ନୂଆଦିଲ୍ଲୀ, ୧/୧୧ : ଘରୋଇ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ରବିବାର ଖେଳାଯିବ ପଞ୍ଚମ ତଥା ଅନ୍ତିମ ଟି-ଟ୍ୱେଣ୍ଟି ମୁକାବିଲା । ୪ଟି ମ୍ୟାଚ ଶେଷ ସୁଦ୍ଧା ଭାରତ ୩-୧ରେ ଆଗୁଆ ରହି ସିରିଜ କବଜା କରି ସାରିଛି। ଚତୁର୍ଥ ମ୍ୟାଚରେ ନ୍ୟୁଜିଲାଣ୍ଡର ବିଜୟ ପରେ ରୋମାଞ୍ଚ ବୃଦ୍ଧି ପାଇଛି। ଭାରତର ଆଧିପତ୍ୟକୁ କଡ଼ା ଚ୍ୟାଲେଞ୍ଜ ଦେବା ଭଳି ସାମର୍ଥ୍ୟ ରଖିଥୁବା ନ୍ୟୁଜିଲାଣ୍ଡ ପ୍ରମାଣିତ କରିଛି। ଯାହା ଫଳରେ ଆଉ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ।

ପ୍ରଥମ ପରାଜୟ ପରେ ଭାରତ ଚୂଡ଼ାନ୍ତ ଏକାଦଶ ଚୟନ ଉପରେ ଗୁରୁତ୍ବ ଦେବା ଏକ ପ୍ରକାର ନିଶ୍ଚିତ। ବିଶେଷ କରି କୁଲଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କ ମଧ୍ୟରୁ ଜଣଙ୍କୁ ଖେଳିବାକୁ ସୁଯୋଗ ମିଳିବ। ନୀତିଶ କୁମାର ରେଡ୍ଡୀଙ୍କ ସ୍ଥାନରେ ଶିବମ ଦୁବେଙ୍କୁ ଏକ ମ୍ୟାଚ ଖେଳିବାକୁ ଗମ୍ଭୀରଙ୍କ ଟିମ୍ ମ୍ୟାନେଜମେଣ୍ଟ ଏକ ସୁଯୋଗ ଦେବ।

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ଥରେ ଏକାଦଶକୁ ଫେରାଇ ଆଣିବା ପାଇଁ ଯୋଜନା କରାଯାଇପାରେ। ଚତୁର୍ଥ ମ୍ୟାଚରେ କିଷନ ଏକାଦଶକୁ ଫେରିଥିଲେ ହେଁ ରନ କରିପାରି ନଥିଲେ । ତଥାପି ସେ ସ୍ଥାନ ବଜାୟ ରଖିବେ । ବୋଲିଂ ବିଭାଗକୁ ଛୋଟ କରିପାରିଲେ ଉଭୟ କିଷନ ଓ ବୈଭବ ଖେଳି ପାରିବେ।

Also Read :- ଇତିହାସ ରଚିଲେ କାଗିସୋ ରାବାଡ଼ା, ଦ୍ରୁତତମ ୩୫୦ ଓ୍ଵିକେଟ୍ ନେଇ କଲେ ବିଶ୍ଵ ରେକର୍ଡ

ଅର୍ଶଦୀପ ସିଂହ ଆଗକୁ ଦିନିକିଆ ସିରିଜ ଖେଳିବେ। ତେଣୁ ତାଙ୍କୁ ଅଧିକ ମ୍ୟାଚରୁ ବିଶ୍ରାମ ଦିଆଯାଇ ଭୁବନେଶ୍ଵର କୁମାରଙ୍କୁ ଆଉ ଏକ ମ୍ୟାଚ ଖେଳାଇବାକୁ ଅଧିନାୟକ ବିଚାର କରିବେ। ସେଡନ ପାର୍କ ଗ୍ରାଉଣ୍ଡ୍ ବେଶ୍ ଛୋଟ। ଏଠାକାର ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ। ଫଳରେ ଆଜି ବିଶାଳ ସ୍କୋର ଦେଖିବାକୁ ମିଳିବ । ଟସ୍ ମଧ୍ୟ ସେଭଳି ପ୍ରଭାବ ପକାଇବା ନାହିଁ। ତଥାପି ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ।