ନୂଆଦିଲ୍ଲୀ: ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ) କାର ଓ ଦୁଇ ଚକିଆ ଯାନ ବୀମା ସମ୍ପର୍କିତ ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ନୂତନ ବ୍ୟବସ୍ଥା ଅନୁଯାୟୀ ଘରୋଇ ଯାନ ବୀମାକୁ ୪ ଭାଗରେ ବିଭକ୍ତ କରାଯାଇଛି। ନୂତନ ନିୟମ ୧୫ ଡିସେମ୍ବର ୨୦୨୬ରୁ କାର୍ଯ୍ୟକାରୀ ହେବ। ନୂତନ ନିୟମ ଅନୁଯାୟୀ ଯାନ ମାଲିକମାନେ ସେମାନଙ୍କ ଆବଶ୍ୟକତା ଅନୁସାରେ ବୀମା କଭରେଜ ବାଛି ପାରିବେ। ଏହି ବୀମା କିଣିବା ସମୟରେ ଦ୍ୱନ୍ଦ୍ୱ ଦୂର କରିବା ସହ ବାଧ୍ୟତାମୂଳକ ଓ ଇଛାଧିନ କଭରେଜ ବିଷୟରେ ପୃଥକ ସୂଚନା ଦିଆଯିବ।

ନୂତନ ବ୍ୟବସ୍ଥାର ଉଦ୍ଦେଶ୍ୟ ହେଉଛି ଯାନବାହନ ମାଲିକମାନଙ୍କୁ ବିଭିନ୍ନ ବୀମା ବିକଳ୍ପ ବିଷୟରେ ସ୍ପଷ୍ଟ ସୂଚନା ପ୍ରଦାନ କରିବା, ଯାହାଦ୍ୱାରା ସେମାନେ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ସଠିକ ବୀମା ବାଛି ପାରିବେ। ଏହି ବ୍ୟବସ୍ଥା ଘରୋଇ କାର ଓ ଦୁଇ ଚକିଆ ଯାନ ପାଇଁ ପ୍ରଯୁଜ୍ୟ ହେବ। ଯେଉଁ ବାହନ ମାଲିକମାନଙ୍କର ପୂର୍ବରୁ ତୃତୀୟପକ୍ଷ ବୀମା ଅଛି ସେମାନେ ପଲିସି ଅବଧି ମଧ୍ୟରେ ଯାତ୍ରୀଙ୍କ ଆଇନଗତ ଦାୟିତ୍ୱ ପାଇଁ ଅତିରିକ୍ତ କଭର ମଧ୍ୟ ପାଇ ପାରିବେ। ଏଥିପାଇଁ ଅତିରିକ୍ତ ପ୍ରିମିୟମ ପୈଠ କରିବାକୁ ହେବ। ଏହି କଭର ତୃତୀୟପକ୍ଷ ବୀମା ଜାରି କରିଥିବା ସମାନ କମ୍ପାନୀଠାରୁ ନେବାକୁ ହେବ। ଏଥି ପାଇଁ ପୂର୍ବରୁ ଥିବା ତୃତୀୟପକ୍ଷ ବୀମା ପଲିସି ବାତିଲ କରିବାର କୌଣସି ଆବଶ୍ୟକତା ପଡିବ ନାହିଁ। ନୂତନ କଭର ବୀମା କମ୍ପାନୀପକ୍ଷରୁ ଜାରି ଅନୁମୋଦନରେ ଉଲ୍ଲେଖ କରାଯାଇଥିବା ତାରିଖ ଏବଂ ସମୟରୁ କାର୍ଯ୍ୟକାରୀ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବୀମା ନିୟମରେ ପରିବର୍ତ୍ତନ କରାଯାଇଛି।

