ଭଦୋଦରାଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଏକ ଦିବସୀୟ ସିରିଜର ପ୍ରଥମ ମ୍ୟାଚ୍ ଆଜି (ଜାନୁଆରୀ ୧୧) ଭଦୋଦରାର କୋଟାମ୍ବି ଷ୍ଟାଡିୟମରେ ଖେଳାଯାଉଛି। ଆଜିର ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୩୦୦ ରନ୍ କରିଛି। ଭାରତକୁ ମ୍ୟାଚ୍ ଜିତିବାକୁ ହେଲେ ୩୦୧ ରନ୍ କରିବାକୁ ହେବ।

ନ୍ୟୁଜିଲାଣ୍ଡ ପକ୍ଷରୁ ଡିରେଲ ମିଚେଲ ସର୍ବାଧିକ ୮୪ ରନ୍ କରିଥିବା ବେଳେ ହେନରି ନିକୋଲ୍ସ ୬୨ ଓ ଡେଭନ କନୱେ ୫୬ ରନ୍ କରିଛନ୍ତି। ଭାରତ ପକ୍ଷରୁ ମହମ୍ମଦ ସିରାଜ, ହର୍ଷିତ ରାଣା ଓ ପ୍ରସିଦ୍ଧ କୃଷ୍ଣା ୨ଟି ଲେଖାଏ ୱିକେଟ୍ ନେଇଛନ୍ତି।

​​​​​​​ଆଜିର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡର ଆରମ୍ଭ ଦୃଢ଼ ଥିଲା। ଓପନର ଡେଭନ କନୱେ ଏବଂ ହେନରୀ ନିକୋଲ୍ସ ଦୁହେଁ ମିଶି ପ୍ରଥମ ୱିକେଟ ପାଇଁ ୧୧୭ ରନ ଯୋଡ଼ିଥିଲେ। ଏହି ଭାଗୀଦାରି ମଧ୍ୟରେ ଉଭୟ ଖେଳାଳି ୬୦ ବଲ୍‌ରେ ସେମାନଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। ୨୦ ଓଭର ପର୍ଯ୍ୟନ୍ତ ଭାରତୀୟ ବୋଲରମାନେ ନ୍ୟୁଜିଲାଣ୍ଡର ଗୋଟିଏ ବି ୱିକେଟ୍ ନେଇପାରି ନଥିଲେ।

ତେବେ ୨୧.୪ ଓଭର ଖେଳ ବେଳେ ହର୍ଷିତ ରାଣା କନୱେ ଏବଂ ହେନରୀ ପାର୍ଟନର୍ସିପ୍  ଭାଙ୍ଗିଥିଲେ। ରାଣା ହେନରୀ ନିକୋଲ୍ସଙ୍କୁ ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ନିକୋଲ୍ସ ୬୯ ବଲ୍ ରୁ ୬୨ ରନ୍ କରି ଆଉଟ୍ ହୋଇଥିଲେ। ଯେଉଁଥିରେ ୮ଟି ଚୌକା ଥିଲା।

କନୱେ ମଧ୍ୟ ହର୍ଷିତ ରାଣାଙ୍କ ଶିକାର ହୋଇଥିଲେ। ୨୪ ଓଭରର ଶେଷ ବଲ୍‌ରେ କନୱେଙ୍କୁ ଆଉଟ୍ ହୋଇଥିଲେ। ସେ ୬୭ ବଲ୍ ରୁ ୫୬ ରନର ଯୋଗଦାନ ଦେଇଥିଲେ। ଯେଉଁଥିରେ ୬ଟି ଚୌକା ଏବଂ ଗୋଟିଏ ଛକା ଥିଲା।

