ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁନିଆକୁ ନିଜ ନାଁରେ ନାମିତ କରିବାକୁ ଯାଉଛନ୍ତି । ଏଭଳି ଲେଖିବାର କାରଣ, ବିଭିନ୍ନ ସସ୍ଥାନର ନାମ ପରିବର୍ତ୍ତନ ନେଇ ଦାବି କରିବା ପରେ ଏବେ ଟ୍ରମ୍ପ ମହାସାଗାରକୁ ନିଜ ନାଁରେ ନାମିତ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଆଟଲାଣ୍ଟିକ୍‌ କିମ୍ବା ପ୍ରଶାନ୍ତ ମହାସାଗରକୁ ‘ଟ୍ରମ୍ପ ମହାସାଗର’ କିମ୍ବା ‘ଓସେନ ଅଫ ଆମେରିକାସ୍‌’ କରିବାକୁ ସେ ପ୍ରସ୍ତାବ ରଖିଛନ୍ତି । ପୂର୍ବରୁ ଗଲ୍ଫ ଅଫ ମେକ୍ସିକୋ ଏବଂ ଅଣ୍ଟାରିଓ ହ୍ରଦର ନାମ ବଦଳାଇବା ପାଇଁ ସେ ଉଦ୍ୟମ କରିଥିଲେ । ଏବେ ଗୁଗଲ ମ୍ୟାପ୍ସରେ ମଧ୍ୟ ପରିବର୍ତ୍ତିତ ନାମ ଦେଖିବାକୁ ମିଳୁଛି ।

ଟ୍ରମ୍ପ କହିଛନ୍ତି, ‘ଆମ ପାଖରେ ଏକ ଉପସାଗର ଅଛି, ଗୋଟିଏ ସୁନ୍ଦର ହ୍ରଦ  ମଧ୍ୟ ଅଛି। ଏବେ ଆମକୁ ଏକ ନଦୀ ଓ ଏକ ମହାସାଗର ଦରକାର। ଆମେ ଏହାର ନାମ ‘ଟ୍ରମ୍ପ ମହାସାଗର’ କିମ୍ବା ‘ଓସେନ୍ ଅଫ୍ ଦି ଆମେରିକାସ୍’ କିଛି ଏମିତି ରଖିପାରିବା।’ ତାଙ୍କର ଏହି କଥା ଶୁଣି ଉପସ୍ଥିତ ଲୋକମାନେ ହସିଥିଲେ ଏବଂ ତାଳି ମାରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ମୋର କ୍ଷମତା ଶେଷ ହେବା ପୂର୍ବରୁ, ମୁଁ ଭାବୁଛି ଆମ ନାମରେ ଗୋଟିଏ ମହାସାଗର ଏବଂ ଗୋଟିଏ ବଡ଼ ନଦୀ ରହିବା ଦରକାର।’

ଗତବର୍ଷ ହ୍ୱାଇଟ୍ ହାଉସକୁ ଫେରିବା ପରେ ଟ୍ରମ୍ପ   'ଗଲ୍ଫ ଅଫ୍ ମେକ୍ସିକୋ'ର ନାମ ବଦଳାଇ 'ଗଲ୍ଫ ଅଫ୍ ଆମେରିକା' ରଖିଥିଲେ। ଟ୍ରମ୍ପଙ୍କ ଏହି ନିଷ୍ପତ୍ତିକୁ ମେକ୍ସିକୋର ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମ୍ ତୀବ୍ର ସମାଲୋଚନା କରିଥିଲେ । ସେ ଆମେରିକା ମହାଦେଶର ନାମକୁ ‘ଆମେରିକା ମେକ୍ସିକାନା’ ରଖିବାକୁ ପ୍ରସ୍ତାବ ଦେଇଥିଲେ। ଗୁଗଲ୍ ମ୍ୟାପ୍ସ ଆମେରିକାର ନିର୍ଦ୍ଦେଶକୁ ମାନି  ‘ଗଲ୍ଫ ଅଫ୍ ଆମେରିକା’ ଲେଖିଛି । କିନ୍ତୁ ଏହାକୁ ମେକ୍ସିକୋ ବିରୋଧ କରୁଛି ।

ସେହିପରି ଅଗଷ୍ଟ ମାସରେ କାନାଡ଼ା ସହିତ ବାଣିଜ୍ୟିକ ଆଲୋଚନା ବିଫଳ ହେବା ପରେ, ଟ୍ରମ୍ପ ‘ଲେକ୍ ଅଣ୍ଟାରିଓ’ର ନାମ ବଦଳାଇ ‘ଲେକ୍ ଆମେରିକା’ ରଖିଦେଇଥିଲେ। ବର୍ତ୍ତମାନ ଗୁଗଲ୍ ମ୍ୟାପ୍ସରେ ଲେକ୍ ଅଣ୍ଟାରିଓ କିମ୍ବା ଲେକ୍ ଆମେରିକା ଦେଖିବାକୁ ମିଳୁଛି ।  ନିଜର ଏହି ପଦକ୍ଷେପ ସମ୍ପର୍କରେ ଟ୍ରମ୍ପ କହିଛନ୍ତି, ହ୍ରଦର ନାମ ବଦଳାଇ ‘ଲେକ୍ ଅଫ୍ ଆମେରିକା’ ରଖିବା କଥା ମୁଁ ବହୁତ ଦିନରୁ ଭାବୁଥିଲି। ଆମେ ଗଲ୍ଫ ଅଫ୍ ମେକ୍ସିକୋର ନାମ ବଦଳାଇଲୁ ଏବଂ ଏବେ ସମସ୍ତେ ଏହାକୁ ଗଲ୍ଫ ଅଫ୍ ଆମେରିକା ବୋଲି ଗ୍ରହଣ କଲେଣି। 

ଟ୍ରମ୍ପ କହିଛନ୍ତି, ଆମ ପାଖରେ ଏବେ ଏକ ଉପସାଗର ଓ ହ୍ରଦ ଅଛି। ଏବେ ବାକି ରହିଲା କେବଳ ଏକ ମହାସାଗର। ତେଣୁ ହୁଏତ ଆମକୁ ଆଟଲାଣ୍ଟିକ୍ କିମ୍ବା ପ୍ରଶାନ୍ତ ମହାସାଗରର ନାମ ବଦଳାଇବାକୁ ପଡ଼ିବ । ନଚେତ ଆମେ ଦୁଇଟି ମହାସାଗରର ନାମ ବି ବଦଳାଇ ଦେଇପାରୁ। କ୍ଷମତା ଯିବା ଆଗରୁ ଦୁନିଆକୁ ଟ୍ରମ୍ପମୟ କରିବାକୁ ଆମେରିକା ରାଷ୍ଟ୍ରପତି ବୃଥା ଚେଷ୍ଟା ଜାରି ରଖିଛନ୍ତି । ତେବେ ଗୁଗଲ ମ୍ୟାପ୍ସରେ ପ୍ରଶାନ୍ତ ମହାସାଗର କେବେ ‘ଟ୍ରମ୍ପ ଓସେନ’ ବୋଲି ଦେଖାଇବ, ତା ଉପରେ ନଜର ।