ନୂଆଦିଲ୍ଲୀ : ପ୍ରାୟ ଏକ ହଜାର ବର୍ଷ ପରେ ବୁଲଗେରିଆ ଫେରିବ ମଧ୍ୟଯୁଗୀୟ ଶାସକ ଜାର ସାମୁଏଲଙ୍କ ମୃତଦେହର ଅବଶେଷ। ଗ୍ରୀସ୍ର ଥେସାଲୋନିକିସ୍ଥିତ ମ୍ୟୁଜିୟମ୍ ଅଫ୍ ବାଇଜାଣ୍ଟାଇନ୍ କଲ୍ଚର୍ରେ ରଖାଯାଇଥିବା ଏହି ଅବଶେଷକୁ ଶନିବାର ବୁଲଗେରିଆକୁ ହସ୍ତାନ୍ତର କରାଯିବା ପରେ ସୋଫିଆ ନିଆଯିବ। 

ଜାର ସାମୁଏଲ୍ ପ୍ରଥମ ବୁଲଗେରିଆନ୍ ସାମ୍ରାଜ୍ୟର ଶେଷ ଦିଗର ଜଣେ ପ୍ରମୁଖ ଶାସକ ଥିଲେ। ସେ ବାଇଜାଣ୍ଟାଇନ୍ ସାମ୍ରାଜ୍ୟ ବିରୋଧରେ ଯୁଦ୍ଧ କରି ନିଜ ସାମ୍ରାଜ୍ୟର ସୀମା ବଢ଼ାଇବାକୁ ଚେଷ୍ଟା କରିଥିଲେ। ୧୦୧୪ ମସିହାରେ ପରାଜୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ବୁଲଗେରିଆରେ ସାମୁଏଲଙ୍କୁ ଜାତୀୟ ପରିଚୟର ଏକ ପ୍ରମୁଖ ପ୍ରତୀକ ଭାବେ ଦେଖାଯାଏ।

ପ୍ରାୟ ୬୦ ବର୍ଷ ପୂର୍ବେ ଗ୍ରୀସ୍ର ସୀମାନ୍ତ ଅଞ୍ଚଳରୁ ତାଙ୍କର ଅବଶେଷ ଆବିଷ୍କୃତ ହୋଇଥିଲା। ଏହାକୁ ଗ୍ରୀସ୍ରେ ସଂରକ୍ଷିତ ରଖାଯାଇଥିଲା। ଦୀର୍ଘ ବର୍ଷର ଆଲୋଚନା ଓ କୂଟନୈତିକ ପ୍ରୟାସ ପରେ ଏବେ ଏହାକୁ ବୁଲଗେରିଆକୁ ଫେରାଇବା ପାଇଁ ଦୁଇ ଦେଶ ମଧ୍ୟରେ ସହମତି ହୋଇଛି।

ବୁଲଗେରିଆର ରାଜଧାନୀ ସୋଫିଆକୁ ସାମୁଏଲଙ୍କ ଅବଶେଷ ସାମରିକ ବିମାନରେ ନିଆଯିବ। ସେଠାରେ ରାଷ୍ଟ୍ରୀୟ ସମ୍ମାନ ସହ ତାଙ୍କୁ ସ୍ୱାଗତ କରାଯିବ। ଏଥିରେ ଫାଇଟର୍ ଜେଟ୍ ଏସ୍କର୍ଟ, ୨୧ ତୋପର ସଲାମୀ ଏବଂ ଏକ ଶୋଭାଯାତ୍ରା ରହିବ। ପରେ ସାମୁଏଲଙ୍କ ଅବଶେଷକୁ ସେଣ୍ଟ ସୋଫିଆ ଚର୍ଚ୍ଚରେ ରଖାଯିବ, ଯେଉଁଠାରେ ସାଧାରଣ ଲୋକେ ଶ୍ରଦ୍ଧାଞ୍ଜଳି ଦେଇପାରିବେ।

ଏହି ହସ୍ତାନ୍ତର ସହ ଜଡ଼ିତ ଆଉ ଏକ ବଡ଼ ନିଷ୍ପତ୍ତି ହେଉଛି ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଉତ୍ତର ଗ୍ରୀସ୍ର ଚର୍ଚ୍ଚ ଓ ମଠଗୁଡ଼ିକରୁ ବୁଲଗେରିଆ ସୈନ୍ୟମାନେ ନେଇଯାଇଥିବା ୪୮ଟି ଧାର୍ମିକ ଓ ଐତିହାସିକ ସାମଗ୍ରୀକୁ ଗ୍ରୀସ୍କୁ ଫେରାଇ ଦିଆଯିବ। ଦୁଇ ଦେଶର ସଂସ୍କୃତି ମନ୍ତ୍ରୀଙ୍କ ମଧ୍ୟରେ ଚଳିତ ସପ୍ତାହରେ ହୋଇଥିବା ଚୁକ୍ତି ଅନୁଯାୟୀ ଏହି ପଦକ୍ଷେପ ନିଆଯାଉଛି।

