ନୂଆଦିଲ୍ଲୀ: ୧୬ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଗସ୍ତରେ ଆସୁଛନ୍ତି ଜାପାନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ସନାଏ ତାକାଇଚି। ପ୍ରଧାନମନ୍ତ୍ରୀ ଭାବେ ଏହା ତାଙ୍କର ପ୍ରଥମ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗସ୍ତ। ଏହି ମେଗା ସମ୍ମିଳନୀରେ ଭାରତର ଉତ୍ତର-ପୂର୍ବ ଅଞ୍ଚଳର ବିକାଶ ଏବଂ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଗସ୍ତ ପୂର୍ବରୁ ଏକ ପ୍ରମୁଖ ଖବରକାଗଜର ଓପ୍-ଏଡରେ ସ୍ୱାମୀ ବିବେକାନନ୍ଦ ଏବଂ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ସେହି ଐତିହାସିକ ସୂତ୍ରକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ତାକାଇଚି

ଯେଉଁଥିରେ ଉଲ୍ଲେଖ କରାଯାଇଛି- ଏକ ଶକ୍ତିଶାଳୀ ଭାରତ ଜାପାନ ପାଇଁ ଭଲ ଏବଂ ଏକ ଶକ୍ତିଶାଳୀ ଜାପାନ ଭାରତ ପାଇଁ ଭଲ। ଏହା ଏକ ବଡ଼ ଆର୍ଥିକ-ସୁରକ୍ଷା ଚୁକ୍ତି। ଉତ୍ତର-ପୂର୍ବ ଭାରତ ସାଜିବ ରଣନୀତିକ କେନ୍ଦ୍ରବିନ୍ଦୁ। ଜାପାନ ତାର 'ମୁକ୍ତ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର' (FOIP) ଦୂରଦୃଷ୍ଟିକୁ ଭାରତର ମହାସାଗର ସହ ସିଧାସଳଖ ଯୋଡ଼ିଛି। ଭାରତର ଉତ୍ତର-ପୂର୍ବ ଅଞ୍ଚଳରେ ଏହି ଯୋଜନା ବାସ୍ତବ ରୂପ ନେଉଛି।

ଜାପାନ ପାଣ୍ଠିରେ ନିର୍ମିତ ଧୁବ୍ରି-ଫୁଲବାରୀ ବ୍ରିଜ୍ ଯୋଗାଯୋଗକୁ ସହଜ କରିବ। ସେହିପରି ବାଂଲାଦେଶର ମାତାରବାଡ଼ି ବନ୍ଦର ଆସାମରୁ ବାଂଲାଦେଶ ଦେଇ ଆସିଆନ୍ (ASEAN) ଦେଶଗୁଡ଼ିକ ପର୍ଯ୍ୟନ୍ତ ଏକ "ଶିଳ୍ପ ଭାଲ୍ୟୁ ଚେନ୍" ତିଆରି କରାଯାଉଛି।

ଟୋକିଓ କେବଳ ଭିତ୍ତିଭୂମି ତିଆରି କରୁନାହିଁ, ବରଂ ଚୀନର ପ୍ରଭାବକୁ ଏଡ଼ାଇବା ପାଇଁ ଏକ ଶକ୍ତିଶାଳୀ ବିକଳ୍ପ କରିଡର ପ୍ରସ୍ତୁତ କରୁଛି। ଅର୍ଥନୀତି ଓ ପ୍ରତିରକ୍ଷା ସହଯୋଗର ମୁଖ୍ୟ ତଥ୍ୟ ଚୀନର ଚାପ ଏବଂ ଆମେରିକାର ବାଣିଜ୍ୟିକ ଅନିଶ୍ଚିତତା ମଧ୍ୟରେ ଜାପାନ, ଭାରତ ଉପରେ ବଡ଼ ବାଜି ଲଗାଇଛି।

ବିଦେଶୀ ନିବେଶ (FDI) ଆଧାରରେ ଜାପାନ ଭାରତର ୫ମ ବୃହତ୍ତମ ବିନିଯୋଗକାରୀ। ସାମ୍ପ୍ରତିକ ନିବେଶ ୪୮ ବିଲିୟନ ଏବଂ ଆଗାମୀ ଦଶନ୍ଧି ପାଇଁ ୧୦ ଟ୍ରିଲିୟନ ୟେନର ଲକ୍ଷ୍ୟ ରହିଛି। ପ୍ରାୟ ୧,୫୦୦ ଜାପାନୀ କମ୍ପାନୀ ଭାରତରେ କାର୍ଯ୍ୟ କରୁଛନ୍ତି, ଯେଉଁମାନେ ଚୀନର ଭୂ-ରାଜନୀତିକ ବିବାଦ ଯୋଗୁଁ ସେଠାରୁ ନିଜ ବ୍ୟବସାୟ ସ୍ଥାନାନ୍ତର କରୁଛନ୍ତି। ପରବର୍ତ୍ତୀ ପ୍ରୋଜେକ୍ଟ ସେମି କଣ୍ଡକ୍ଟର, ଗୁରୁତ୍ୱପୂର୍ଣ୍ଣ ମିନେରାଲ୍ସ, ଏଆଇ, ବାୟୋ ଗ୍ୟାସ ଏବଂ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ଉପରେ ବଡ଼ ନିଷ୍ପତ୍ତି ଆଶା କରାଯାଉଛି।

ଫ୍ରି ଆଣ୍ଡ ଓପନ୍ ଇଣ୍ଡୋ-ପ୍ୟାସିଫିକ୍ (FOIP) ର ୩ଟି ମୁଖ୍ୟ ଲକ୍ଷ୍ୟ ରହିଛି। ପ୍ରଥମତଃ ଆଇନର ଶାସନ ଏବଂ ନୌଚାଳନା ସ୍ୱତନ୍ତ୍ରତା। ସମୁଦ୍ର ପଥରେ ସମସ୍ତ ଦେଶର ମୁକ୍ତ ବାଣିଜ୍ୟ ଅଧିକାରକୁ ସୁରକ୍ଷିତ ରଖିବା। ଦ୍ୱିତୀୟତଃ ଅର୍ଥନୈତିକ ସମୃଦ୍ଧି: ମୁକ୍ତ ବାଣିଜ୍ୟ ଚୁକ୍ତି ଏବଂ ଉଚ୍ଚମାନର ଭିତ୍ତିଭୂମିରେ ନିବେଶ ବଢ଼ାଇବା। ତୃତୀୟଟି ହେଲା ସାମୁଦ୍ରିକ ବିପଦର ମୁକାବିଲା କରିବା ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମିଳିତ ଭାବେ କାର୍ଯ୍ୟ କରିବା।