ଲର୍ଡସ୍: ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ମହାମୁକାବିଲାରେ ଭାରତକୁ ୨୭ ରନ୍ରେ ହରାଇଛି ଇଂଲଣ୍ଡ। ଏହି ବିଜୟ ସହ ଘରୋଇ ଇଂଲଣ୍ଡ ଦଳ ୨-୧ରେ ଦିନିକିଆ ସିରିଜ୍ ନିଜ ନାମରେ କରିଛି। ଚିତ୍ତାକର୍ଷକ ଓ ହାଇ-ସ୍କୋରିଂ ହୋଇଥିବା ଏହି ମ୍ୟାଚ୍ରେ ମୋଟ୍ ୭୪୭ ରନ୍ ହୋଇଛି। ୨ଟି ଶତକ ଏବଂ ୪ଟି ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା।

ମ୍ୟାଚ୍ରେ ଜାକବ୍ ବେଥେଲ୍ 'ପ୍ଲେୟାର୍ ଅଫ୍ ଦ ମ୍ୟାଚ୍' ଏବଂ ଜୋ ରୁଟ୍ 'ପ୍ଲେୟାର୍ ଅଫ୍ ଦ ସିରିଜ୍' ବିବେଚିତ ହୋଇଛନ୍ତି। ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ଦଳ ଆରମ୍ଭରୁ ହିଁ ବିସ୍ଫୋରକ ବ୍ୟାଟିଂ କରିଥିଲା। ଦୁଇ ଓପନର ଜାକବ ବେଥେଲ ଓ ବେନ୍ ଡକେଟ୍ ପ୍ରଥମ ୱିକେଟ୍ରେ ୧୯୨ ରନ୍ର ଭାଗିଦାରୀ ଗଢ଼ିଥିଲେ। ବେଥେଲ୍ ୯୧ ରନ୍ କରି ଆଉଟ୍ ହୋଇଥିବା ବେଳେ ଡକେଟ୍ ଆକର୍ଷଣୀୟ ୧୪୧ ରନ୍ର ଶତକୀୟ ପାରି ଖେଳିଥିଲେ। ଶେଷଆଡ଼କୁ ଜୋ ରୁଟ୍ଙ୍କ ଦ୍ରୁତ ୭୪ ରନ୍ ଓ ଜୋସ୍ ବଟଲର୍ଙ୍କ ୧୩ ବଲ୍ରୁ ଅପରାଜିତ ୪୧ ରନ୍ ବଳରେ ଇଂଲଣ୍ଡ ୩ ୱିକେଟ୍ ହରାଇ ୩୮୭ ରନ୍ର ବିଶାଳ ପାହାଡ଼ ଛିଡ଼ା କରିଥିଲା।

୩୮୮ ରନ୍ର ବୃହତ୍ ଲକ୍ଷ୍ୟକୁ ପିଛା କରି ଭାରତ ଦମଦାର ଆରମ୍ଭ କରିଥିଲା। ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ୍ ଗିଲ୍ ପ୍ରଥମ ୱିକେଟ୍ରେ ୧୪୭ ରନ୍ ଯୋଡ଼ିଥିଲେ। ଗିଲ୍ ୭୭ ରନ୍ କରି ଆଉଟ୍ ହେବା ପରେ, ପ୍ରଥମ ଦୁଇଟି ମ୍ୟାଚ୍ରେ ବିଫଳ ହୋଇଥିବା ଅଧିନାୟକ ରୋହିତ ଶର୍ମା ସମାଲୋଚକଙ୍କୁ ବ୍ୟାଟ୍ରେ ଜବାବ ଦେଇଥିଲେ। ସେ ୧୭ଟି ଚୌକା ଓ ୫ଟି ଛକା ସାହାଯ୍ୟରେ ନିଜର ୩୪ତମ ଦିନିକିଆ ଶତକ ୧୩୮ ରନ୍ ହାସଲ କରିଥିଲେ।

ରୋହିତ ଓ କୋହଲି ଦ୍ୱିତୀୟ ୱିକେଟ୍ରେ ୧୧୩ ରନ୍ ଯୋଗ କରି ବିଜୟ ଆଶା ଉଜ୍ଜୀବିତ ରଖିଥିଲେ। ମାତ୍ର ଦଳୀୟ ସ୍କୋର୍ ୨୬୦ ବେଳେ ରୋହିତ ଆଉଟ୍ ହେବା ପରେ ଭାରତୀୟ ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା।

ବିରାଟ କୋହଲି ୭୪ ରନ୍ର ପାରି ଖେଳି ଆଉଟ୍ ହେବା ପରେ ଅନ୍ୟ ମିଡିଲ୍ ଅର୍ଡର ବ୍ୟାଟର ଇଶାନ କିଷନ୍ (୧୪), ଶ୍ରେୟାସ ଆୟର (୦), କେ.ଏଲ. ରାହୁଲ (୧୨) ଓ ଅକ୍ଷର ପଟେଲ (୨) ସମ୍ପୂର୍ଣ୍ଣ ଫେଲ୍ ମାରିଥିଲେ। ୬୯ ରନ୍ ଭିତରେ ଭାରତ ୬ଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା।

ଶେଷଆଡ଼କୁ ଅର୍ଶଦୀପ ଓ ଗରନୂର ୩୧ ରନ୍ ଯୋଗ କରି ଦଳୀୟ ସ୍କୋର୍କୁ ୩୬୦ରେ ପହଞ୍ଚାଇଥିଲେ ସୁଦ୍ଧା ଭାରତ ୭ ୱିକେଟ୍ ହରାଇ ୨୭ ରନ୍ରେ ମ୍ୟାଚ୍ ହାରିଯାଇଥିଲା। ଇଂଲଣ୍ଡ ପକ୍ଷରୁ ସାମ୍ କୁରାନ୍ ସର୍ବାଧିକ ୪ଟି ୱିକେଟ୍ ଅକ୍ତିଆର କରିଥିଲେ।