ଭୁବନେଶ୍ୱର : ଲାଲ୍ କାର, ଧଳା କାର, ନୀଳ କାର କିମ୍ବା ଗୋଲ୍ଡେନ୍ କାର ରାସ୍ତାରେ ଅନେକ ରଙ୍ଗର ଗାଡ଼ି ଦେଖିବାକୁ ମିଳିଥାଏ । କିନ୍ତୁ ଗୋଟିଏ ଜିନିଷ ପ୍ରାୟ ସବୁ କାରରେ ସମାନ ଟାୟାରର ରଙ୍ଗ। କାହିଁକି ଟାୟାର ରଙ୍ଗ ସବୁବେଳେ କଳା ହୁଏ? ଏହା କେବଳ ପରମ୍ପରା ନା ଏହା ପଛରେ ରହିଛି ବିଜ୍ଞାନ? ପ୍ରଥମତଃ ଟାୟାରର ମୁଖ୍ୟ ଉପାଦାନ ହେଉଛି ରବର । କିନ୍ତୁ ରବରର ପ୍ରାକୃତିକ ରଙ୍ଗ କଳା ନୁହେଁ। ଟାୟାର ତିଆରି ସମୟରେ ରବର ସହିତ ବିଭିନ୍ନ ରାସାୟନିକ ପଦାର୍ଥ ମିଶାଯାଏ। ସେଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି କାର୍ବନ୍ ବ୍ଲାକ୍। କାର୍ବନ୍ ବ୍ଲାକ୍ ହେଉଛି ଅତି ସୂକ୍ଷ୍ମ କାର୍ବନ୍ କଣିକା। ଏହା ରବରକୁ ଅଧିକ ମଜବୁତ କରିବା ସହ ଘର୍ଷଣ ଓ ରାସ୍ତାର ଚାପକୁ ସହିବାର କ୍ଷମତା ବଢ଼ାଏ। ଗାଡ଼ି ଚାଲିବା ସମୟରେ ଟାୟାର ସବୁବେଳେ ରାସ୍ତା ସହ ଘର୍ଷଣରେ ରହିଥାଏ। ତେଣୁ ଟାୟାରକୁ ଅଧିକ ମଜବୁଦ କରିବା ଅତ୍ୟନ୍ତ ଜରୁରୀ।

ଏହାର ଆଉ ଏକ ବଡ଼ କାରଣ ହେଉଛି ସୂର୍ଯ୍ୟର UV କିରଣ। ଦୀର୍ଘ ସମୟ ଧରି UV କିରଣ ରବର ଉପରେ ପଡ଼ିଲେ ରବର ଧୀରେ ଧୀରେ ଦୁର୍ବଳ ହୋଇପାରେ। କାର୍ବନ୍ ବ୍ଲାକ୍ ଏହି UV କିରଣରୁ ଟାୟାରକୁ ଅଧିକ ସୁରକ୍ଷା ଦେବାରେ ସାହାଯ୍ୟ କରେ। ଏହା ସହିତ ଟାୟାର ଚାଲିବା ସମୟରେ ବହୁତ ତାପ ସୃଷ୍ଟି ହୁଏ। କାର୍ବନ୍ ବ୍ଲାକ୍ ଟାୟାରର ତାପ ପରିଚାଳନାରେ ସହାୟକ ହୁଏ। ଫଳରେ ଟାୟାରର ମଜବୁଦି ଓ ଲାଷ୍ଟିଙ୍ଗ ଉଭୟ ବଢ଼ିଥାଏ। ତେବେ ପ୍ରଶ୍ନ ହେଉଛି ଟାୟାର ଅନ୍ୟ ରଙ୍ଗର ହୋଇପାରିବ କି ନାହିଁ ? ପ୍ରଯୁକ୍ତିଗତ ଭାବେ ରବରକୁ ବିଭିନ୍ନ ରଙ୍ଗ ଦିଆଯାଇପାରେ। କିନ୍ତୁ କାରର ଟାୟାର ପାଇଁ କଳା ରଙ୍ଗ ଏବଂ କାର୍ବନ୍ ବ୍ଲାକ୍ ବ୍ୟବହାରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଟାୟାରକୁ ମଜବୁତ, ଟିକାଉ ଓ ନିରାପଦ କରିବା। ଅର୍ଥାତ୍, ଟାୟାର କଳା ହେବା କୌଣସି ଫ୍ୟାଶନ୍ ନୁହେଁ। ଏହା ପଛରେ ରହିଛି ରାସାୟନିକ ବିଜ୍ଞାନ, ଇଞ୍ଜିନିୟରିଂ ଏବଂ ସୁରକ୍ଷାର ଏକ ବଡ଼ ଭୂମିକା। ତେଣୁ ମନେ ରଖନ୍ତୁ କାରର ରଙ୍ଗ ଷ୍ଟାଇଲ୍ ପାଇଁ ହୋଇପାରେ, କିନ୍ତୁ ଟାୟାରର କଳା ରଙ୍ଗ ପଛରେ ରହିଛି ଗାଡ଼ିର ସୁରକ୍ଷା ଓ ବିଜ୍ଞାନକୌଶଳ ।