ନୂଆଦିଲ୍ଲୀ: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଭାରତୀୟ ବଜାର ଏବଂ ସାଧାରଣ ଖାଉଟିଙ୍କ ପକେଟ ଉପରେ ପଡ଼ିବା ଆରମ୍ଭ କଲାଣି। ଗ୍ୟାସ ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ଆସିଛି ଆଉ ଏକ ଚିନ୍ତାଜନକ ଖବର। ମଙ୍ଗଳବାର ଭାରତୀୟ ମୁଦ୍ରା ଇତିହାସର ସବୁଠାରୁ ଖରାପ ସମୟରେ ପହଞ୍ଚିଛି। କାରଣ ଡଲାର ତୁଳନାରେ ମୁଦ୍ରା ୯୫.୪୩ ଟଙ୍କାର ରେକର୍ଡ ନିମ୍ନ ସ୍ତରରେ ପହଞ୍ଚିଛି। ଏହି ହ୍ରାସ କେବଳ ଏକ ସଂଖ୍ୟା ନୁହେଁ ବରଂ ଦେଶର ଅର୍ଥବ୍ୟବସ୍ଥା ପାଇଁ ଏକ ବଡ଼ ଚେତାବନୀ। ଦୁନିଆର ଅନେକ ମାର୍କେଟ ଏହାକୁ ନେଇ ଭୟଭୀତ ଅଛନ୍ତି। ଖାଲି ସେତିକି ନୁହେଁ ମୁଦ୍ରା ସ୍ଥିତି କେବେ ସୁଧୁରିବ ତାହାକୁ ନେଇ ଚିନ୍ତା।

ହର୍ମୁଜ ସଂକଟ: ଅଶୋଧିତ ତେଲ ବିଗାଡ଼ିଲା ବଜେଟ

ଟଙ୍କାର ଏହି ଐତିହାସିକ ହ୍ରାସ ପଛରେ ସବୁଠୁ ବଡ଼ ଅନ୍ତର୍ଜାତୀୟ କାରଣ ହେଉଛି ‘ଷ୍ଟ୍ରେଟ ଅଫ୍ ହର୍ମୁଜ’ ଉପରେ ନିୟନ୍ତ୍ରଣକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଜାରି ସଂଘର୍ଷ। ଏହି ସାମୁଦ୍ରିକ ରାସ୍ତା ଦୁନିଆର ତେଲ ଏବଂ ଗ୍ୟାସ ଯୋଗାଣ ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ। ହେଲେ ଯୁଦ୍ଧ କାରଣରୁ ଏହି ରାସ୍ତାରେ ଯୋଗାଣ ବାଧା ପ୍ରାପ୍ତ ହୋଇଛି। ଫଳରେ ଅଶୋଧିତ ତେଲ ଦାମ ପ୍ରତି ବ୍ୟାରେଲ ୧୧୫ ଡଲାର ଟପିଛି।

କୋଟକ ସିକ୍ୟୁରିଟିଜ ଆଣ୍ଡ୍ ରିସର୍ଚ୍ଚ ହେଡ (କମୋଡିଟି ଆଣ୍ଡ୍ କରେନ୍ସୀ) ଅନିନ୍ଦ୍ୟ ବାନାର୍ଜୀ କହିଛନ୍ତି, ହର୍ମୁଜ ସଙ୍କଟ ହିଁ କଞ୍ଚା ତେଲ ଦାମ ନିର୍ଦ୍ଧାରିତ କରିବାରେ ସବୁଠୁ ବଡ଼ କାରକ। ମହଙ୍ଗା ତେଲ ଭାରତ ପାଇଁ ‘ବୋଝ ଉପରେ ନଳିତା ବିଡ଼ା’ ହୋଇଛି। ସେ ଆହୁରି କହିଛନ୍ତି ଯୁଦ୍ଧ ପୂର୍ବରୁ ଭାରତ ପ୍ରତିମାସରେ ତେଲ ଆମଦାନୀ ଉପରେ ପ୍ରାୟ ୧୦-୧୧ ବିଲିୟନ ଡଲାର ଖର୍ଚ୍ଚ କରୁଥିଲା। କିନ୍ତୁ ଏବେ ଖର୍ଚ୍ଚ ୭୦- ୮୦% ବଢ଼ିଛି। ସ୍ପଷ୍ଟ ଭାବରେ କହିଲେ ତେଲ ମାତ୍ରା ସେତିକି ଅଛି କିନ୍ତୁ ତା’କୁ କିଣିବା ପାଇଁ ଏବେ ପୂର୍ବ ତୁଳନରେ ଅଧିକ ଡଲାର ଦେବାକୁ ପଡ଼ୁଛି। ଯେତେବେଳେ ଦେଶରୁ ଅଧିକ ଡଲାର ବାହାରକୁ ଯାଏ, ସେତେବେଳେ ଟଙ୍କା ଦୁର୍ବଳ ହୋଇଥାଏ।