ଏହାପରେ ମହମ୍ମଦ ସିରାଜ ୨୮ତମ ଓଭରରେ ୱିଲ୍ ୟଙ୍ଗଙ୍କୁ ଆଉଟ୍ କରିଥିଲେ। ୟଙ୍ଗ ମାତ୍ର ୧୨ ରନ୍ କରି ପାଭିଲିଅନ ଫେରି ଯାଇଥିଲେ। ଏହାପରେ କୁଲଦୀପ ଯାଦବ ୩୪ତମ ଓଭରରେ ଗ୍ଲେନ୍ ଫିଲିପ୍ସଙ୍କୁ ଆଉଟ୍ କରିଥିଲେ। ସେତେବେଳେ ନ୍ୟୁଜିଲାଣ୍ଡର ସ୍କୋର ୧୭୦ ହୋଇଥିଲା। ତା'ପରେ, ୩୮ତମ ଓଭରରେ ପ୍ରସିଦ୍ଧ କୃଷ୍ଣା ମିଚେଲ ହେଙ୍କୁ ବୋଲ୍ଡ କରି ଦେଇଥିଲେ। ହେ ମାତ୍ର ୧୮ ରନ କରିପାରିଥିଲେ ।

ସେହିପରି ୪୩ ତମ ଓଭରରେ ବ୍ରେସୱେଲଙ୍କୁ ରନ୍‌ ଆଉଟ କରିଥିଲେ ଶ୍ରେୟସ ଆୟର। ଫଳରେ ନ୍ୟୁଜିଲାଣ୍ଡର ଷଷ୍ଠ ୱିକେଟ ପତନ ହୋଇଥିଲା। ସିରାଜ ପରବର୍ତ୍ତୀ ଓଭରରେ ଜାକାରୀଙ୍କୁ ବୋଲ୍ଡ କରିଥିଲେ। ତେବେ ୪୮ ତମ ଓଭରରେ ଡିରେଲ ମିଚେଲଙ୍କ ୱିକେଟ୍ ଯିବା ପରେ ନ୍ୟୁଜିଲାଣ୍ଡକୁ ଏକ ବଡ଼ ଝଟକା ଲାଗିଥିଲା। ମିଚେଲ ୭୧ ବଲ୍‌ରେରେ ଦମଦାମର ୮୪ ରନ କରି ପ୍ରସିଦ୍ଧ କୃଷ୍ଣାଙ୍କ ବଲ୍‌ରେ ଏଲ୍‌ବିଡବ୍ଲୁ  ହୋଇଥିଲେ। ଫଳରେ ନ୍ୟୁଜିଲାଣ୍ଡ ୮ଟି ୱକେଟ୍ ହରାଇ ୩୦୦ ରନ୍‌ର କରିପାରିଥିଲା।

ଭାରତ ପକ୍ଷରୁ ମହମ୍ମଦ ସିରାଜ, ହର୍ଷିତ ରାଣା ଓ ପ୍ରସିଦ୍ଧ କୃଷ୍ଣା ୨ଟି ଲେଖାଏ ୱିକେଟ୍ ନେଇଥିବା ବେଳେ କୁଲଦୀପ ଯାଦବଙ୍କୁ ଗୋଟିଏ ୱିକେଟ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା ତେବେ ୱାଶିଂଟନ ସୁନ୍ଦର ଆଜି ଏତେ ଭଲ ପ୍ରଦର୍ଶନ କରିପାରି ନାହାନ୍ତି। ତାଙ୍କୁ ଗୋଟିଏ ବି ସଫଳତା ମିଳି ନାହିଁ।  

୨୦୨୬ର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଛି ଭାରତ, ପିଚ୍‌ ବି ନୂଆ

ଭାରତୀୟ କ୍ରିକେଟ ଦଳ ନୂଆ ବର୍ଷର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଆଜି ନ୍ୟୁଜିଲାଣ୍ଡ ସହ ଖେଳୁଛି। ବିଜୟ ସହିତ ନୂଆ ବର୍ଷର କ୍ରିକେଟ୍ ଯାତ୍ରା ଆରମ୍ଭ କରିବାକୁ ଟିମ୍ ଇଣ୍ଡିଆ ଲକ୍ଷ୍ୟ ରଖିଛି। ଏହା ବ୍ୟତୀତ, କୋଟାମ୍ବି ଷ୍ଟାଡିୟମ ପ୍ରଥମ ଥର ପାଇଁ ପୁରୁଷ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ କରୁଛି। ଯାହା ଗ୍ରାଉଣ୍ଡ ପାଇଁ ଏକ ଐତିହାସିକ ସଫଳତା ନିଶ୍ଚ।

କାହାକୁ ମିଳିଲା ସ୍ଥାନ କିଏ ପଡ଼ିଲେ ବାଦ ?
ଏହି ମ୍ୟାଚ୍‌ରେ ଭାରତ ପକ୍ଷରୁ ଅର୍ଶଦୀପ ସିଂହ, ଧ୍ରୁବ ଜୁରେଲ୍, ନୀତିଶ କୁମାର ରେଡ୍ଡୀ ଏବଂ ଯଶସ୍ୱୀ ଜୟସୱାଲ ସ୍ଥାନ ମିଳିପାରି ନାହିଁ। ସେପଟେ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ କ୍ରିଶ୍ଚିଆନ କ୍ଲାର୍କ ତାଙ୍କର ଏକଦିବସୀୟ ଡେବ୍ୟୁ କରିଛନ୍ତି। କିୱି ଦଳର ପ୍ଲେଇଂ ଇଲେଭେନରେ ଭାରତୀୟ ବଂଶୋଦ୍ଭବ କ୍ରିକେଟର ଆଦିତ୍ୟ ଅଶୋକଙ୍କୁ ମଧ୍ୟ ସାମିଲ କରାଯାଇଛି।

ଭାରତୀୟ ଦଳ:- ଶୁଭମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ୍ ଆୟର୍, କେ.ଏଲ୍ ରାହୁଲ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ରବିନ୍ଦ୍ର ଜାଡେଜା, ହର୍ଷିତ ରାଣା, କୁଲଦୀପ ଯାଦବ, ପ୍ରସାଦ କୃଷ୍ଣ ଏବଂ ମହମ୍ମଦ ସିରାଜ।
​ନ୍ୟୁଜିଲାଣ୍ଡ ଦଳ:- ଡେଭନ୍ କନୱେ, ହେନରୀ ନିକୋଲ୍ସ, ୱିଲ୍ ୟଙ୍ଗ, ଡାରିଲ୍ ମିଚେଲ, ଗ୍ଲେନ୍ ଫିଲିପ୍ସ, ମିଚେଲ ହେ (ୱିକେଟକିପର), ମାଇକେଲ୍ ବ୍ରେସୱେଲ୍ (ଅଧିନାୟକ), ଜକାରି ଫାଉଲକେସ, କ୍ରିଷ୍ଟିଆନ କ୍ଲାର୍କ, କାଇଲ୍ ଜାମିସନ୍ ଏବଂ ଆଦିତ୍ୟ ଅଶୋକ।

ଭାରତ ନ୍ୟୁଜିଲାଣ୍ଡ ଅନ୍ତର୍ଜାତୀୟ ମ୍ୟାଚ୍‌ ଇତିହାସ
ଭାରତ ଏବଂ ନ୍ୟୁଜିଲାଣ୍ଡ ଏପର୍ଯ୍ୟନ୍ତ ୧୨୦ ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ଭାରତୀୟ ଦଳ ୬୨ ଟି ମ୍ୟାଚ୍ ଜିତିଥିବା ବେଳେ ନ୍ୟୁଜିଲାଣ୍ଡ ୫୦ ଟି ମ୍ୟାଚ୍ ଜିତିଛି। ୭ଟି ମ୍ୟାଚ୍ ଡ୍ର ହୋଇଥିବା ବେଳେ ଗୋଟିଏ ଟାଇ ହୋଇଛି। ଇତିହାସ ଦେଖିଲେ ଦୁଇ ଦଳଙ୍କ ମଧ୍ୟରେ ଭାରତ ପକ୍ଷ ମଜଭୁତ ରହିଛି। ନ୍ୟୁଜିଲାଣ୍ଡ ଠାରୁ ୧୨ଟି ମ୍ୟାଚ୍ ଅଧିକ ଜିତିଛି ଦଳ। ସେହିପରି ଘରୋଇ ମାଟିରେ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ପକ୍ଷ ମଜଭୁତ ରହିଛି। ଘରୋଇ ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ମୋଟ ୪୦ ଟି ମ୍ୟାଚ୍ ଖେଳିଥିବା ବେଳେ ୩୧ଟି ମ୍ୟାଚ୍ ଜିତିଛି। ନ୍ୟୁଜିଲାଣ୍ଡ ଜିତିଛି ମାତ୍ର ୮ଟି ମ୍ୟାଚ୍।  

ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ H2H
ମୋଟ ଦିନିକିଆ ମ୍ୟାଚ୍: ୧୨୦
ଭାରତ ବିଜୟ: ୬୨
ନ୍ୟୁଜିଲାଣ୍ଡ ବିଜୟ: ୫୦
ନୋ ରେଜଲ୍ଟ: ୭
ଟାଇ: ୧

ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ H2H (ଭାରତରେ)
ମୋଟ ଦିନିକିଆ ମ୍ୟାଚ୍: ୪୦
ଭାରତ ଜିତିଲା: ୩୧
ନ୍ୟୁଜିଲାଣ୍ଡ ଜିତିଲା: ୮
ନୋ ରେଜଲ୍ଟ: ୧

ଦିନିକିଆ ସିରିଜ୍ ପାଇଁ ଭାରତର ଫୁଲ୍‌ ସ୍କାର୍ଡ- ଶୁଭମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ୍ ରାହୁଲ (ୱିକେଟକିପର), ଶ୍ରେୟସ୍ ଆୟର୍ (ଉପ-ଅଧିନାୟକ), ୱାଶିଂଟନ୍ ସୁନ୍ଦର, ରବିନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ହର୍ଷିତ ରାଣା, ପ୍ରସିଦ୍ଧ କୃଷ୍ଣା, କୁଲଦୀପ ଯାଦବ, ଧ୍ରୁବ ଜୁରେଲ।(ୱିକେଟକିପର) ନୀତୀଶ କୁମାର ରେଡ୍ଡୀ। ଅର୍ଶଦୀପ ସିଂହ ଏବଂ ଜଶସ୍ୱୀ ଜୟସ୍ୱାଲ।

ଦିନିକିଆ ସିରିଜ୍ ପାଇଁ ନ୍ୟୁଜିଲାଣ୍ଡର ଫୁଲ୍‌ ସ୍କାର୍ଡ- ଡେଭନ୍ କନୱେ (ୱିକେଟର), ୱିଲ୍ ୟଙ୍ଗ, ହେନରୀ ନିକୋଲ୍ସ, ଡାରିଲ୍ ମିଚେଲ୍, ଗ୍ଲେନ୍ ଫିଲିପ୍ସ, ମାଇକେଲ୍ ବ୍ରେସୱେଲ୍ (ଅଧିନାୟକ), ଜାକାରୀ ଫାଉଲକେସ, ନିକ୍ କେଲି, ଜୋଶ୍ କ୍ଲାର୍କସନ୍, ମାଇକେଲ୍ ରାଇ, କାଇଲ୍ ଜେମିସନ୍, ମିଚେଲ୍ ହେ, ଆଦିତ୍ୟ ଅଶୋକ, କ୍ରିଷ୍ଟିଆନ୍ କ୍ଲାର୍କ ଏବଂ ଜାଡେନ୍ ଲେନକ୍ସ।

ଭାରତ ବନାମ ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ ସୂଚୀ
​​​​​​​ଜାନୁଆରୀ ୧୧: ପ୍ରଥମ ଦିନିକିଆ, ଭଦୋଦରା
ଜାନୁଆରୀ ୧୪: ଦ୍ୱିତୀୟ ଦିନିକିଆ, ରାଜକୋଟ
ଜାନୁଆରୀ ୧୮: ତୃତୀୟ ଦିନିକିଆ, ଇନ୍ଦୋର