ୱାଶିଂଟନ୍,୫ / ୧୧ : ବିଶ୍ୱର ଧନୀ ବ୍ୟବସାୟୀ ଏଲନ୍ ମସ୍କଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି ଆମେରିକାର ରାଜନୈତିକ ପରିବର୍ତ୍ତନ । ଟେକ୍ସାସ୍ ଏବଂ ସିନେଟ୍ ନିର୍ବାଚନରେ ଡେମୋକ୍ରାଟିକ୍ ପ୍ରାର୍ଥୀଙ୍କ ବିଜୟ ପରେ ମସ୍କଙ୍କ ବ୍ୟବସାୟିକ ସାମ୍ରାଜ୍ୟ ଉପରେ ନିବେଶକମାନଙ୍କ ନଜର କଡ଼ା ହୋଇଛି। ଏହାର ପ୍ରଭାବରେ ବୁଧବାର ଟେସ୍ଲା ଓ ସ୍ପେସ୍ଏକ୍ସର ସେୟାର ମୂଲ୍ୟ ଯଥାକ୍ରମେ ୩.୩ ପ୍ରତିଶତ ଓ ୩.୮ ପ୍ରତିଶତ ହ୍ରାସ ପାଇଛି। ଫଳରେ ଗୋଟିଏ ଦିନରେ ଉଭୟ କମ୍ପାନୀର ମିଳିତ ବଜାର ମୂଲ୍ୟ ପ୍ରାୟ ୧୩୦ ବିଲିୟନ୍ ଡଲାର ହ୍ରାସ ପାଇଛି।

କେବଳ ଟେକ୍ସାସ୍ ନୁହେଁ, ସାରା ଆମେରିକାରେ ଡେମୋକ୍ରାଟିକ୍ ପାର୍ଟିର ବଡ଼ ବିଜୟ ମସ୍କଙ୍କ ପାଇଁ ରାଜନୈତିକ ଚିନ୍ତା ବଢ଼ାଇଛି। କାରଣ ମସ୍କ ହେଉଛନ୍ତି ରିପବ୍ଲିକାନ୍ ପାର୍ଟିର ଜଣେ ପ୍ରମୁଖ ଆର୍ଥିକ ସମର୍ଥକ। ନିର୍ବାଚନ ପୂର୍ବରୁ ସେ ରିପବ୍ଲିକାନ୍ ପ୍ରାର୍ଥୀଙ୍କ ପାଇଁ ପ୍ରାୟ ୪୫୦ ନିୟୁତ ଡଲାର ଖର୍ଚ୍ଚ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏଥିମଧ୍ୟରୁ ପ୍ରାୟ ୨୦୫ ନିୟୁତ ଡଲାର ଟେକ୍ସାସ୍ର ନିର୍ବାଚନ ପାଇଁ ଖର୍ଚ୍ଚ ହୋଇଥିବା କୁହାଯାଇଛି।

ଟେକ୍ସାସ୍କୁ ମସ୍କ ନିଜ ବ୍ୟବସାୟିକ ସାମ୍ରାଜ୍ୟର ମୁଖ୍ୟ କେନ୍ଦ୍ର ଭାବେ ଗଢ଼ି ତୋଳିଛନ୍ତି। ଟେସ୍ଲା ଓ ସ୍ପେସ୍ଏକ୍ସ ଉଭୟର ମୁଖ୍ୟାଳୟ ଏହି ରାଜ୍ୟରେ ରହିଛି। କିନ୍ତୁ ଡେମୋକ୍ରାଟଙ୍କ ବିଜୟ ପରେ ଏବେ ତାଙ୍କ କମ୍ପାନୀଗୁଡ଼ିକର କାର୍ଯ୍ୟକଳାପ ଉପରେ ଅଧିକ ରାଜନୈତିକ ଚାପ ସହିତ ଅଧିକ ଅନୁସନ୍ଧାନ କରାଯାଇପାରେ ବିଶେଷକରି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ର ବିକାଶ, ଡାଟା ସେଣ୍ଟର ନିର୍ମାଣ, ମସ୍କଙ୍କ ବ୍ୟବସାୟିକ କାର୍ଯ୍ୟକଳାପ ଏବଂ ଟେସ୍ଲା-ସ୍ପେସ୍ଏକ୍ସର ସମ୍ଭାବ୍ୟ ମିଶ୍ରଣ ଉପରେ ଅଧିକ ଯାଞ୍ଚ ହୋଇପାରେ।

ଟାଇଗ୍ରେସ୍ ଫାଇନାନ୍ସିଆଲ୍ ପାର୍ଟନର୍ସର ମୁଖ୍ୟ ନିବେଶ ଅଧିକାରୀ ଇଭାନ୍ ଫେନ୍ଷ୍ଟାଇନ୍ଙ୍କ ମତରେ, ଟେକ୍ସାସ୍ରେ ଡେମୋକ୍ରାଟଙ୍କ ବିଜୟ ମସ୍କଙ୍କ ପାଇଁ ଏକ ନୂଆ ରାଜନୈତିକ ଚ୍ୟାଲେଞ୍ଜ। କାରଣ ମସ୍କ ଏହି ରାଜ୍ୟରେ ନିଜ ବ୍ୟବସାୟିକ ସାମ୍ରାଜ୍ୟ ଗଢ଼ିବା ପାଇଁ ବିପୁଳ ପୁଞ୍ଜି ନିବେଶ କରିଛନ୍ତି।

