ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ପ୍ରେମିକା ଶିବନ ଗିଲିସଙ୍କ ସହ ବ୍ରେକ୍ ଅପ୍ କଲେ ଟେସଲା ମାଲିକ ଏଲୋନ୍ ମସ୍କ। ଏନେଇ ନିଜେ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ମସ୍କଙ୍କ ଗର୍ଲଫ୍ରେଣ୍ଡ୍ ତଥା ନ୍ୟୁରାଲିଙ୍କ କାର୍ଯ୍ୟନିର୍ବାହୀ ଶିବନ୍ ଗିଲିସ୍। ଉଭୟଙ୍କର ୪ଟି ସନ୍ତାନ ଅଛନ୍ତି। ତଥାପି ମସ୍କ ହଠାତ୍ ତାଙ୍କ ସହ ବ୍ରେକ୍ଅପ କରିଛନ୍ତି ବୋଲି ଶୁକ୍ରବାର ଏକ୍ସରେ ପୋଷ୍ଟ ଶେୟାର କରିଛନ୍ତି ଶିବନ। ପୋଷ୍ଟରେ ଶିବନ ଲେଖିଛନ୍ତି ଯେ ମସ୍କ ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ "ମୁଁ ତୁମକୁ ଭଲପାଏ" ବୋଲି କହିଥିଲେ, କିନ୍ତୁ ସେ ହଠାତ୍ ବ୍ରେକ୍ ଅପ୍ କରିଦେଲେ। ଏନେଇ ତାଙ୍କୁ ପୂର୍ବରୁ କୌଣସି ଚେତାବନୀ କି ସୂଚନା ବି ଦିଆଗଲା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

ଗିଲିସ୍ ଲେଖିଛନ୍ତି "ମୁଁ ଏହି ବ୍ରେକଅପରେ ଦୁଃଖିତ, କିନ୍ତୁ ମୁଁ ଏବେ ବି ମସ୍କଙ୍କ ପାଇଁ ଚିନ୍ତା କରେ। ତେଣୁ ସେ ସବୁବେଳେ ଖୁସୀରେ ରୁହନ୍ତୁ ବୋଲି ମୁଁ ଚାହିଁବି। ମୁଁ ଆଶା କରୁଛି ଯେ ଆଗକୁ ଆମେ ଭଲ ବନ୍ଧୁ ରହିବୁ ଏବଂ ଏକାଠି ଆମର ପିଲାମାନଙ୍କୁ ପାଳନ କରିବୁ।" ମସ୍କଙ୍କ ଗର୍ଲଫ୍ରେଣ୍ଡ ଶିବନଙ୍କ ମାଆଙ୍କ ନାଁ ଶାରଦା। ସେ ଜଣେ ଭାରତୀୟ। ବାପା ରିଚାର୍ଡ ଥିଲେ ଜଣେ କାନାଡୀୟ ନାଗରିକ।

ମସ୍କ ୧୪ ଜଣ ସନ୍ତାନର ପିତା, ଏବଂ ଗିଲିସ୍ ୨୦୨୧ ରୁ ୨୦୨୫ ମଧ୍ୟରେ ତିନିଥର ସନ୍ତାନ ଜନ୍ମ ଦେଇଛନ୍ତି।

ଶିବନ୍ ଗିଲିସ୍ ଏବଂ ଏଲୋନ୍ ମସ୍କଙ୍କର ୪ଟି ସନ୍ତାନ ଅଛନ୍ତି। ଏଥିରେ ଜାଆଁଳା ପିଲା ଷ୍ଟ୍ରାଇଡର ଏବଂ ଆଜ୍ୟୁର ଅଛନ୍ତି। ଏହି ଜାଆଁଳା ପିଲାଙ୍କୁ ଛାଡ଼ି ଦେଲେ ଆଉ ଗୋଟିଏ ଝିଅ ଆର୍କାଡିଆ ଏବଂ ପୁଅ ସେଲଡନ୍ ଲାଇକର୍ଗସ୍ ଅଛନ୍ତି। ଜାଆଁଳ ସନ୍ତାନ ଜନ୍ମ ଦେବା କଥା ମସ୍କ ୨୦୨୧ ମସିହାରେ ଘୋଷଣା କରିଥିଲେ। ୨୦୨୪ ମସିହାରେ ତାଙ୍କ ଝିଅ ଆର୍କାଡିଆ ଜନ୍ମ ହୋଇଥିଲେ। ୨୮ ଫେବୃଆରୀରେ ୨୦୨୫ ପତ୍ନୀ ଗିଲିସ୍ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କର ଚତୁର୍ଥ ସନ୍ତାନ ସେଲଡନ୍ ଲାଇକର୍ଗସର ଜନ୍ମ ହୋଇଥିବା ନେଇ ଘୋଷଣା କରିଥିଲେ। ତେବେ ଏହି ସନ୍ତାନର ସଠିକ ଜନ୍ମ ତାରିଖ ପ୍ରକାଶ କରିନଥିଲେ ସେ। ସେଲଡନ୍ ହେଉଛନ୍ତି ଏଲୋନ୍ ମସ୍କଙ୍କ ୧୪ତମ ସନ୍ତାନ।


