ହାଇଦ୍ରାବାଦ : ସିନେମା ଇଣ୍ଡଷ୍ଟ୍ରିରେ AIର ଦୁରୁପଯୋଗକୁ ନେଇ ପୁଣି ବଡ଼ ବିବାଦ । ଜୁନିୟର NTR ଓ ଜାହ୍ନବୀ କପୁରଙ୍କ ଫିଲ୍ମ ‘ଦେବରା: ପାର୍ଟ-୧’ର ଲୋକପ୍ରିୟ ଗୀତ ‘ଚୁଟ୍ଟାମଲ୍ଲେ’କୁ ନେଇ ଏକ AI-ଏଡ଼ିଟେଡ ଭିଡିଓ ସୋସିଆଲ୍ ମିଡିଆରେ ଘୁରୁଛି। ମୂଳ ଗୀତର ଫୁଟେଜ୍କୁ ଡିଜିଟାଲ୍ ଭାବେ ବଦଳାଇ ଏହି ଭିଡିଓ ତିଆରି କରାଯାଇଥିବା ରିପୋର୍ଟ ଆସିଛି। ଘଟଣାକୁ ନେଇ ଜୁନିୟର NTRଙ୍କ ଠାରୁ ଆରମ୍ଭ କରି ଚିରଞ୍ଜୀବୀ ଓ ବିଜୟ ଦେବରକୋଣ୍ଡାଙ୍କ ପର୍ଯ୍ୟନ୍ତ ଅନେକ ସେଲିବ୍ରିଟି ଏହାର କଡ଼ା ପ୍ରତିକ୍ରିୟା ଦେଇଛନ୍ତି।

ସୂଚାନୁଯାୟୀ,୨୦୨୪ରେ ରିଲିଜ ହୋଇଥିବା ଫିଲ୍ମ ‘ଦେବରା’ର ‘ଚୁଟ୍ଟାମଲ୍ଲେ’ ଗୀତରେ ଜୁନିୟର NTR ଓ ଜାହ୍ନବୀ କପୁର ନଜର ଆସିଥିଲେ। ଏବେ ସେହି ଗୀତର କିଛି ଦୃଶ୍ୟକୁ ଆଧାର କରି ଏକ ମର୍ଫ୍ଡ AI ଭିଡିଓ ତିଆରି କରାଯାଇଛି, ଯାହା ମୂଳ ଭିଡିଓର ଅଂଶ ନୁହେଁ। ଏହା ସୋସିଆଲ୍ ମିଡିଆରେ ପ୍ରସାରିତ ହେବା ପରେ ଘଟଣାକୁ ନେଇ ତୀବ୍ର ଆପତ୍ତି ଉଠାଇଛନ୍ତି ସାଉଥ ଷ୍ଟାରମାନେ । ଘଟଣାରେ ପ୍ରଥମେ ଜୁନିୟର NTR ତୀବ୍ର ପ୍ରତିକ୍ରିୟା ଦେଇଥିଲେ। ସେ AIର ଏଭଳି ଦୁରୁପଯୋଗକୁ ନିନ୍ଦା କରିବା ସହ ଭିଡିଓ ତିଆରି ଓ ପ୍ରସାର କରିଥିବା ଲୋକଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବା କଥା କହିଛନ୍ତି। ସେ ଏଭଳି ଭିଡିଓକୁ ଶେୟାର ନକରିବାକୁ ମଧ୍ୟ ଅପିଲ୍ କରିଛନ୍ତି। ଏହାପରେ ମେଗାଷ୍ଟାର ଚିରଞ୍ଜୀବୀ ମଧ୍ୟ ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। AI ବ୍ୟବହାର କରି ମହିଳାଙ୍କ ଛବିକୁ ଅପମାନଜନକ ଭାବେ ବଦଳାଇବା ଗୁରୁତର ବିଷୟ ବୋଲି ସେ କହିବା ସହ ଦୋଷୀଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ସଂଗଠନଗୁଡ଼ିକ ସହ ଏହି ପ୍ରସଙ୍ଗ ଉଠାଇବା ଏବଂ ଏଭଳି ମାମଲା ପାଇଁ ଏକ ସହାୟତା ବ୍ୟବସ୍ଥା ନେଇ ପଦକ୍ଷେପ ନେବା କଥା ମଧ୍ୟ ସେ କହିଛନ୍ତି।

ଅନ୍ୟପଟେ ଅଭିନେତା ବିଜୟ ଦେବରକୋଣ୍ଡା ମଧ୍ୟ ଜୁନିୟର NTRଙ୍କ ମତକୁ ସମର୍ଥନ କରିଛନ୍ତି। ଏଭଳି AI ଏଡ଼ିଟେଡ ଭିଡିଓକୁ ସେ ଗୁରୁତର ଡିଜିଟାଲ୍ ଅପବ୍ୟବହାର ଭାବେ ନିନ୍ଦା କରିବା ସହ ସେହି ବ୍ୟକ୍ତିଙ୍କ ବିରୋଧରେ କଡ଼ା ଆଇନଗତ ପଦକ୍ଷେପ ନେବାକୁ କହିଛନ୍ତି। ଏହି ଘଟଣା ପୁଣିଥରେ AI ଡିପ୍ଫେକ୍ର ଦୁରୁପଯୋଗ ଏବଂ ଡିଜିଟାଲ୍ ପ୍ଲାଟଫର୍ମରେ କାହାର ଛବିକୁ ବିନା ଅନୁମତିରେ ବଦଳାଇ ପ୍ରସାର କରିବା ନେଇ ପ୍ରଶ୍ନ ଉଠାଇଛି। AI ଟେକ୍ନୋଲୋଜି ଯେତେ ଆଗକୁ ବଢ଼ୁଛି, ତାହାର ଅପବ୍ୟବହାରକୁ ନେଇ ଚିନ୍ତା ମଧ୍ୟ ସେତିକି ବଢ଼ୁଛି। ତେବେ ସେଲିବ୍ରିଟିଙ୍କ ପ୍ରତିକ୍ରିୟା ପରେ ଏବେ ବ୍ୟକ୍ତିଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ତାହା ଉପରେ ସମସ୍ତଙ୍କ ନଜର ।