ଆଇଆରଡିଏ ସ୍ପଷ୍ଟ ଭାବେ କହିଛନ୍ତି ଯେ ବୀମା କମ୍ପାନୀଙ୍କୁ ପଲିସିରେ ସ୍ପଷ୍ଟ ଉଲ୍ଲେଖ କରିବାକୁ ପଡିବ ଯେ ଗ୍ରାହକ ଯାନ ପାଇଁ ବୀମା ପଲିସିରେ କେଉଁ ବୀମା କଭର ନେଇଛନ୍ତି ଏବଂ ପ୍ରତ୍ୟେକ କଭର ପାଇଁ କେତେ ପ୍ରିମିୟମ ଆଦାୟ କରିଛନ୍ତି। ପ୍ରତ୍ୟେକ ବୀମା କମ୍ପାନୀ ବୀମା ବିକିବା ବେଳେ ଗ୍ରାହକଙ୍କୁ ବିକଳ୍ପ ଫର୍ମ ପ୍ରଦାନ କରିବାକୁ ବାଧ୍ୟ। ଏହି ଫର୍ମ ଗ୍ରାହକଙ୍କୁ ସେମାନଙ୍କ ପସନ୍ଦର ବୀମା କଭର ଚିହ୍ନିତ କରିବାକୁ ଅନୁମତି ଦେବ। ବୀମା କମ୍ପାନୀ ବିକଳ୍ପ ଫର୍ମ ଅନଲାଇନ ଓ ଅଫଲାଇନ ଉପଲବ୍ଧ କରାଇବା ବାଧ୍ୟତାମୂଳକ ହେବ। ଏହା ସହିତ ଗ୍ରାହକ ଏକ ସୂଚନାପତ୍ର ପ୍ରଦାନ କରିବା ମଧ୍ୟ ବାଧ୍ୟତାମୂଳକ ହେବ।

ମୋଟର ବାହନ ବୀମାର ୪ଟି ଭାଗ

  • ଏଥିରେ ତୃତୀୟପକ୍ଷ ବୀମା ଅନିବାର୍ଯ୍ୟ ହେବ। କୌଣସି ଦ୍ୱିତୀୟ ବ୍ୟକ୍ତି ଅଥବା ସମ୍ପତ୍ତିର ହେଉଥିବା କ୍ଷତି ଲାଗି ଆଇନଗତ ଦେନଦାରୀର କଭର ମିଳିବ।
  • ବାହନରେ ବସିଥିବା ଯାତ୍ରୀ ଅଥବା ଦୁଇ ଚକିଆ ବାହନ ପଛରେ ବସିଥିବା ବ୍ୟକ୍ତିକୁ ନେଇ ଆଇନଗତ ଦେନଦାରୀ ର ବୀମା ବିକଳ୍ପ ଭାବେ ମିଳିବ।
  • ବାହନ ମାଲିକଙ୍କ ଲାଗି ବ୍ୟକ୍ତିଗତ ଦୁର୍ଘଟଣା ବୀମା ଅନିବାର୍ଯ୍ୟ ଶ୍ରେଣୀରେ ରହିବ। ସେହିପରି ବାହନରେ ବସିଥିବା ଅନ୍ୟ ଲୋକ ଓ ମାଲିକଙ୍କ ବ୍ୟତୀତ ବାହନ ଚଳାଉଥିବା ବ୍ୟକ୍ତି ନିମନ୍ତେ ବ୍ୟକ୍ତିଗତ ଦୁର୍ଘଟଣା ବୀମା ବିକଳ୍ପ ରହିବ
  • ଦୁର୍ଘଟଣା ଅଥବା ଅନ୍ୟ ବୀମିତ କାରଣରୁ ବାହନର ହେଉଥିବା କ୍ଷତିର ବୀମା ବିକଳ୍ପ ରହିବ। ଏହି ବୀମାର ମୂଲ୍ୟ ନିର୍ଦ୍ଧାରଣ କରିବା ପାଇଁ କମ୍ପାନୀ ବଜାର ପରିସ୍ଥିତି ଅନୁସାରେ ନିଷ୍ପତ୍ତି ନେଇ ପାରିବେ।