ଏଲନ୍ ମସ୍କ ଏବଂ ଜଷ୍ଟିନ୍ ୱିଲସନଙ୍କ କଲେଜ ସମୟର ଫଟୋ

ମସ୍କଙ୍କର ଦୁଇଟି ବାହାଘର, ଏକାଧିକ ଗର୍ଲଫ୍ରେଣ୍ଡ

ଟେସ୍‌ଲା ମାଲିକ ଏଲନ ମସ୍କ ଦୁଇଥର ବିବାହ କରି ସାରିଛନ୍ତି। ଜଷ୍ଟିନ ୱିଲ୍ସନ ଓ ତାଲୁଲାହ ରିଲେ ତାଙ୍କର ପତ୍ନୀ ଥିଲେ। ଏହା ବାଦ ଏମ୍ବର ହର୍ଡ, ଗ୍ରେସ ଓ ଶିବନ ଜିଲିସ ତାଙ୍କର ଗର୍ଲଫ୍ରେଣ୍ଡ ଥିଲେ। ପ୍ରଥମ ପତ୍ନୀ ଜଷ୍ଟିନ ୱିଲ୍ସନଙ୍କ ଠାରୁ ମସ୍କଙ୍କର ୬ଟି ପିଲା ଅଛନ୍ତି।

୧୯୯୦ ଦଶକରେ, କାନାଡାର କୁଇନ୍ସ ବିଶ୍ୱବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ପଢ଼ୁଥିବା ସମୟରେ, ମସ୍କଙ୍କର ଇଂରାଜୀ ସାହିତ୍ୟର ଛାତ୍ର ଜଷ୍ଟିନ୍ ୱିଲସନଙ୍କ ସହ ଦେଖା ହୁଏ। ଦୁହେଁ ୧୦ ବର୍ଷ ଡେଟ୍ କରିବା ପରେ ଶେଷରେ ୨୦୦୦ ମସିହା ଜାନୁଆରୀରେ ବିବାହ କରିଥିଲେ। ୨୦୦୨ ମସିହାରେ ଦମ୍ପତିଙ୍କର ପ୍ରଥମ ପୁତ୍ର ସନ୍ତାନ ନେଭାଡ଼ା ଜନ୍ମଗ୍ରହଣ କରିଥିଲେ। ହେଲେ ମାତ୍ର ୧୦ ସପ୍ତାହ ମଧ୍ୟରେ ଶିଶୁ ମୃତ୍ୟୁ ସିଣ୍ଡ୍ରୋମରେ ତାଙ୍କର ମୃତ୍ୟୁ ହୋଇଥିଲା।

୨୦୦୪ ମସିହାରେ, ମସ୍କ ଦମ୍ପତି ଆଇଭିଏଫ୍ ପ୍ରକ୍ରିୟା ମାଧ୍ୟମରେ ଜାଆଁଳା ସନ୍ତାନ- ଭିଭିଆନ୍ ଏବଂ ଗ୍ରିଫିନଙ୍କୁ ଜନ୍ମ ଦେଇଥିଲେ। ଏହାର ଦୁଇ ବର୍ଷ ପରେ ଅର୍ଥାତ ୨୦୦୬ ମସିହାରେ ସମାନ ପ୍ରକ୍ରିୟାରେ ସେମାନଙ୍କର ତ୍ରିପୁତ୍ର, କାଇ, ସାକ୍ସନ୍ ଏବଂ ଡାମିଆନ୍ ନାଁରେ ୩ ସନ୍ତାନ ହୋଇଥିଲେ। ଏହାପରେ ୨୦୦୮ ମସିହାରେ ମସ୍କ ଏବଂ ଜଷ୍ଟିନ୍ ୱିଲସନଙ୍କର ଛାଡ଼ପତ୍ର ହୋଇଥିଲା।