 

read also -; ରିପବ୍ଲିକାନ୍ ପାର୍ଟି ହାରିବା ପରେ ଝୁମିଲା ସେୟାର ବଜାର : ରକେଟ୍ ବେଗରେ ଉଠିଲା ସେନସେକ୍ସ-ନିଫ୍ଟି

ମସ୍କଙ୍କ ଆଉ ଏକ ବଡ଼ ଯୋଜନା ହେଉଛି ଟେସ୍ଲା ଓ ସ୍ପେସ୍ଏକ୍ସର ସମ୍ଭାବ୍ୟ ମିଶ୍ରଣ। ଏହି ମିଶ୍ରଣ ଏବେ ପ୍ରାରମ୍ଭିକ ଆଲୋଚନା ପର୍ଯ୍ୟାୟରେ ଥିବାବେଳେ ଏହାକୁ ନେଇ ଅଧିକ ଯାଞ୍ଚ ଓ ଅନୁମୋଦନ ସମ୍ପର୍କିତ ପ୍ରଶ୍ନ ଉଠିପାରେ। ଜାନୁଆରୀରେ ନୂଆ କଂଗ୍ରେସ କାର୍ଯ୍ୟଭାର ଗ୍ରହଣ କରିବା ପରେ ଏହି ପ୍ରକ୍ରିୟା ଅଧିକ ଜଟିଳ ହେବାର ଆଶଙ୍କା ରହିଛି।ଏହି କାରଣରୁ ମସ୍କ ନିଜର ଯୋଜନାକୁ ଶୀଘ୍ର ଆଗକୁ ବଢ଼ାଇବାକୁ ଚାହିଁପାରନ୍ତି ବୋଲି ନିବେଶ ବିଶ୍ଳେଷକମାନେ ମତ ଦେଇଛନ୍ତି।

ରାଜନୈତିକ ପରିସ୍ଥିତି ଅନୁକୂଳ ନ ରହିଲେ ମସ୍କ ଅନ୍ୟ ରାଜ୍ୟକୁ ନିଜର କିଛି ବ୍ୟବସାୟ ସ୍ଥାନାନ୍ତର କରିବା ବିଷୟରେ ଚିନ୍ତା କରିପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି। ୨୦୨୦ରେ ମସ୍କ ଟେକ୍ସାସ୍କୁ ନିଜ ବାସସ୍ଥାନ ଭାବେ ବାଛିଥିଲେ ଏବଂ ୨୦୨୧ରେ ଟେସ୍ଲାର ମୁଖ୍ୟାଳୟକୁ ମଧ୍ୟ ସେଠାକୁ ସ୍ଥାନାନ୍ତର କରିଥିଲେ। ତେବେ ଆଇନଗତ ଦୃଷ୍ଟିକୋଣରୁ ମସ୍କଙ୍କ ବ୍ୟବସାୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା କିମ୍ବା ଅଟକାଇବା ସହଜ ହେବ ନାହିଁ ବୋଲି ଜାକ୍ସ ଇନଭେଷ୍ଟମେଣ୍ଟ ରିସର୍ଚ୍ଚର ଷ୍ଟକ୍ ଷ୍ଟ୍ରାଟେଜିଷ୍ଟ ଆଣ୍ଡ୍ର୍ୟୁ ମତ ଦେଇଛନ୍ତି।

ଅନ୍ୟପଟେ ଦେଖିବାକୁ ଗଲେ ,ବୁଧବାର ଟେସ୍ଲାର ସେୟାର ହ୍ରାସ ପାଇଥିବାବେଳେ ଅନ୍ୟ ଇଲେକ୍ଟ୍ରିକ୍ ଯାନ ନିର୍ମାତା କମ୍ପାନୀ ରିଭିଆନ୍ ଅଟୋମୋଟିଭ୍ ଓ ଲୁସିଡ୍ ଗ୍ରୁପ୍ର ସେୟାର ମୂଲ୍ୟ ବୃଦ୍ଧି ପାଇଛି। ଡେମୋକ୍ରାଟଙ୍କ ନେତୃତ୍ୱରେ ଏହି କମ୍ପାନୀ ଗୁଡିକ ପାଇଁ ଅଧିକ ଅନୁକୂଳ ପରିବେଶ ସୃଷ୍ଟି ହେବାର ଅସାରେ ଏହି ବ୍ୟବସାୟୀ ମାନେ ଅଧିକ ଉତ୍ସାହିତ ଅଛନ୍ତି l

ସାମଗ୍ରିକ ଭାବେ ଦେଖିଲେ, ଆମେରିକାର ବଦଳୁଥିବା ରାଜନୈତିକ ସମୀକରଣ ଏଲନ୍ ମସ୍କଙ୍କ ବ୍ୟବସାୟିକ ଭବିଷ୍ୟତ ପାଇଁ ଏକ ନୂଆ ପରୀକ୍ଷା ସୃଷ୍ଟି କରିଛି। ଆଗାମୀ ଦିନରେ ନୂଆ କଂଗ୍ରେସର ନୀତି, ଏଆଇ କ୍ଷେତ୍ରରେ ନିୟନ୍ତ୍ରଣ ଏବଂ ଟେସ୍ଲା-ସ୍ପେସ୍ଏକ୍ସର ସମ୍ଭାବ୍ୟ ମିଶ୍ରଣ ଉପରେ ନିଆଯିବାକୁ ଥିବା ପଦକ୍ଷେପ ମସ୍କଙ୍କ ସାମ୍ରାଜ୍ୟର ଭବିଷ୍ୟତ ନିର୍ଦ୍ଧାରଣରେ ଗୁରୁତ୍ୱପୂର୍ଣ୍ଣ ହେବ।