିଥିବା ଅଭିଯୋଗ ଆଣି ଟ୍ରମ୍ପ ଗତ ଫେବ୍ରୁଆରୀ ୨୮ରେ ଇସ୍ରାଏଲ ସହ ମିଶି ତେହରାନରେ ପ୍ରଚଣ୍ଡ ଆକ୍ରମଣ କରିଥିଲେ।

ତେବେ ଟ୍ରମ୍ପଙ୍କ ପାଇଁ ହୋର୍ମୁଜ ଖୋଲିବା ଏତେ ସହଜ ହେବନାହିଁ। କାରଣ ହୋର୍ମୁଜ ଖୋଲିବା ଲାଗି ଇରାନ ତାର ସର୍ତ୍ତରେ ଏକ ଲମ୍ବା ତାଲିକା ପ୍ରଦାନ କରିଛି। ସେଥିରେ ଯୁଦ୍ଧଜନିତ କ୍ଷତିଭରଣା ଲାଗି କୋଟି କୋଟି ଡଲାର ସହାୟତା,ଜବତ ହୋଇଥିବା ସମସ୍ତ ପାଣ୍ଠି ଫେରସ୍ତ,ସବୁ ବାସନ୍ଦ ଉଠାଇବା,ଆମେରିକା ନୌସେନା ଅବରୋଧ ହଟାଇବା,ମଧ୍ୟପ୍ରାଚ୍ୟରୁ ଆମେରିକା ସେନା ପ୍ରତ୍ୟାହାର ସମେତ ଆହୁରି କେତେକ ସର୍ତ୍ତ ରହିଛି। ଯଦି ଏହି ସର୍ତ୍ତ ପୂରଣ ନ ହେବ ତେବେ ହୋର୍ମୁଜ ଖୋଲିବ ନାହିଁ ବୋଲି ଇରାନ ରୋକଠୋକ୍ ଜଣାଇଦେଇଛି। ଏପରିକି ଯୁଦ୍ଧ ଯେତେଦିନ ପର୍ଯ୍ୟନ୍ତ ଚାଲିବାର କଥା ଚାଲୁ ବୋଲି ଇରାନ ପରୋକ୍ଷରେ ଚେତାବନୀ ମଧ୍ୟ ଦେଇଛି। କିନ୍ତୁ ଟ୍ରମ୍ପ ଯୁଦ୍ଧକୁ ଆଉ ଅଧିକ ଦିନ ପର୍ଯ୍ୟନ୍ତ ବଢ଼ାଇବାକୁ ଚାହୁଁ ନାହାନ୍ତି। ତେଣୁ କୌଣସି ମତେ ଇରାନ ସହ ବୁଝାମଣା କରି ଏଥିରୁ ଖସିବାକୁ ସେ ଚାହୁଁଛନ୍ତି।

Also Read :- ଭାରତରୁ ରୁଷକୁ ଚାଲିବ ଟ୍ରେନ୍, ସିଧାସଳଖ ନୂଆଦିଲ୍ଲୀରୁ ମସ୍କୋକୁ କରିହେବ ଯାତ୍ରା !

ହୋର୍ମୁଜରେ ଇରାନ ତାର ଆଧିପତ୍ୟ ବଜାୟ ରଖିଛି । ମିସାଇଲ୍ ଓ ଡ୍ରୋନ ଆକ୍ରମଣ ମାଧ୍ୟମରେ ସେହି ଜଳମାର୍ଗରେ ଚଳାଚଳ କରୁଥିବା ଜାହାଜ ଓ ଟ୍ୟାଙ୍କରକୁ ରୋକିବାରେ ସକ୍ଷମ ହୋଇଛି। ହୋର୍ମୁଜ ଖୋଲିବାକୁ ଆମେରିକାର ସବୁ ଉଦ୍ୟମ ବିଫଳ ହୋଇଛି। ହୋର୍ମୁଜରେ ଅଚଳାବସ୍ଥା ଯୋଗୁ ବିଶ୍ୱ ତୈଳ ବଜାରରେ ଘୋର ସଙ୍କଟ ଦେଖାଦେଇଛି। ଟ୍ରମ୍ପ ବାରମ୍ବାର କହୁଛନ୍ତି କି ହୋର୍ମୁଜ ସମ୍ପୂର୍ଣ ଖୋଲା ରହିଛି। ବାଣିଜ୍ୟିକ ଜାହାଜ ଚଳାଚଳ କରୁଛି। କିନ୍ତୁ ବାସ୍ତବ ଚିତ୍ର ଅଲଗା। ଇରାନର ମିସାଇଲ୍ ଓ ଡ୍ରୋନ ଆକ୍ରମଣକୁ ଡରି କୌଣସି ଜାହାଜ ହୋର୍ମୁଜରେ ଚଳାଚଳ କରିବାକୁ ସାହସ କରୁନାହାନ୍ତିIହୋର୍ମୁଜରେ ଅଚଳାବସ୍ଥା ଟ୍ରମ୍ପଙ୍କ ପାଇଁ ସମସ୍ୟାର କାରଣ ପାଲଟିଛି।

ଆମେରିକାରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନକୁ ଆଉ ୩ମାସ ବାକି ରହିଛି। ତେଣୁ କୌଣସି ମତେ ହୋର୍ମୁଜ ଖୋଲିଗଲେ ଯୁଦ୍ଧର ଲକ୍ଷ୍ୟ ସାଧିତ ହୋଇଛି ବୋଲି ଦର୍ଶାଇ ଟ୍ରମ୍ପ ଦେଶବାସୀଙ୍କ ବିଶ୍ଵାସ ହାସଲ କରିବାକୁ ଆଶା ରଖିଛନ୍ତି। ହେଲେ ଇରାନର ସବୁ ସର୍ତ୍ତ ମାନିବା ତାଙ୍କ ପକ୍ଷେ ସମ୍ଭବ ହେବନାହିଁ । କାରଣ କିଛିଦିନ ତଳେ ଟ୍ରମ୍ପ ଇରାନର ଯୁଦ୍ଧ କ୍ଷତିଭରଣା ସହାୟତାକୁ ବିରୋଧ କରିଥିଲେ। କହିଥିଲେ ଆମେରିକା ନାଗରିକଙ୍କ ଟିକସ ଅର୍ଥ ସେ ଇରାନକୁ ଆଦୌ ଦେବେ ନାହିଁ ।