ୱାସିଂଟନ: ଋଷିଆ ଓ ୟୁକ୍ରେନ ଯୁଦ୍ଧ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡରେ ପହଞ୍ଚିଛି। ଉଭୟ ଦେଶଙ୍କ ମଧ୍ୟରେ ‘ଏନର୍ଜୀ ସିଜଫାୟାର’ ହୋଇଛି। ଅର୍ଥାତ ଯୁଦ୍ଧରେ ଉଭୟ ଦେଶ ପରସ୍ପରର ଇନ୍ଧନ ଭିତ୍ତିଭୂମି ଉପରକୁ ଆକ୍ରମଣ କରିବେନି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସିଜଫାୟାର ଘୋଷଣା କରିଛନ୍ତି। ଟ୍ରମ୍ପ ତାଙ୍କ ‘ଟ୍ରୁଥ ସୋସାଲ’ ନେଟୱାର୍କରେ ବିନା ଅଧିକ ବିବରଣୀରେ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ‘ତୁରନ୍ତ ଲାଗୁ’, ଋଷିଆ-ୟୁକ୍ରେନ ଯୁଦ୍ଧରେ ଏନର୍ଜୀ ସିଜଫାୟାର ହୋଇଛି। ଏହାକୁ ଭାଙ୍ଗିବେନି।

ଏହା ପୂର୍ବରୁ ଟ୍ରମ୍ପ କହିଥିଲେ ଯେ ୟୁକ୍ରେନକୁ ଜଣେ ନୂଆ ରାଷ୍ଟ୍ରପତି ଦରକାର। ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କିଙ୍କ ଉପରେ ଟ୍ରମ୍ପ ଯୁଦ୍ଧ ସମାପ୍ତ କରିବାକୁ ପର୍ଯ୍ୟାପ୍ତ ପ୍ରୟାସ କରୁନଥିବାର ଅଭିଯୋଗ କରିଥିଲେ ଓ ଆମେରିକାରେ ଡିଜେଲ ଦର ବୃଦ୍ଧି ଲାଗି ଜେଲେନସ୍କିଙ୍କୁ ଦାୟି କରିଥିଲେ। ରବିବାର ଟେନିସି ଯିବା ପୂର୍ବରୁ ହ୍ୱାଇଟହାଉସ୍ ରେ ସାମ୍ବାଦିକଙ୍କ ସହ ଆଲୋଚନାରେ ଟ୍ରମ୍ପ କହିଥିଲେ ଯେ ‘ମୋର ପରାମର୍ଶ ହେଉଛି ୟୁକ୍ରେନକୁ ନୂଆ ନେତା ବାଛିବା ଦରକାର, ଯିଏ ବୁଝାମଣା କରିପାରିବେ। ଜେଲେନସ୍କି ଅନେକ ବୁଝାମଣା କରିପାରିଥାନ୍ତେ, ହେଲେ ସେ କେବେବି ଏପରି କାହିଁକି କଲେନି ଜଣା ନାହିଁ’।

ଟ୍ରମ୍ପଙ୍କ ଏହି ବୟାନକୁ ଋଷିଆ ସ୍ୱାଗତ କରିଛି। ଭ୍ଲାଦିମୀର ପୁଟିନଙ୍କ ଆର୍ଥିକ ଦୂତ କିରିଲ ଦିମିତ୍ରିଭ ଏ ନେଇ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ଲେଖିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ଏବେ ସେହି ଲୋକଙ୍କ ମଧ୍ୟରେ ସାମିଲ ହୋଇଯାଇଛନ୍ତି ଯେଉଁମାନେ ଭାବନ୍ତି ୟୁକ୍ରେନକୁ ଜଣେ ଏପରି ନେତୃତ୍ୱର ଆବଶ୍ୟକତା ରହିଛି ଯିଏ ଜେଲେନସ୍କିଙ୍କ ଭଳି ଯୁଦ୍ଧକୁ ନ ଉସକାଇ ଶାନ୍ତି ଲାଗି ଧ୍ୟାନ କେନ୍ଦ୍ରିତ କରିବେ। ଡୋନାଲ୍ଡ ଟ୍ରମ୍ପଙ୍କ ଏହି ବୟାନ ଆମେରିକା-ଋଷିଆ ମଧ୍ୟରେ ଡିଜେଲ ବୁଝାମଣାକୁ ନେଇ ଜେଲେନସ୍କିଙ୍କ କଟ୍ଟୁ ସମାଲୋଚନା ପରେ ଆସିଥିଲା।

ଦେଶରେ ହେବାକୁ ଯାଉଥିବା ମଧ୍ୟାବଧି ନିର୍ବାଚନ ପୂର୍ବରୁ ବୃଦ୍ଧି ପାଉଥିବା ଇନ୍ଧନ ଦର ନିୟନ୍ତ୍ରଣ ପାଇଁ ଋଷିଆ ଠାରୁ ଡିଜେଲ କିଣିବା ପାଇଁ ଆମେରିକା ଡିଲ କରିଛି। ତେବେ କେବଳ ଜେଲେନସ୍କି ନୁହନ୍ତି, ୟୁରୋପୀୟ ଦେଶମାନେ ମଧ୍ୟ ଆମେରିକାର ଏହି ଡିଲକୁ ନେଇ ନିରାଶା ବ୍ୟକ୍ତ କରିଛନ୍ତି। ଏହା ଦ୍ୱାରା ଋଷିଆକୁ ଯୁଦ୍ଧ ବଢାଇବାକୁ ଆର୍ଥିକ ସହଯୋଗ ମିଳିଯିବ ବୋଲି ୟୁରୋପୀୟ ଦେଶମାନେ ଆମେରିକାକୁ ଚେତାବନୀ ଦେଇଛନ୍ତି। ପୁଟିନଙ୍କ ସହିତ ଆଲୋଚନା ପରେ ଟ୍ରମ୍ପ ଘୋଷଣା କରିଥିଲେ ଯେ ଋଷିଆ ଖୁବ୍ ଶୀଘ୍ର ଆମେରିକା ଓ ବୈଶ୍ୱିକ ବଜାରକୁ ୩ଲକ୍ଷ ଟନରୁ ଅଧିକ ଡିଜେଲ ଯୋଗାଣ କରିବ। ଏଥିରେ ନଭେମ୍ବର ମାସରେ ଅତିରିକ୍ତ ୫ ଲକ୍ଷ ଟନ ଡିଜେଲ ଯୋଗାଣ ହେବ ବୋଲି ମଧ୍ୟ ଟ୍ରମ୍ପ କହିଥିଲେ।