ବିଦେଶୀ ନିବେଶକ କାଢ଼ି ନେଉଛନ୍ତି ପୁଞ୍ଜି

ଟଙ୍କା ଦୁର୍ବଳ ହେବାର ଆଉ ଏକ କାରଣ ହେଉଛି ବିଦେଶୀ ପୋର୍ଟଫୋଲିଓ ନିବେଶକ (FPI) ମଧ୍ୟରେ ଅନିଶ୍ଚିତତା। ଯେତେବେଳେ ଦୁନିଆର କୌଣସି ଯୁଦ୍ଧ ବା ଅନିଶ୍ଚିତତା ସୃଷ୍ଟି ହୋଇଥାଏ। ସେତେବେଳେ ନିବେଶକ ରିସ୍କ ନେଇନଥାନ୍ତି ଏବଂ ଭାରତ ଭଳି ବିକାଶଶୀଳ ବଜାରରୁ ଟଙ୍କା ପ୍ରତ୍ୟାହାର କରିଥାନ୍ତି। ଏହା ବଦଳରେ ସେମାନେ ନିବେଶକୁ ଅଧିକ ସୁରକ୍ଷିତ ସ୍ଥାନରେ ନିବେଶ କରିଥାନ୍ତି। ସେମାନେ ସୁନା ଏବଂ ଆମେରିକା ଡଲାରରେ ନିବେଶ କରିଥାନ୍ତି।

ଅନିନ୍ଦ୍ୟ ବାନାଜୀ କହିଛନ୍ତି ଯୁଦ୍ଧ ଆରମ୍ଭ ହେବା ପରଠାରୁ ବିଦେଶୀ ନିବେଶକ ଭାରତୀୟ ବଜାରରୁ ପ୍ରାୟ ୨୧ ବିଲିୟନ ଡଲାର ଅର୍ଥାତ ୧.୮ ଲକ୍ଷ କୋଟି ଟଙ୍କା କାଢ଼ିନେଲେଣି। ଯେତେବେଳେ ଏତେ ବଡ଼ ଆକାରରେ ଡଲାର ଦେଶରୁ ବାହାରକୁ ଯାଇଥାଏ, ସେତେବେଳେ ଡଲାର ହ୍ରାସ ପାଇଁ ଏବଂ ଟଙ୍କା ଲଗାତାର ଦୁର୍ବଳ ପଡ଼ିଥାଏ। ଏହି କାରଣରୁ ଡଲାର ଇଣ୍ଡେକ୍ସ ୯୮. ୨୬ ସ୍ତରରେ ପହଞ୍ଚିଛି। ଯାହା ଆମେରିକା କରେନ୍ସୀକୁ ମଜଭୁତକୁ ଦର୍ଶାଉଛି।

ସ୍ଥିତି ସମ୍ଭାଳିବାକୁ ଆରବିଆଇ ଜାରି ରଖିଛି ପ୍ରଚେଷ୍ଟା

ଏଭଳି ପ୍ରତିକୂଳ ପରିସ୍ଥିତିରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଟଙ୍କା ମୂଲ୍ୟ ସ୍ଥିର କରିବା ପାଇଁ ଯଥାସମ୍ଭବ ପ୍ରୟାସ କରୁଛି। ମଙ୍ଗଳବାର ଡଲାର ତୁଳନାରେ ଟଙ୍କା ୯୫.୪୩ରେ ପହଞ୍ଚିବା ପରେ RBI ନିର୍ଦ୍ଦେଶ ଅନୁଯାୟୀ, ସରକାରୀ ବ୍ୟାଙ୍କଗୁଡ଼ିକ ବଜାରରେ ବିପୁଳ ପରିମାଣର ଡଲାର ବିକ୍ରି କରିଥିଲେ। ଯାହାର ସ୍ପଷ୍ଟ ଉଦ୍ଦେଶ୍ୟ ଥିଲା ଟଙ୍କାକୁ ଆଉ ଅଧିକ ତଳକୁ ଖସିବାରୁ ରୋକିବା।

ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, HDFC ସିକ୍ୟୁରିଟିଜ୍ର ବରିଷ୍ଠ ଗବେଷଣା ବିଶ୍ଲେଷକ ଦିଲୀପ ପରମାର କହିଛନ୍ତି ଯେ, ଡଲାରର ଚାହିଦା ବୃଦ୍ଧି ପାଉଥିବାରୁ ଟଙ୍କା ଉପରେ ଚାପ ପଡ଼ିବ। ନିକଟ ଭବିଷ୍ୟତରେ ଡଲାର ତୁଳନାରେ ଟଙ୍କା ୯୫.୭୦ରେ ପହଞ୍ଚିପାରେ। ଭାରତୀୟ ରିଜର୍ଭ ବ୍ୟାଙ୍କ ଯୋଗୁ ବଡ଼ ହ୍ରାସକୁ ରୋକାଯାଇପାରିଛି। ନଚେତ୍ ପରିସ୍ଥିତି ଆହୁରି ଖରାପ ହୋଇପାରେ।