ଏଲନ ମସ୍କଙ୍କ ସହିତ ତାଲୁଲାହ

ଏହାପରେ ସେହି ବର୍ଷ ବ୍ରିଟିସ ଅଭିନେତ୍ରୀ ତାଲୁଲାହ ରିଲେଙ୍କୁ ଡେଟ୍ କରିଥିଲେ ମସ୍କ। ୨୦୧୦ରେ ଦୁହିଙ୍କର ବିବାହ ହୋଇଥିଲେ ବି ୨୦୧୨ରେ ଛାଡ଼ପତ୍ର ହୋଇଗଲା। ପୁଣି ୨୦୧୩ରେ ଦୁହେଁ ଦ୍ୱିତୀୟ ଥର ବିବାହ କରିଥିଲେ। ୨୦୧୪ରେ ତାଲୁଲାହ ଛାଡ଼ପତ୍ର ପାଇଁ ଆବେଦନ କରି ୨୦୧୫ରେ ଏହାକୁ ଫେରାଇ ନଥିଲେ। ପୁଣି ୨୦୧୬ରେ ଛାଡ଼ପତ୍ର ଆବେଦନ କରିଥିଲେ ତାଲୁଲାହ। ଶେଷରେ ଦୁହିଙ୍କର ଛାଡ଼ପତ୍ର ହୋଇଥିଲା। ତେବେ ଏହି ଦମ୍ପତିଙ୍କର କୌଣସି ସନ୍ତାନ ନାହିଁ।

ଅଭିନେତ୍ରୀ ଏମ୍ବର ହର୍ଡଙ୍କ ସହ ସମ୍ପର୍କ

ଏଲନ ମସ୍କ ଅଭିନେତ୍ରୀ ଏମ୍ବର ହର୍ଡଙ୍କ ସହ ୨୦୧୬ର ଶେଷ ଭାଗ ଓ ୨୦୧୭ର ଆରମ୍ଭରେ କିଛି ମାସ ପାଇଁ ଡେଟ୍ କରିଥିଲେ। ତଥାପି ମସ୍କ ଏବଂ ଏମ୍ବର ଉଭୟ ଏହି ସମ୍ପର୍କକୁ ଅସ୍ୱୀକାର କରିଥିଲେ। ୨୦୧୭ରେ ଉଭୟ ଅଲଗା ହୋଇଯାଇଥିଲେ। ତେବେ ନଭେମ୍ବର ୨୦୧୭ରେ, ମସ୍କ ଏମ୍ବରଙ୍କୁ ପ୍ରେମ କରୁଥିବା ସ୍ୱୀକାର କରିଥିଲେ।


ଏଲୋନ ମସ୍କଙ୍କ ସହ ହଲିଉଡ ଅଭିନେତ୍ରୀ ଏମ୍ବର ହର୍ଡ

ଗ୍ରିମ୍ସଙ୍କ ସହ ସମ୍ପର୍କ, ୩ ସନ୍ତାନ

କଣ୍ଠଶିଳ୍ପୀ ଗ୍ରିମ୍ସଙ୍କ ସହ ମଧ୍ୟ ମସ୍କଙ୍କ ସମ୍ପର୍କ ରହିଥିଲା। ୨୦୧୮ ଏପ୍ରିଲରେ ମସ୍କ ଗ୍ରିମ୍ସଙ୍କୁ ଡେଟିଂ ଆରମ୍ଭ କରିଥିଲେ। ୨୦୨୦ ମେ’ରେ ଏହି ଦମ୍ପତିଙ୍କର ପ୍ରଥମ ସନ୍ତାନ ହୋଇଥିଲା। ପୁଅର ନାଁ ରଖାଯାଇଥିଲା X Æ A-12। ପରେ ୨୦୨୧ ଡିସେମ୍ବରରେ ସରୋଗେସି ମାଧ୍ୟମରେ ଉଭୟଙ୍କର ଏକ ଝିଅ ହୋଇଥିଲା। ତାଙ୍କ ନାମ ଏକ୍ସା ଡାର୍କ ସାଇଡରେଲ ରଖାଯାଇଥିଲା।

