କଲମ୍ବୋ, ୧୯/୦୮ : ଭାରତୀୟ ଟିମର ବାଜିମାତ । ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ସିରିଜର ପ୍ରଥମ ମ୍ୟାଚକୁ ଗିଲ୍ ବାହିନୀ ଜିତି ନେଇଛି । ଦଳ ୧୬୫ ରନରେ ଶ୍ରୀଲଙ୍କାକୁ ପରାସ୍ତ କରି ଗାଲେ ଟେଷ୍ଟକୁ କବଜା କରିଛି । ପ୍ରଥମେ ବ୍ୟାଟିଂ ଏବଂ ପରେ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ କରି ଟିମ୍ ଇଣ୍ଡିଆ ଖେଳାଳି ସିଂହଳ ଖେଳାଳିଙ୍କୁ ଅଟକାଇ ରଖିଥିଲେ । ସବୁ ଦିଗରୁ ଜବରଦସ୍ତ ପ୍ରଦର୍ଶନ କରି ଟିମ୍ ମ୍ୟାଚ୍ ଜିତିବା ସହ ସିରିଜରେ ୧-୦ରେ ଆଗୁଆ ରହିଛି ।

Also Read :- ଗିଲଙ୍କ ରେକର୍ଡ ଭାଙ୍ଗିଲେ ପନ୍ତ : ବ୍ୟାଟରେ ଦେଲେ ଜବାବ, ଗମ୍ଭୀରଙ୍କୁ ଦେଖାଇଲେ ନିଜର ଦମ୍ !

ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଦେବଦତ୍ତ ପାଡିକଲଙ୍କ ଜବରଦସ୍ତ ଶତକ ସହ କେଏଲ ରାହୁଲ ଏବଂ ଋଷଭ ପନ୍ତଙ୍କ ଉପଯୋଗୀ ଇନିଂସ ବଳରେ ଦଳ ପ୍ରଥମ ଇନିଂସରେ ୪୬୨ ରନର ବିଶାଳ ସ୍କୋର କରିଥିଲା । ଜବାବରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୨୮୪ ରନରେ ଅଲଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ କେବଳ ସୋନାଲ ଦିନୁଶା ଶତକୀୟ ପାଳି ଖେଳିଥିଲେ । ଭାରତୀୟ ବୋଲର ମାନବ ସୁତାର ଚାରୋଟି ଏବଂ ରବୀନ୍ଦ୍ର ଜାଡେଜା ତିନୋଟି ଓ୍ୱିକେଟ୍ ନେଇ ଘରୋଇ ଟିମର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଥିଲେ । 

ଦ୍ୱିତୀୟ ଇନିଂସରେ ଭାରତୀୟ ବ୍ୟାଟର ସେତେ ଖାସ୍ ପ୍ରଦର୍ଶନ କରିପାରିନଥିଲେ । ଦଳ ମାତ୍ର ୧୯୩ ରନ୍ କରିପାରିଥିଲା । ଟିମ୍ ଇଣ୍ଡିଆ ଖେଳାଳି ଋଷଭ ପନ୍ତ ସର୍ବାଧିକ ୬୬ ରନ୍ କରିଥିଲେ । ଏହାସହ ଶ୍ରୀଲଙ୍କାକୁ ବିଜୟ ପାଇଁ ୩୭୨ ରନର ଟାର୍ଗେଟ୍ ମିଳିଥିଲା ।

ହେଲେ ଭାରତୀୟ ବୋଲର ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ଦମଦାର ବୋଲିଂ ପ୍ରଦର୍ଶନ କରିଥିଲେ । ମାନବ ସୁତାରଙ୍କ ସହ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଯୋଡି ଶ୍ରୀଲଙ୍କା ବ୍ୟାଟରଙ୍କୁ ରନ୍ ସଂଗ୍ରହ କରିବାକୁ ଦେଇନଥିଲେ । ଭାରତୀୟ ବୋଲରଙ୍କ ଜାଲରେ ଫସି ସେମାନେ ଓ୍ୱିକେଟ୍ ହରାଇଥିଲେ । ଫଳରେ ଘରୋଇ ଟିମ୍ ୨୦୬ ରନ କରିପାରିଥିଲା । ଶ୍ରୀଲଙ୍କା ପକ୍ଷରୁ ଦ୍ୱିତୀୟ ଇନିଂସରେ ଧନଞ୍ଜୟ ଡି ସିଲଭା ୫୯ ରନ୍ ଏବଂ ଦିନୁଶା ୮୪ ରନ୍ କରିଥିଲେ । ଫଳରେ ଦଳ ବିଜୟଠୁ ୧୬୫ ରନ୍ ପଛରେ ରହି ପରାଜୟର ସାମ୍ନା କରିଛି । ପ୍ରଥମ ଇନିଂସ ଭଳି ଦ୍ୱିତୀୟରେ ମଧ୍ୟ ମାନବ ସୁତାର ଦମଦାର ବୋଲିଂ କରି ୬ଟି ଶିକାର କରି ଭାରତର ବିଜୟର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