ନୂଆଦିଲ୍ଲୀ: ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲ (ଡବ୍ଲୁଏସଜେ) ଅନୁସାରେ ଫ୍ଲାଏ ହୁବାଇ କକପିଟ୍ ରେ ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତ କୋ-ପାଇଲଟ୍ ତଦନ୍ତକାରୀଙ୍କୁ କହିଛନ୍ତି ଯେ ସେ ବିମାନକୁ ଦୁର୍ଘଟଣା କରାଇବାକୁ ଚାହୁଁଥିଲା ଓ ‘ମୃତ୍ୟୁକୁ ମୋର ଡରନାହିଁ’। ଏହି ଘଟଣା ସେପ୍ଟେମ୍ବର ୩୦ ତାରିଖ ଦିନ ଦୁବାଇରୁ ତେଲଆଭିଭ ଯାଉଥିବା ବିମାନରେ ଘଟିଥିଲା। ଯାତ୍ରୀ ଓ ଚାଳକ ଦଳ ସଦସ୍ୟ ଅଭିଯୁକ୍ତ ପାଇଲଟକୁ କାବୁ କରିବା ପରେ ବିମାନକୁ ସାଉଦୀ ଆରବର ତବୁକ ଏୟାରପୋର୍ଟରେ ଅବତରଣ କରାଯାଇଥିଲା।

ଅଭିଯୁକ୍ତ କୋ-ପାଇଲଟକୁ ଓମାନ ନାଗରିକ ହମ୍ମାମ ଅଲ-ହମ୍ମାମୀ ଭାବେ ଚିହ୍ନଟ କରାଯାଇଛି। ମିଳିତ ଆରବ ଏମିରେଟ (ୟୁଏଇ) ଅଧିକାରୀ ଏହି ଘଟଣାକୁ ଆତଙ୍କବାଦୀ ଆକ୍ରମଣ ପ୍ରୟାସ ବୋଲି କହିଛନ୍ତି। ତଦନ୍ତକାରୀ ତାଙ୍କ ପୃଷ୍ଠଭୂମି, ଉଦ୍ଦେଶ୍ୟ ଓ ଅନ୍ୟ ବ୍ୟକ୍ତି ଅଥବା ସମୂହଙ୍କ ସହ ସମ୍ଭାବିତ ସମ୍ପର୍କର ଯାଞ୍ଚ କରୁଛନ୍ତି। ଏହା ପୂର୍ବରୁ ଅଭିଯୁକ୍ତ କୋ-ପାଇଲଟ ଏକ୍ସ ରେ ଉଡାଣ ଲାଗି ତାର ଭଲପାଇବାର ବର୍ଣ୍ଣନା କରିଥିଲା। ଜୁନ ୨୦୨୨ରେ ସେ ହଟାଇ ଦେଇଥିବା ଆକାଉଣ୍ଟରେ ଉଲ୍ଲେଖ କରିଥିଲା ଯେ ବିମାନ ଉଡାଇବା ଓ ପ୍ରଶିକ୍ଷଣ କୌଣସି ପ୍ରକାରେ ସାଧାରଣ କଥା ନୁହେଁ। ସେ ଏ ନେଇ ଆରବୀ ଭାଷାରେ ପୋଷ୍ଟ କରିଥିଲା।

ଅଲ-ହମ୍ମାମୀ ଏଭିଏସନ କ୍ଷେତ୍ରରେ ନିଜର କ୍ୟାରିୟର ବଦଳାଇବା ପୂର୍ବରୁ ଅନେକ ବର୍ଷ ପର୍ଯ୍ୟନ୍ତ ଓମାନ ଏୟାର ନିମନ୍ତେ କାମ କରିଥିଲା। ଡବ୍ଲୁଏସଜେ ଅନୁସାରେ ଅଧିକାରୀଙ୍କ ଦ୍ୱାରା ସେ ଆତଙ୍କବାଦୀ ୱେବସାଇଟ୍ ଭିଜିଟ କରିବା କଥା ଜଣାପଡିବା ପରେ ତାଙ୍କୁ ବିମାନ ଉଡାଣରୁ ଅଟକାଇ ଦିଆଯାଇଥିଲା। ସିଏନଏନ ମଧ୍ୟ କହିଛି ଯେ ତାଙ୍କର ‘ଚରମ ପନ୍ଥୀ’ ବିଚାର କାରଣରୁ ୨୦୨୫ରେ ଓମାନ ଏୟାର ଉଡାଣ ପ୍ରଶିକ୍ଷଣରୁ ତାଙ୍କୁ ହଟା ଯାଇଥିଲା। ବ୍ରଡକାଷ୍ଟର ଏହା ବି ଦାବି କରିଛନ୍ତି ଯେ ତାଙ୍କ ସମ୍ପର୍କିତ ସୋସିଆଲ ମିଡିଆ ସାମଗ୍ରୀ ମିଳିଛି, ଯେଉଁଥିରେ ଚରମପନ୍ଥୀ ଓ ମହିଳା ବିରୋଧୀ ବିଚାର ଥିବା ଦେଖା ଯାଇଛି।