୨୦୨୨ରେ ମସ୍କ ଓ ଗ୍ରିମ୍ସ ଅଲଗା ହୋଇଯାଇଥିଲେ। ପରେ ଉଭୟଙ୍କ ତୃତୀୟ ସନ୍ତାନ ଟେକ୍ନୋ ମେକାନିକସ୍ ବିଷୟରେ ମଧ୍ୟ ସୂଚନା ସାମ୍ନାକୁ ଆସିଥିଲା। ତେବେ ଏହି ଶିଶୁର ନିର୍ଦ୍ଦିଷ୍ଟ ଜନ୍ମତାରିଖ ଏବଂ ତାଙ୍କ ସମ୍ପର୍କରେ ଅଧିକ ସୂଚନା ସାର୍ବଜନୀନ ହୋଇନାହିଁ।


ଏଲନ ମସ୍କ ଏବଂ ଗାୟିକା ଗ୍ରୀମ୍ସ

ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ଦାବି—ମସ୍କ ମୋ ଶିଶୁର ବାପା

୨୦୨୫ ଫେବ୍ରୁଆରୀ ୧୫ରେ ଆମେରିକୀୟ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ଓ ଲେଖିକା ଏସ୍ଲି ସେଣ୍ଟ କ୍ଲେୟାର ଦାବି କରିଥିଲେ ଯେ, ଏଲନ ମସ୍କ ତାଙ୍କ ଶିଶୁର ବାପା। କ୍ଲେୟାର କହିଥିଲେ ଯେ, ସେ ପ୍ରାୟ ୫ ମାସ ପୂର୍ବରୁ ଗୋପନୀୟ ଭାବେ ଏହି ଶିଶୁକୁ ଜନ୍ମ ଦେଇଥିଲେ। ସୁରକ୍ଷା ଓ ବ୍ୟକ୍ତିଗତ ଗୋପନୀୟତା କାରଣରୁ ସେ ପୂର୍ବରୁ ଏହି ଘଟଣା ବିଷୟରେ ସାର୍ବଜନୀନ ଭାବେ କହିନଥିବା ଦାବି କରିଥିଲେ।

ଅଧିକ ସନ୍ତାନ ପାଇଁ ମସ୍କଙ୍କ ଆହ୍ୱାନ

ଏଲନ ମସ୍କ ଦୀର୍ଘଦିନ ଧରି ବିଶ୍ୱରେ ହ୍ରାସ ପାଉଥିବା ଜନ୍ମହାରକୁ ନେଇ ଚିନ୍ତା ପ୍ରକାଶ କରିଆସିଛନ୍ତି। ସେ ବାରମ୍ବାର ଅଧିକ ସନ୍ତାନ ଜନ୍ମ ଦେବା ପାଇଁ ଲୋକଙ୍କୁ ଆହ୍ୱାନ କରିଛନ୍ତି। ତାଙ୍କ ମତରେ, ଜନ୍ମହାର କମିବା ମାନବ ସଭ୍ୟତା ପାଇଁ ଏକ ବଡ଼ ବିପଦ।

୨୦୧୫ରେ ମସ୍କ କହିଥିଲେ ବୁଦ୍ଧିମାନ ଲୋକମାନେ ମଧ୍ୟ ସନ୍ତାନ ଜନ୍ମ ଦିଅନ୍ତୁ ୨୦୧୫ରେ ପ୍ରକାଶିତ ତାଙ୍କ ଜୀବନୀରେ ମସ୍କ କହିଥିଲେ ଯେ, ସେ କେବଳ ବୁଦ୍ଧିମାନ ଲୋକଙ୍କୁ ସନ୍ତାନ ଜନ୍ମ ଦେବାକୁ କହୁନାହାନ୍ତି। କିନ୍ତୁ ବୁଦ୍ଧିମାନ ଲୋକମାନେ ମଧ୍ୟ ସନ୍ତାନ ଜନ୍ମ ଦେବା ଦରକାର ବୋଲି ସେ ମତ ଦେଇଥିଲେ। ଅନେକ ବୁଦ୍ଧିମାନ ମହିଳାଙ୍କର ଗୋଟିଏ କିମ୍ବା ଗୋଟିଏ ବି ସନ୍ତାନ ନଥିବାକୁ ସେ ଭଲ ଘଟଣା ନୁହେଁ ବୋଲି କହିଥିଲେ।

