ନୂଆଦିଲ୍ଲୀ: ଓଲ୍ଡ ମଙ୍କ (Old Monk) ରମ୍ ପ୍ରେମୀଙ୍କ ପାଇଁ ପୁଣି ବଡ଼ ଖବର । ନିର୍ମାତା କମ୍ପାନୀ 'ମୋହନ୍ ରକି ସ୍ପ୍ରିଙ୍ଗୱାଟର ବ୍ରୁଅରିଜ୍ ପ୍ରାଇଭେଟ୍ ଲିମିଟେଡ୍' ବମ୍ବେ ହାଇକୋର୍ଟରେ ଦାୟର କରିଥିବା ନିଜର ଆବେଦନକୁ ପ୍ରତ୍ୟାହାର କରିନେଇଛି। ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ବା FSSAI ଦ୍ୱାରା ଜାରି କରାଯାଇଥିବା ବିକ୍ରି ବ୍ୟାନ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି କମ୍ପାନୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ତେବେ କୋର୍ଟରୁ କୌଣସି ଆଶ୍ୱାସନା ମିଳିଲା ନାହିଁ । ଫଳରେ କମ୍ପାନୀ ନିଜର ଆବେଦନ ପ୍ରତ୍ୟାହାର କରିନେଇଛି । କମ୍ପାନୀ ବୋତଲର ଲେବୁଲ୍କୁ FSSAI ନିୟମ ଅନୁସାରେ ପରିବର୍ତ୍ତନ କରିବାକୁ ରାଜି ହୋଇଛି ।

ଏଫଏସଏସଏଆଇର ଆପତ୍ତି ଥିଲା ଯେ, ଓଲ୍ଡ ମଙ୍କର କିଛି ନିର୍ଦ୍ଦିଷ୍ଟ ଭାରିଆଣ୍ଟରେ ବାହାରୁ ଫ୍ଲେଭର ମିଶାଯାଉଛି। ତେଣୁ ନିୟମ ଅନୁସାରେ ଏହାକୁ କେବଳ ‘ରମ୍’କହି ବିକ୍ରି କରାଯାଇପାରିବ ନାହିଁ । ବୋତଲ ଉପରେ ସ୍ପଷ୍ଟ ଭାବରେ ‘ରମ୍-ଫ୍ଲେଭର୍ଡ ସ୍ପିରିଟ୍’ଲେଖିବାକୁ ପଡ଼ିବ। ଏହାସହ ବୋତଲ ଉପରେ ଦିଆଯାଉଥିବା ‘୭ ଇଅର୍ସ ଓଲ୍ଡ ବ୍ଲେଣ୍ଡେଡ୍’ ଏବଂ ‘ଭେରୀ ଓଲ୍ଡ ଭାଟେଡ୍’ ଭଳି ଦାବି ଉପରେ ମଧ୍ୟ ଫୁଡ୍ ସେଫ୍ଟି ରେଗୁଲେଟର ଆପତ୍ତି ପ୍ରକାଶ କରିଥିଲା।

ଏହି ସବୁ ନିୟମ ଉଲ୍ଲଙ୍ଘନ କାରଣରୁ FSSAI କମ୍ପାନୀର ମହାରାଷ୍ଟ୍ରସ୍ଥିତ ଖୋପୋଲି ପ୍ଲାଣ୍ଟରୁ ପ୍ରସ୍ତୁତ ହେଉଥିବା କେତେକ ଓଲ୍ଡ ମଙ୍କ ସାମଗ୍ରୀର ବିକ୍ରି ଓ ଯୋଗାଣ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇଥିଲା। କମ୍ପାନୀ ପକ୍ଷରୁ କୋର୍ଟରେ ଯୁକ୍ତି ଦର୍ଶାଯାଇଥିଲା ଯେ, ଏହି ବିକ୍ରି କଟକଣା ଯୋଗୁଁ ମହାରାଷ୍ଟ୍ର ସରକାରଙ୍କର ପ୍ରାୟ ୩୫୦ କୋଟି ଟଙ୍କାରୁ ଅଧିକ ଅବକାରୀ ରାଜସ୍ୱ କ୍ଷତି ହେଉଛି। ମୁଖ୍ୟ ବିଚାରପତି ମହେଶଚନ୍ଦ୍ର ତ୍ରିପାଠୀ ଏବଂ ଜଷ୍ଟିସ୍ ଅଦ୍ୱୈତ ସେଠନାଙ୍କ ପୀଠରେ ଏହି ମାମଲାର ଶୁଣାଣି ସମୟରେ, ହାଇକୋର୍ଟ ଏଆଏସଏସଏଆଇର ନିର୍ଦ୍ଦେଶ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଥିଲେ।

ଏହାପରେ କମ୍ପାନୀ ନିଜ ବୋତଲର ଲେବୁଲ୍ ବଦଳାଇ ନୂଆ ଲେବୁଲ୍ ଅନୁମୋଦନ ପାଇଁ ଏଫଏସଏସଏଆଇ ନିକଟରେ ଦାଖଲ କରିବ ବୋଲି କୋର୍ଟଙ୍କୁ ଜଣାଇ ଆବେଦନ ପ୍ରତ୍ୟାହାର କରିନେଇଛି। ତେବେ କମ୍ପାନୀ ଏଫଏସଏସଏଆଇ ଉଠାଇଥିବା ଆପତ୍ତିକୁ ଗମ୍ଭୀରତାର ସହ ନେଇ ଲେବୁଲ ପରିବର୍ତ୍ତନ ପାଇଁ ରାଜି ହୋଇଛି । ତେଣୁ ଆଗକୁ ନୂଆ ଲେବୁଲ ଥିବା ଓଲ୍ଡ ମଙ୍ଖ ବୋତଲ ବଜାରକୁ ଆସିପାରେ ।