କାବୁଲ,୧୩|୦୬:ଆଫଗାନିସ୍ତାନରେ ତାଲିବାନ ସରକାର ଆସିଲା ପରେ ମହିଳାଙ୍କ ଅବସ୍ଥା ଭଲ ନାହିଁ । ସେମାନଙ୍କୁ ଅନେକ ନିୟମ ମାନିବାକୁ ହେଉଛି । ଖିଲାପ କଲେ ଭୟଙ୍କର ଦଣ୍ଡ ଦିଆଯାଉଛି । ଛୋଟ ଛୋଟ ଭୁଲ ପାଇଁ ଜେଲ୍ ପଠାଇ ଦେଉଛନ୍ତି ତାଲିବାନ ସରକାର । ଯାହାକୁ ଗୁରୁତର ସହ ନେଇଛି ଜାତିସଙ୍ଘ । ଏନେଇ ରିପୋର୍ଟ ମଧ୍ୟ ପ୍ରକାଶ କରିଛି ।

Also Read :- ଆଶୁତୋଷଙ୍କୁ ନ୍ୟାୟ ଦେବାକୁ ଗାଁ ଲୋକଙ୍କ ମେଳି, ଶବକୁ ରଖି ବନ୍ଦ କରିଦେଲେ ରାସ୍ତା, ରାତିସାରା ନାକେଦମ୍ ପୋଲିସ

ଜାତିସଙ୍ଘର ରିପୋର୍ଟ ଅନୁସାରେ, ଗତ କିଛି ଦିନ ମଧ୍ୟରେ ୧୦ରୁ ଅଧିକ ଆଫଗାନ୍ ମହିଳା ଗିରଫ ହୋଇଛନ୍ତି । ସେମାନଙ୍କ ବିରୋଧରେ ବୁର୍ଖା ଏବଂ ଚାଦର ନପିନ୍ଧିବା ଭଳି ଅଭିଯୋଗ ରହିଛି । ଏହାସହ ଅତର ଲଗାଇବା ଅଭିଯୋଗରେ ମଧ୍ୟ କିଛି ଜଣ ଗିରଫ ହୋଇଛନ୍ତି । ଯାହା ମାନବାଧିକାରକୁ ଖୁଲମଖୁଲା ଉଲ୍ଲଙ୍ଘନ କରୁଛି ।

ୟୁଏନ ଆହୁରି କହିଛି ଯେ, ଘଟଣାକୁ ନେଇ ଆଫଗାନିସ୍ତାନର ଅନେକ ମହିଳା ଏବଂ ଯୁବତୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ମୁହଁ ଖୋଲୁ ନାହାଁନ୍ତି । ଏହାର ପ୍ରଭାବ ସେମାନଙ୍କ ପରିବାର ଉପରେ ମଧ୍ୟ ପଡୁଛି । ଏହାଦ୍ୱାରା ସେମାନଙ୍କୁ ପରିବାର ସଦସ୍ୟଙ୍କଠୁ ସମର୍ଥନ ମିଳୁନି । ସ୍ଥାନୀୟ ଲୋକେ ସେହି ମହିଳାଙ୍କୁ ହୀନ ଚକ୍ଷୁରେ ଦେଖୁଛନ୍ତି । ଜେଲରୁ ଖଲାସ ହେଲା ପରେ ଆଗଭଳି ସମ୍ମାନ ରହୁନି ।

ଏପରିକି ଆଫଗାନର ହେରାତ୍ ସହରରେ ଗତ ଜୁନ ମାସରେ ଅନେକ ମହିଳା ଏବଂ ପୁରୁଷ ତାଲିବାନର ମନମାନୀ ବିରୋଧରେ ଧାରଣା ଦେଇଥିଲେ । ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କିନ୍ତୁ ତାଲିବାନର ସୈନ୍ୟ ବିକ୍ଷୋଭକାରୀଙ୍କୁ ଘଉଡାଇବାକୁ ଗୁଳି ଚାଳନା କରିଥିଲେ । ଏଥିରେ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିଲେ । ତେବେ ଏସବୁ ବଞ୍ଚିବାର ସ୍ୱାଧିନତା ବିରୋଧୀ ବୋଲି ଜାତିସଙ୍ଘର ଅଧିକାରୀ କହିଛନ୍ତି ।

ସୂଚନାଯୋଗ୍ୟ, କିଛି ଦିନ ତଳେ ତାଲିବାନ ସରକାର ଆଉ ଏକ ଅଜବ ନିୟମ ଆଣିଥିଲା । ଏଥିରେ ପତ୍ନୀଙ୍କୁ ପତି ମାଡ ମାରିପାରିବେ ବୋଲି ନିୟମ ରହିଥିଲା । ଏପରିକି ବାପ ଘରକୁ ଯିବା ପାଇଁ ସ୍ୱାମୀଙ୍କ ଅନୁମତି ଦରକାର । ସ୍ୱାମୀଙ୍କ କଥା ନମାନିଲେ ଅପରାଧ ବୋଲି ବିବେଚନା କରାଯିବ ବୋଲି ତାଲିବାନ ନିର୍ଦ୍ଦେଶ ଦେଇଥିଲା ।