୨୦୨୧ରେ କହିଥିଲେ—ଅଧିକ ସନ୍ତାନ ନହେଲେ ସଭ୍ୟତା ଶେଷ ହୋଇଯିବ:୨୦୨୧ ଡିସେମ୍ବରରେ ୱାଲ୍ ଷ୍ଟ୍ରିଟ୍ ଜର୍ନାଲର CEO କାଉନସିଲ୍ ସମିଟ୍ରେ ମସ୍କ କହିଥିଲେ ଯେ, ବିଶ୍ୱରେ ଯଥେଷ୍ଟ ଲୋକ ନାହାନ୍ତି। ଯଦି ଲୋକମାନେ ଅଧିକ ସନ୍ତାନ ଜନ୍ମ ନଦିଅନ୍ତି, ତେବେ ମାନବ ସଭ୍ୟତା ଶେଷ ହୋଇଯାଇପାରେ ବୋଲି ସେ ଚେତାବନୀ ଦେଇଥିଲେ।

୨୦୨୨ରେ କହିଥିଲେ—କମ୍ ଜନ୍ମହାର ବଡ଼ ବିପଦ:୨୦୨୨ରେ ମସ୍କ କହିଥିଲେ ଯେ, କମ୍ ଜନ୍ମହାର ଯୋଗୁଁ ସୃଷ୍ଟି ହେଉଥିବା ଜନସଂଖ୍ୟା ସଙ୍କଟ ମାନବ ସଭ୍ୟତା ପାଇଁ ଗ୍ଲୋବାଲ୍ ୱାର୍ମିଂଠାରୁ ମଧ୍ୟ ବଡ଼ ବିପଦ। ଅନେକ ଦେଶର ଜନସଂଖ୍ୟା ଆଗାମୀ କିଛି ପିଢ଼ି ମଧ୍ୟରେ ବହୁତ କମିଯାଇପାରେ ବୋଲି ମଧ୍ୟ ସେ କହିଥିଲେ।

୨୦୨୩ରେ ମଧ୍ୟ ଜନସଂଖ୍ୟା ସଙ୍କଟ ଉପରେ ଚିନ୍ତା ପ୍ରକାଶ: ୨୦୨୩ରେ ମସ୍କ କମ୍ ଜନ୍ମହାର ଓ ହ୍ରାସ ପାଉଥିବା ଜନସଂଖ୍ୟାକୁ ନେଇ ଲଗାତାର ଚିନ୍ତା ପ୍ରକାଶ କରିଥିଲେ। ଏହାକୁ ସେ ମାନବ ସଭ୍ୟତା ପାଇଁ ଏକ ବଡ଼ ବିପଦ ବୋଲି ବର୍ଣ୍ଣନା କରିଥିଲେ।

୨୦୨୪ରେ ଅତି କମ୍‌ରେ ୩ ସନ୍ତାନ ପାଇଁ ଆହ୍ୱାନ: ୨୦୨୪ ମେ’ରେ ମିଲ୍କେନ୍ ଇନ୍ଷ୍ଟିଚ୍ୟୁଟ୍ର ଏକ କାର୍ଯ୍ୟକ୍ରମରେ ମସ୍କ କହିଥିଲେ ଯେ, ସେ ଜନସଂଖ୍ୟା କମିବା ନୁହେଁ, ବରଂ ସାମାନ୍ୟ ଭାବେ ବଢ଼ିବାକୁ ଚାହାନ୍ତି। ଏଥିପାଇଁ ସେ ଲୋକମାନଙ୍କୁ ଅତି କମ୍ରେ ୩ଟି ସନ୍ତାନ ଜନ୍ମ ଦେବାକୁ ପରାମର୍ଶ ଦେଇଥିଲେ।