ଦିଲ୍ଲୀ : ବିଶ୍ୱ ଅର୍ଥନୀତିକୁ ନେଇ ଏବେ ବଢ଼ୁଛି ଚିନ୍ତା । ଗ୍ଲୋବାଲ୍ କ୍ୟାଶ୍ କ୍ରାଇସିସ, ଆର୍ଥିକ ଅସ୍ଥିରତା ଏବଂ ମୁଦ୍ରା ବଜାରରେ ଅନିଶ୍ଚିତତା ମଧ୍ୟରେ ସୁନା ଦରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ୨୦୨୭କୁ ନେଇ ବାବା ଭେଙ୍ଗାଙ୍କ ନାମରେ ପ୍ରଚଳିତ ଏକ ଭବିଷ୍ୟବାଣୀ ସୋସିଆଲ ମିଡିଆରେ ପୁଣି ଚର୍ଚ୍ଚାରେ ଆସିଛି । କୁହାଯାଉଛି ଯେ ଆଗାମୀ ଦିନରେ ବିଶ୍ୱ ଅର୍ଥନୀତିରେ ବଡ଼ ଧରଣର ଅସ୍ଥିରତା ଦେଖାଦେଇପାରେ ଏବଂ ଏହାର ପ୍ରଭାବରେ ସୁନାର ଚାହିଦା ଓ ମୂଲ୍ୟ ଆଗକୁ ଆହୁରି ବଢ଼ିପାରେ।

ସୁନାକୁ ସାଧାରଣତଃ ଆର୍ଥିକ ଅନିଶ୍ଚିତତା ସମୟରେ ଏକ ସୁରକ୍ଷିତ ସମ୍ପତ୍ତି ଭାବେ ଦେଖାଯାଏ। ତେଣୁ ବିଶ୍ୱ ବଜାରରେ ଅସ୍ଥିରତା ବଢ଼ିଲେ ନିବେଶକମାନଙ୍କ ଆଗ୍ରହ ସୁନା ଆଡ଼କୁ ବଢ଼ିବାର ସମ୍ଭାବନା ରହିଥାଏ । ଏହି କାରଣରୁ ଆଗାମୀ ଦିନରେ ସୁନା ଦର ନୂଆ ଉଚ୍ଚତା ଛୁଇଁପାରେ କି ନାହିଁ, ତାହାକୁ ନେଇ ବଜାରରେ ଆଲୋଚନା ଚାଲିଛି। ଏହାରି ମଧ୍ୟରେ ବାବା ଭେଙ୍ଗାଙ୍କ ନାମରେ ୨୦୨୭କୁ ନେଇ କିଛି ଭବିଷ୍ୟବାଣୀ ଇଣ୍ଟରନେଟରେ ପ୍ରଚାରିତ ହେଉଛି। ଏଥିରେ ବିଶ୍ୱରେ ବଡ଼ ଆର୍ଥିକ ପରିବର୍ତ୍ତନ ଏବଂ ସଙ୍କଟ ଆସିବାର ଦାବି କରାଯାଉଛି। କିଛି ରିପୋର୍ଟ ଏହି ଦାବିକୁ ସୁନା ଦର ବୃଦ୍ଧି ସହ ଯୋଡ଼ୁଛି।

ତେବେ ଏଠାରେ ବଡ଼ କଥା ହେଉଛି ଅଧିକାଂଶ ସମୟରେ ବାବା ଭେଙ୍ଗାଙ୍କ ନାମରେ ପ୍ରଚଳିତ ଏହି ଭବିଷ୍ୟବାଣୀଗୁଡ଼ିକର କିଛି ପ୍ରାମାଣିକ ତଥ୍ୟ ମିଳିନଥାଏ। ତେଣୁ ଏଗୁଡ଼ିକୁ ନିଶ୍ଚିତ ଭବିଷ୍ୟବାଣୀ ଭାବେ ନେବା ଠିକ୍ ନୁହେଁ। ବାସ୍ତବରେ ସୁନା ଦର ନିର୍ଭର କରେ ଅନେକ ଆର୍ଥିକ ଓ ଷ୍ଟକ ମାର୍କେଟ ଉପରେ। ଆମେରିକୀୟ ଡଲାରର ଗତି, ସୁଧ ହାର, ମୁଦ୍ରାସ୍ଫୀତି, କେନ୍ଦ୍ରୀୟ ବ୍ୟାଙ୍କର ସୁନା କ୍ରୟ ଏବଂ ବିଶ୍ୱ ଭୂ-ରାଜନୈତିକ ପରିସ୍ଥିତି ସୁନା ମୂଲ୍ୟକୁ ପ୍ରଭାବିତ କରିପାରେ। ତେଣୁ ୨୦୨୭ରେ ସୁନା ଦର କେତେ ଉପରକୁ ଯିବ, ତାହା କହିବା ସମ୍ଭବ ନୁହେଁ। ବାବା ଭେଙ୍ଗାଙ୍କ ନାମରେ ଭାଇରାଲ୍ ହେଉଥିବା ଦାବି ଏବଂ ବାସ୍ତବ ଅର୍ଥନୈତିକ ସୂଚକ ଦୁଇଟିକୁ ଅଲଗା ଭାବେ ଦେଖିବା ହିଁ ଅଧିକ ଯୁକ୍ତିଯୁକ୍ତ ହେବ ।