ଆମେରିକା : ଆମେରିକାରୁ ଆସିଛି ଏକ ହୃଦୟବିଦାରକ ଖବର । କ୍ଷଣକରେ ଉଜୁଡ଼ିଗଲା ଗୋଟିଏ ପରିବାର । ଆମେରିକାର ଭୟଙ୍କର ସଡ଼କ ଦୁର୍ଘଟଣାରେ ହାଇଦ୍ରାବାଦର ଏକ ପରିବାରର ତିନିଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଥିଲା । ଏହି ମର୍ମନ୍ତୁଦ ଘଟଣା ପରେ ମୃତକଙ୍କ ପରିବାର ସହ ପ୍ରବାସୀ ଭାରତୀୟ ସମୁଦାୟ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ତେବେ ଏପରି ଭୟଙ୍କର ଦୁର୍ଘଟଣା କେମିତି ଘଟିଲା ତାର ତଦନ୍ତ ଆରମ୍ଭ କରିଛି ଆମେରିକା ପୋଲିସ ।

ସୂଚାନୁଯାୟୀ , ଆମେରିକାର କାଲିଫର୍ଣ୍ଣିଆରେ ଘଟିଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ହାଇଦ୍ରାବାଦର ଏକ ପରିବାରର ତିନିଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମଙ୍ଗଳବାର ପରିବାର ଲୋକଙ୍କ ନିକଟରେ ଏହି ଦୁଃଖଦ ଖବର ପହଞ୍ଚିଥିଲା। ସୋମବାର ରାତିରେ ଏହି ଦୁର୍ଘଟଣା ଘଟିଥିଲା। ପରିବାରର ସମସ୍ତ ସଦସ୍ୟ କାରରେ ଯାଉଥିବା ବେଳେ ଅନ୍ୟ ଏକ ଗାଡ଼ି ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ନାଜିଆ ସଲମା, ତାଙ୍କ ଝିଅ ଓ ପୁଅଙ୍କର ମୃତ୍ୟୁ ଘଟିଛି। ସେପଟେ ନାଜିଆଙ୍କ ସ୍ୱାମୀ ଶେଖ ନାଭେଦ ଏବଂ ସେମାନଙ୍କ ସାନ ଝିଅ ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଥାଉ କି , ଶେଖ ନାଭେଦ ପ୍ରାୟ ୧୦ ବର୍ଷ ପୂର୍ବେ ହାଇଦ୍ରାବାଦର ସୈଦାବାଦରୁ ଆମେରିକା ଯାଇଥିଲେ। ଘଟଣା ଦିନ ସେ ପରିବାର ସହ ଯାତ୍ରା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ନାଭେଦଙ୍କ ବାପା ଶେଖ ଅବଦୁଲ ସଇଦ କହିଛନ୍ତି, ପୁଅଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିବା ବେଳେ ଆମେରିକୀୟ ପୋଲିସ ପକ୍ଷରୁ ତାଙ୍କୁ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା। ପରିବାରର ଅନ୍ୟ ସଦସ୍ୟମାନେ ଯେପରି ଶୀଘ୍ର ଆମେରିକା ଯାଇପାରିବେ, ସେଥିପାଇଁ ସେ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଜରୁରୀକାଳୀନ ଭିସା ବ୍ୟବସ୍ଥା କରିବାକୁ ଅପିଲ କରିଛନ୍ତି। ଦୁର୍ଘଟଣା ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ଏହି ମର୍ମନ୍ତୁଦ ଦୁର୍ଘଟଣା ଏକ ପରିବାରକୁ ସବୁଦିନ ପାଇଁ ଉଜାଡ଼ି ଦେଇଛି। ଦୁର୍ଘଟଣାର ପ୍ରକୃତ କାରଣ ନେଇ ସ୍ଥାନୀୟ କର୍ତ୍ତୃପକ୍ଷ ତଦନ୍ତ ଜାରି ରଖିଛନ୍ତି।