ସିଏନଏନକୁ ଫ୍ଲାଏ ଦୁବାଇ ଘଟଣା ପରେ ପୋଷ୍ଟ କରାଯାଇଥିବା ଏକ ଭିଡିଓ ବି ମିଳିଛି, ଏଥିରେ ଦୁବାଇ ଏୟାରପୋର୍ଟରେ ବିମାନକୁ ଦେଖା ଯାଉଛି ଓ ଭିଡିଓ ଶେଷରେ ଅଲ-କାଏଦାର ପୂର୍ବତନ ନେତା ଅୟମାନ ଅଲ-ଜବାହୀରର ଫୋଟ ଦେଖା ଯାଇଛି। ଏବେ ଏହି ପୋଷ୍ଟର ସମୟ ଯାଞ୍ଚ କରାଯାଉଛି କାରଣ ଏହା କଥିତ ଆକ୍ରମଣର କିଛି ଘଣ୍ଟା ପରେ ଅନଲାଇନରେ ସାମ୍ନାକୁ ଆସିଥିଲା। ତେବେ ଚ୍ୟାନେଲ ଏହା ସ୍ପଷ୍ଟ କରିପାରି ନାହିଁ ଯେ ଏହା ଅଟୋମେଟିକ୍ ପୋଷ୍ଟ ହୋଇଛି ଅଥବା କେହି ଏହାକୁ ପୋଷ୍ଟ କରିଛି।

ଅଲ-ହମ୍ମାମୀର ଜନ୍ମ ୟୁଏଇରେ ଜଣେ ଓମାନୀ ପିତା ଓ ସିରୀୟ ମାତାଙ୍କ ଘରେ ହୋଇଥିଲା। ସେ ଦୁବାଇ ମଧ୍ୟ ଯାଇଛି। ତଦନ୍ତକାରୀ ଅଲ-ହମ୍ମାମୀ ସିରିଆରେ କଟାଇଥିବା ସମୟ ମଧ୍ୟ ଯାଞ୍ଚ କରୁଛନ୍ତି। ଡବ୍ଲୁଏସଜେ ଅନୁସାରେ ଅଲ ହମ୍ମାମୀ ତା ପିଲାଦିନର କିଛି ସମୟ ଯୁଦ୍ଧଗ୍ରସ୍ତ ସିରିଆରେ କଟାଇଥିଲା। ପରେ ସେ ୟୁଏଇ ଓ ବ୍ରିଟେନରେ ଏଭିଏସନ ପଢିଥିଲା। ବକିଂଘମ ସାୟର ନ୍ୟୁୟୁନିଭର୍ସିଟିର ଜନୈକ ମୁଖପାତ୍ର ପୁଷ୍ଟି କରିଛନ୍ତି ଯେ ସେ ଡିଷ୍ଟାନ୍ସରେ ବିମାନ ପରିଚାଳନା ଶିକ୍ଷା ପ୍ରାପ୍ତ କରିଥିଲା। ତେବେ ସେ ପାଇଲଟ ପ୍ରଶିକ୍ଷଣ ପ୍ରାପ୍ତ କରିନଥିଲା। ସିଏନଏନ ଓ ଡବ୍ଲୁଏସଜେ ଅନୁସାରେ ସେ ମରକ୍କୋ ଏୟାରଲାଇନ ରେ ମଧ୍ୟ କାମ କରିଥିଲା।