ନୂଆଦିଲ୍ଲୀ,୧୩|୦୬:ସ୍ବଦେଶୀ ପ୍ରତିରକ୍ଷା କମ୍ପାନି ଏସଏମପିପି ଭାରତୀୟ ସେନାକୁ ୧୦୬ଟି କାମିକାଜେ ଡ୍ରୋନ୍ ହସ୍ତାନ୍ତର କରିଛି। ସେଥିମଧ୍ୟରୁ ୧୦୦ଟି ଅପରେସନାଲ ହୋଇଥିବାବେଳେ ୬ଟି ହେଉଛି ଟ୍ରେନିଂ ଡ୍ରୋନ୍ । ଏହାକୁ ‘ପିସ୍ କିପର’ ( ଅଗ୍ନିବେଗ) ନାମ ଦିଆଯାଇଛି।

ଏହା ଭାରତର ମାନବବିହୀନ ଯୁଦ୍ଧ କ୍ଷମତା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ଦିଗରେ ଏକ ଗୁରୁତ୍ବପୂର୍ଣ ପଦକ୍ଷେପ ବୋଲି କୁହାଯାଉଛି। ବେଲାରୁଷର ଏକ ଫାର୍ମ ସହାୟତାରେ ଏହାକୁ ପ୍ରସ୍ତୁତ କରାଯାଇଛି। ଏହି ଡ୍ରୋନର ଲକ୍ଷ୍ୟଭେଦ କ୍ଷମତା ୧୮୦ କି.ମି। ଏହା ଘଣ୍ଟାପ୍ରତି ସର୍ବଧିକ ୪୫୦ କି.ମି ବେଗରେ ଉଡ଼ିପାରିବ। ଏହା ଉପରେ ଜାମିଂର ପ୍ରଭାବ ରହିବ ନାହିଁ।

Also Read :-ମହିଳାଙ୍କ ପାଇଁ ନର୍କ ଆଫଗାନିସ୍ତାନ : ୧୦ରୁ ଅଧିକ ଗିରଫ, କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ସେହିପରି ସ୍କୁପିଂ ଜରିଆରେ କେହି ଏହାକୁ ଲକ୍ଷ୍ୟଭ୍ରଷ୍ଟ କରିପାରିବେ ନାହିଁ । ଜିପିଏସ୍ ସିଗନାଲ ନଥିବା ଯୁଦ୍ଧକ୍ଷେତ୍ରରେ ଏହା କାମ କରିବାରେ ସକ୍ଷମ। ଅଗ୍ନିବେଗ ଶତ୍ରୁପକ୍ଷର ଗୁରୁତ୍ଵପୂର୍ଣ୍ଣ ସାମରିକ ଭିତ୍ତିଭୂମି, ଲଜିଷ୍ଟିକସ ହବ୍, କମାଣ୍ଡ ସେଣ୍ଟର, ରାଡାର ଇନଷ୍ଟଲେସନ୍ ଏବଂ ଅନ୍ୟ ରଣନୈତିକ ଠିକଣା ଉପରେ ପ୍ରିସିସନ୍ ଆକ୍ରମଣ କରିପାରିବ।

‘ଅପରେସନ୍ ସିନ୍ଦୂର’ ପରେ ଗତବର୍ଷ ରାଜସ୍ଥାନର ପୋଖରାନରେ ଏହାର ଟ୍ରାଏଲ ପରେ ଭାରତୀୟ ସେନା ଏହାକୁ କିଣିବା ଲାଗି ଚୟନ କରିଥିଲା। ଟ୍ରାଏଲ ସମୟରେ ଅଗ୍ନିବେଗ ଜାମିଂ ଏବଂ ସ୍କୁଫି ଭଳି ସ୍ଥିତିରେ ଉନ୍ନତ ପ୍ରଦର୍ଶନ କରିଥିଲା। ସେଥିରୁ ଏହାର ସଠିକତା ଏବଂ ବିଶ୍ୱସନୀୟତା ସାବ୍ୟସ୍ତ ହୋଇଥିଲା।