ନୂଆଦିଲ୍ଲୀ: ଭାରତ ଉପରେ ଟାରିଫ ଚାପ ପକାଇ ଚୁକ୍ତି ମାନିବାକୁ ବାଧ୍ୟ କରୁଛି ଆମେରିକା। ଏପଟେ ଖୁବ୍‌ଶୀଘ୍ର ଚୁକ୍ତି ହୋଇପାରେ ବୋଲି କହିଛନ୍ତି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପିୟୂଷ ଗୋୟଲ। ଚୁକ୍ତି ସମ୍ପର୍କିତ ଆଲୋଚନା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଚୁକ୍ତି ଉପରେ ସ୍ୱାକ୍ଷର ହୋଇପାରେ ବୋଲି ଆଶା ପ୍ରକାଶ କରିଛନ୍ତି ଶ୍ରୀ ଗୋୟଲ।

ଶୁକ୍ରବାର(ନଭେମ୍ବର ୨୭) ଇଣ୍ଡିଆ ଡେଟ୍ କ୍ୟାପିଟାଲ୍ ମାର୍କେଟ୍ ସମିଟ୍ ୨୦୨୬ରେ ଭିଡିଓ କନଫରେନ୍ସିଂରେ ଯୋଗଦେଇ ଗୋୟଲ କହିଛନ୍ତି ଯେ, ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିର ଅଧିକାଂଶ ପ୍ରମୁଖ ପ୍ରସଙ୍ଗରେ ଆଲୋଚନା ଶେଷ ହୋଇଛି। ଏବେ ଉଭୟ ଦେଶ ଅବଶିଷ୍ଟ କିଛି ପ୍ରସଙ୍ଗର ସମାଧାନ କରି ଚୁକ୍ତିକୁ ଚୂଡ଼ାନ୍ତ କରିବା ଦିଗରେ କାମ କରୁଛନ୍ତି।

ଆମେରିକାର ୨୫% ଟାରିଫ୍ ପ୍ରସ୍ତାବ, ଚୁକ୍ତି ହେଲେ ୧୭%କୁ ହ୍ରାସ ସମ୍ଭାବନା

ସେପଟେ ଆମେରିକା ଭାରତ ଉପରେ ଏକ ନୂଆ ଅଭିଯୋଗ ଆଣି ୨୫ ପ୍ରତିଶତ ଶୁଳ୍କ ଲଗାଇବାକୁ ସୁପାରିଶ କରିଛି। ମାର୍କେଟ ଚାହିଦା ଠାରୁ ଭାରତ ଅଧିକ ଉତ୍ପାଦନ କରୁଛି। ଯାହା ଆମେରିକା ବଜାରୁକ ପ୍ରଭାବିତ କରୁଛି। ତେଣୁ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବାକୁ ପ୍ରସ୍ତାବ ଦେଇଛି ଆମେରିକାର ବାଣିଜ୍ୟ ପ୍ରତିନିଧି କାର୍ଯ୍ୟାଳୟ (USTR)।

କେବଳ ଭାରତ ନୁହେଁ, ଅନ୍ୟ ସହଯୋଗୀ ରାଷ୍ଟ୍ରମାନଙ୍କ ଉପରେ ଟାରିଫ ଚାପ ଦେଇ ଡରାଇକୁ ଚାହୁଁଛି ଆମେରିକା। ଏହି ରିପୋର୍ଟ ମଧ୍ୟରେ ଚୁକ୍ତି ନେଇ ନୂଆ ସଂକେତ ମିଳିଛି। ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହେଲେ ଏହି ଶୁଳ୍କକୁ ୧୭ ପ୍ରତିଶତରେ ସୀମିତ ରହିପାରେ ବୋଲି କୁହାଯାଉଛି।

