ନୂଆଦିଲ୍ଲୀ: ଏଲିପିଜି ଯୋଗାଣ ନେଇ ଆରବ ଦେଶଗୁଡ଼ିକ ଉପରେ ନିର୍ଭରଶୀଳତା କମାଇବାକୁ ଭାରତ ଏବେ ନୂଆ ବିକଳ୍ପ ଖୋଜୁଥିବା ବେଳେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (IOC) ଏକ ବଡ଼ ଡିଲ କରିଛି। ଏଲପିଜି ଯୋଗାଣ ପାଇଁ କମ୍ପାନୀ ଆଲଜେରିଆର ସରକାରୀ କମ୍ପାନୀ ସୋନାଟ୍ରାକ୍ (Sonatrach) ସହ ଚୁକ୍ତି କରିଛି। ୨୦୨୭ ପାଇଁ ଏହି ଆମଦାନୀ ଚୁକ୍ତି ହୋଇଛି। ତେଣୁ ଆସନ୍ତା ବର୍ଷ ଆଉ ଏଲିପିଜି ଗ୍ୟାସ ସମସ୍ୟା ରହିବ ନାହିଁ।

ଚୁକ୍ତି ଅନୁସାରେ, ଆଲଜେରିଆରୁ ପ୍ରତି ମାସରେ ପ୍ରାୟ ୪୫ ହଜାରରୁ ୫୫ ହଜାର ଟନ୍ ଏଲିପିଜି ଭାରତକୁ ପଠାଇବ। ଏହି ଗ୍ୟାସ୍ରେ ପ୍ରୋପେନ୍ ଓ ବ୍ୟୁଟେନ୍ର ମିଶ୍ରଣ ରହିବ। ଏହା ମାଧ୍ୟମରେ ଭାରତ ନିଜର LPG ଆମଦାନି ସ୍ରୋତକୁ ଅଧିକ ବିବିଧ କରିବାକୁ ଚାହୁଁଛି।

ସାଉଦି ଆରାମକୋ ତୁଳନାରେ ଶସ୍ତା ପଡ଼ିବ ଗ୍ୟାସ୍

ରିପୋର୍ଟ ଅନୁସାରେ, ଆଲଜେରିଆରୁ ମିଳୁଥିବା LPGର ଦର ସାଉଦି କମ୍ପାନୀ ଆରାମକୋରୁ କିଣାଯାଉଥିବା LPG ତୁଳନାରେ କମ୍ ରହିଛି। ଫଳରେ ଭାରତ ପାଇଁ ଏହି ଆମଦାନି ତୁଳନାତ୍ମକ ଭାବେ ଶସ୍ତା ପଡ଼ିପାରେ। ଏହି ଚୁକ୍ତି ଫ୍ରି-ଅନ୍-ବୋର୍ଡ (FOB) ଆଧାରରେ ହୋଇଛି। ଅର୍ଥାତ୍, ଆଲଜେରିଆରେ ଜାହାଜରେ LPG ଲୋଡ୍ ହେବା ପରେ ତାହାର ପରବର୍ତ୍ତୀ ପରିବହନ ଓ ଅନ୍ୟାନ୍ୟ ଦାୟିତ୍ୱ ଇଣ୍ଡିଆ ଅଏଲ୍ର ରହିବ। ଭାରତ ଚଳିତ ବର୍ଷ ଜୁନ୍ରୁ ଆଲଜେରିଆରୁ ପୁଣି ଏଲିପିଜି ଆମଦାନି ଆରମ୍ଭ କରିଛି। ଏଲଏସଇଜି ତଥ୍ୟ ଅନୁସାରେ, ଅଗଷ୍ଟରେ ଆଲଜେରିଆରୁ ପ୍ରାୟ ୧.୧୦ ଲକ୍ଷ ଟନ୍ LPG ଭାରତକୁ ଆସିବାର ଆଶା ରହିଛି।

Also Read- ରୁଫଟପ୍ ସୋଲାର କ୍ଷେତ୍ରରେ ଦେଶରେ ୭ମ ସ୍ଥାନରେ ଓଡ଼ିଶା, ପିଏମ୍ ସୂର୍ଯ୍ୟ ଘର ଆପଣାଇବାରେ ପାଲଟିଲା ମଡେଲ ରାଜ୍ୟ

ଆମେରିକାରୁ ବଢ଼ିବ LPG ଆମଦାନି

ଖାଡ଼ି ଅଞ୍ଚଳରୁ ଯୋଗାଣରେ ବାଧା ଆଶଙ୍କା ଥିବାରୁ ଭାରତ ଆମେରିକାରୁ ମଧ୍ୟ LPG ଆମଦାନି ବଢ଼ାଉଛି। ସରକାରଙ୍କ ଲକ୍ଷ୍ୟ ହେଉଛି ୨୦୨୭ ସୁଦ୍ଧା ଭାରତର ଏଲିପିଜି ଆବଶ୍ୟକତାର ପ୍ରାୟ ୨୫ ପ୍ରତିଶତ ଆମେରିକାରୁ ଆମଦାନି କରିବା। ଏଥିପାଇଁ ଆଇଓସିଏଲ୍, ଏଚପିସିଏଲ୍ ଓ ବିପିସିଏଲ୍ ମିଳିତ ଭାବେ ବଡ଼ ଟେଣ୍ଡର ଜାରି କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଅନ୍ତର୍ଜାତୀୟ ଚାପ ଓ ଯୁଦ୍ଧ ଭଳି ପରିସ୍ଥିତି ଯୋଗୁ ଏଲିପିଜି ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଥାଏ। ବିଶେଷକରି ହର୍ମୁଜ୍ ପ୍ରଣାଳୀରେ ଯୋଗାଣ ବାଧା ହେଲେ ଭାରତର ଏଲିପିଜି ଆମଦାନି ଉପରେ ଏହାର ପ୍ରଭାବ ପଡ଼ିପାରେ। ତେଣୁ ଗୋଟିଏ ଅଞ୍ଚଳ କିମ୍ବା କିଛି ନିର୍ଦ୍ଦିଷ୍ଟ ଦେଶ ଉପରେ ନିର୍ଭର ନକରି ଭାରତ ଆଲଜେରିଆ, ଆମେରିକା ଭଳି ଦେଶରୁ ଆମଦାନି ବଢ଼ାଇ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରୁଛି।

ଏହା ସହିତ ଦେଶରେ ପିଏନଡି(ପାଇପ୍‌ଡ ନ୍ୟାଚୁରାଲ୍ ଗ୍ୟାସ୍) ବ୍ୟବହାର ବଢ଼ାଇବା ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଅଧିକ ଲୋକ ପିଏନଜି ବ୍ୟବହାର କଲେ ଏଲିପିଜି ସିଲିଣ୍ଡର ଉପରେ ଚାହିଦା ଓ ବିଦେଶୀ ଆମଦାନିର ଚାପ କିଛି ମାତ୍ରାରେ କମାଇବା ସମ୍ଭବ ହେବ।