ନୂଆଦିଲ୍ଲୀ: ଲୋକପ୍ରିୟ ଅଭିନେତ୍ରୀ ରଚିତା ରାମ୍ ନିଜର ଜନ୍ମଦିନ ଅବସରରେ ଏକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିଛନ୍ତି। 'ଡିମ୍ପଲ୍ କୁଇନ୍' ରଚିତାଙ୍କୁ ଭେଟିବା ପାଇଁ ବେଙ୍ଗାଲୁରୁର ତାଙ୍କ ବାସଭବନ ବାହାରେ ପ୍ରଶଂସକଙ୍କ ଭିଡ଼ ଜମିଥିଲା । ସେ ସମସ୍ତଙ୍କ ସହ ଖୁସିରେ ସେଲ୍ଫି ଉଠାଉଥିଲେ । ଏହି ସମୟରେ ଜଣେ ପୁରୁଷ ପ୍ରଶଂସକ ସେଲ୍ଫି ନେବା ପରେ ଅଚାନକ ତାଙ୍କ ଗାଲକୁ ଚିମୁଟି ଦେଇଥିଲେ। ଏହି ଘଟଣାରେ ରଚିତା କିଛି ସେକେଣ୍ଡ ପାଇଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ସେ ସ୍ମିତହାସ୍ୟ ସହ ଅନ୍ୟ ପ୍ରଶଂସକଙ୍କ ସହ କଥାବାର୍ତ୍ତା ଜାରି ରଖିଥିଲେ।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବ୍ୟାପକ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ପ୍ରଶଂସକମାନେ ନିଜର ସୀମା ବାହାରକୁ ଯାଇ ସେଲିବ୍ରିଟିଙ୍କ ନିଜସ୍ୱ ସ୍ୱାଧୀନତା ଓ ନିରାପତ୍ତାକୁ ଉଲ୍ଲଂଘନ କରୁଥିବା ନେଇ ନେଟିଜେନ୍ସ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନେକ ବ୍ୟକ୍ତି ଏହାକୁ ଏକ ପ୍ରକାର ନିର୍ଯାତନା ବୋଲି କହିଛନ୍ତି ।  ବିନା ଅନୁମତିରେ କାହାକୁ ସ୍ପର୍ଶ ନକରିବାର ଶିଷ୍ଟାଚାର ଶିଖିବାକୁ ପରାମର୍ଶ ଦେଇଛନ୍ତି। ସେହିପରି ବିପଦପୂର୍ଣ୍ଣ ଓ ଅସହଜ ପରିସ୍ଥିତିରେ ମଧ୍ୟ ରଚିତା ଯେଉଁଭଳି ଶାନ୍ତ ରହି ପରିସ୍ଥିତିକୁ ସମ୍ଭାଳିଲେ, ସେଥିପାଇଁ ଲୋକମାନେ ତାଙ୍କର ପ୍ରଶଂସା କରିଛନ୍ତି।

ଅଭିନେତ୍ରୀ ରଚିତା ରାମ୍ ସୁପରଷ୍ଟାର ରଜନୀକାନ୍ତଙ୍କ ବହୁଚର୍ଚ୍ଚିତ ତାମିଲ ଚଳଚ୍ଚିତ୍ର 'କୁଲି' ମାଧ୍ୟମରେ ତାମିଲ ସିନେମାରେ ପାଦ ଥାପିଛନ୍ତି। ଲୋକେଶ କନକରାଜଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ସେ 'କଲ୍ୟାଣୀ' ଭୂମିକାରେ ଅଭିନୟ କରି ବ୍ୟାପକ ପ୍ରଶଂସା ସାଉଁଟିଛନ୍ତି। 'କୁଲି' ଚଳଚ୍ଚିତ୍ରଟି ବକ୍ସ ଅଫିସରେ ବଡ଼ ସଫଳତା ହାସଲ କରିଥିଲା ।  ଅନ୍ୟ ବଡ଼ ଚଳଚ୍ଚିତ୍ର ସହ ପ୍ରତିଯୋଗୀତା ସତ୍ତ୍ୱେ ବ୍ୟବସାୟିକ ସଫଳତା ପାଇଥିଲା କୁଲି ।