ଥେସାଲୋନିକିରେ ଆୟୋଜିତ ହସ୍ତାନ୍ତର ସମାରୋହରେ ଗ୍ରୀସ୍ର ପ୍ରଧାନମନ୍ତ୍ରୀ କିରିଆକୋସ୍ ମିତ୍ସୋତାକିସ୍ ଏବଂ ବୁଲଗେରିଆର ପ୍ରଧାନମନ୍ତ୍ରୀ ରୁମେନ୍ ରାଦେଭ୍ ଉପସ୍ଥିତ ଥିଲେ। ରାଦେଭ୍ କହିଥିଲେ ଯେ ଏହି ଐତିହାସିକ ସାମଗ୍ରୀଗୁଡ଼ିକ ଦୁଇ ଦେଶର ଲୋକଙ୍କ ସାମୂହିକ ସ୍ମୃତି ଓ ସମ୍ପର୍କର ଅଂଶ। ତାଙ୍କ ମତରେ, ଅତୀତରେ ଜାର ସାମୁଏଲ୍ ଦୁଇ ପକ୍ଷ ମଧ୍ୟରେ ବିଭାଜନର ପ୍ରତୀକ ଥିଲେ, କିନ୍ତୁ ଆଜି ସେ ଦୁଇ ଦେଶକୁ ନିକଟତର କରିବାର ଏକ ସେତୁରେ ପରିଣତ ହୋଇଛନ୍ତି।

ଅନ୍ୟପକ୍ଷରେ, ଗ୍ରୀସ୍ର କିଛି ଶିକ୍ଷାବିତ୍ ଓ ଧାର୍ମିକ ନେତା ଏହି ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ ମତରେ ବୁଲଗେରିଆ ପକ୍ଷରୁ ଫେରାଇ ଦିଆଯାଉଥିବା ସାମଗ୍ରୀ ସମ୍ପର୍କିତ ବ୍ୟବସ୍ଥା ପର୍ଯ୍ୟାପ୍ତ ନୁହେଁ।

also read-କ୍ୟାପଟେନ ସ୍ମିତ ମଚ୍ଛାରଙ୍କ ପାଇଁ ପ୍ରାର୍ଥନା, କାଶୀ ବିଶ୍ୱନାଥଠାରୁ ସୋମନାଥ ମନ୍ଦିରରେ ଚାଲିଛି ମହାମୃତ୍ୟୁଞ୍ଜୟ ଜପ

ଏହି ଅବସରରେ ମିତ୍ସୋତାକିସ୍ ଗ୍ରୀସ୍ର ପାର୍ଥେନନ୍ ମାର୍ବଲ୍ସକୁ ଫେରାଇ ଆଣିବା ପାଇଁ ଦେଶର ଚାଲିଥିବା ଅଭିଯାନର କଥା ମଧ୍ୟ ଉଠାଇଥିଲେ। ତାଙ୍କ କହିବା ଅନୁଯାୟୀ, ଐତିହାସିକ ସ୍ମାରକ ଓ ସାଂସ୍କୃତିକ ଐତିହ୍ୟକୁ ଯୁଦ୍ଧରେ ମିଳିଥିବା ସମ୍ପତ୍ତି କିମ୍ବା ଅନ୍ୟ ପରିସ୍ଥିତିର ଫଳ ଭାବେ ଦେଖିବା ଉଚିତ୍ ନୁହେଁ।

ସାମୁଏଲଙ୍କ ଅବଶେଷ ହସ୍ତାନ୍ତର ଏବେ ଗ୍ରୀସ୍ ଓ ବୁଲଗେରିଆ ମଧ୍ୟରେ ଐତିହାସିକ ଐତିହ୍ୟ, ସାଂସ୍କୃତିକ ସମ୍ପତ୍ତି ଏବଂ ଦୁଇ ଦେଶର ସମ୍ପର୍କକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଚର୍ଚ୍ଚାରେ ରହିଛି।