ଭାରତୀୟ କମ୍ପାନୀଙ୍କୁ ମିଳିପାରେ ଲାଭ

ଜେଫରିଜର ଏକ ରିପୋର୍ଟ ଅନୁଯାୟୀ, ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଭାରତର ଟେକ୍ସଟାଇଲ୍ ଓ କ୍ୟାପିଟାଲ୍ ଗୁଡ୍ସ କ୍ଷେତ୍ରର କିଛି କମ୍ପାନୀକୁ ଲାଭ ଦେଇପାରେ। ନାଭିନ୍ ଫ୍ଲୋରିନ୍, ପିଆଇ ଇଣ୍ଡଷ୍ଟ୍ରିଜ୍, ଏସଆରଏଫ୍, ୱେଲସ୍ପନ୍ ଲିଭିଂ, କମିନ୍ସ ଇଣ୍ଡିଆ, ଥର୍ମାକ୍ସ ଏବଂ କେଇଆଇ ଇଣ୍ଡଷ୍ଟ୍ରିଜ୍ ଭଳି କମ୍ପାନୀ ଏହି ଚୁକ୍ତି ଦ୍ୱାରା ଲାଭବାନ ହୋଇପାରନ୍ତି ବୋଲି ଜେଫ୍ରିଜ୍ କହିଛି।

Also Read- ଟାଟା ସନ୍ସ ବୋର୍ଡ ବୈଠକ ଉପରେ ରୋକ ଲଗାଇବାକୁ ମନା କଲେ ବମ୍ବେ ହାଇକୋର୍ଟ

ରିପୋର୍ଟ ଅନୁଯାୟୀ, ଭାରତ ଆମେରିକାକୁ ପ୍ରତିବର୍ଷ ପ୍ରାୟ ୧୦୪ ବିଲିୟନ ଡଲାରର ସାମଗ୍ରୀ ରପ୍ତାନି କରୁଛି। ଏଥିମଧ୍ୟରୁ ପ୍ରାୟ ୪୫ ପ୍ରତିଶତ ରପ୍ତାନି ଔଷଧ, ଏନର୍ଜି, ଇଲେକ୍ଟ୍ରୋନିକ୍ସ ଓ ଅଟୋ କମ୍ପୋନେଣ୍ଟ୍ ଭଳି କ୍ଷେତ୍ରରୁ ପ୍ରଡକ୍ଟ ରହିଥାଏ। ଏହି ସାମଗ୍ରୀଗୁଡ଼ିକ ବର୍ତ୍ତମାନର ଟାରିଫ୍ ବ୍ୟବସ୍ଥାରୁ ମୁକ୍ତ କିମ୍ବା ଅଲଗା ନିୟମ ଆଧାରରେ ରହିଛି। ଯଦି ଏଗୁଡ଼ିକ ଉପରେ ଟ୍ୟାକ୍ସ ଲାଗେ ତେବେ ଭାରତକୁ ଲକ୍ଷାଧିକ ଟଙ୍କାର କ୍ଷତି ହୋଇପାରେ।

୧୭ ପ୍ରତିଶତ ଟ୍ୟାକ୍ସରେ ଲାଭ ହେବ ନା କ୍ଷତି ?

ଚଳିତ ବର୍ଷ ଫେବୃଆରୀ ମାସରେ ଭାରତ ଓ ଆମେରିକା ମଧ୍ୟରେ ଏକ ଅନ୍ତରୀଣ ବାଣିଜ୍ୟ ଚୁକ୍ତି ଘୋଷଣା କରାଯାଇଥିଲା। ଏହାର ପ୍ରଥମ ପର୍ଯ୍ୟାୟର ଆଇନଗତ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଥିବା କୁହାଯାଉଛି। ଇନଭେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗ୍ କମ୍ପାନୀ ଜେଫରିଜ୍ର ବିଶ୍ଳେଷଣ ଅନୁଯାୟୀ, ଯଦି ଚୁକ୍ତିରେ ଭାରତ ଉପରେ ୧୭ ପ୍ରତିଶତ ଟାରିଫ୍ ଫାଇନାଲ ହୁଏ, ତେବେ ଆମେରିକା ବଜାରରେ ଅନ୍ୟ ପ୍ରତିଯୋଗୀ ଦେଶ ତୁଳନାରେ ଭାରତୀୟ ରପ୍ତାନିକାରୀମାନେ ଲାଭଦାୟକ ସ୍ଥିତିରେ ରହିପାରନ୍ତି। ଏହାଦ୍ୱାରା ଆମେରିକା ବଜାରରେ ଭାରତୀୟ ପ୍ରଡକ୍ଟର କମ୍ପିଟିସନ କ୍ଷମତା ବଢ଼ିବା ସହ ରପ୍ତାନି କ୍ଷେତ୍ର ଅଧିକ ଲାଭବାନ ହେବ।