ସୁମି: ୟୁକ୍ରେନ ସୁମିରେ ଭାରତର କୁସୁମ ଗ୍ରୁପ ଫାର୍ମା କମ୍ପାନୀ ଋଷିଆ ଡ୍ରୋନ ଆକ୍ରମଣର ଶିକାର ହୋଇଛି। ଡ୍ରୋନ ବିସ୍ଫୋରଣରେ କାରଖାନାର ମୁଖ୍ୟ ବିଲ୍ଡିଂ ଧ୍ୱଂସ୍ତ ହୋଇଛି। ଫଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ୟୁକ୍ରେନର ଭାରତୀୟ ଔଷଧର ରପ୍ତାନୀ ଓ ତିଆରି କରୁଥିବା କୁସୁମ ଗ୍ରୁପ ୧୯୯୪ରେ ଆରମ୍ଭ ହୋଇଥିଲା, ଯାହାକୁ ରାଜୀବ ଗୁପ୍ତା ଚଳାଉଛନ୍ତି। ସୁମିସ୍ଥିତ ଏହି ପ୍ଲାଣ୍ଟ ଯୁଦ୍ଧ କାଳରେ ମଧ୍ୟ କାମ କରୁଛି। ଏଣୁ ଆକ୍ରମଣରେ କାରଖାନାର ବିପୁଳ କ୍ଷତି ହୋଇଛି। ଏକ ଅନୁମାନ ଅନୁସାରେ ଫାର୍ମା କମ୍ପାନୀର ପାଖାପାଖି ୪୦୦ କୋଟି ଟଙ୍କାର କ୍ଷତି ହୋଇଛି।

ଗତ ଗ୍ରୀଷ୍ମ ଋତୁ ଠାରୁ ଋଷିଆ ୟୁକ୍ରେନ ଉପରକୁ ଡ୍ରୋନ ଆକ୍ରମଣ ବଢାଇ ଦେଇଛି। ୟୁକ୍ରେନ ଏୟାର ଡିଫେନ୍ସ ସିଷ୍ଟମରେ ଶାହିଦ ଡ୍ରୋନ ଧରାପଡୁ ନାହାନ୍ତି। ତେବେ ଆଜିର ଆକ୍ରମଣ ପରେ ୟୁକ୍ରେନ ତାର ନିଜସ୍ୱ ବାଲିଷ୍ଟିକ୍ ମିଜାଇଲ ଏଫପି-୭କୁ ଉପଯୋଗ କରିବ ବୋଲି ଘୋଷଣା କରିଛି। ଏ ପର୍ଯ୍ୟନ୍ତ ଯୁଦ୍ଧରେ ୟୁକ୍ରେନ ଏହି ମିଜାଇଲ ବ୍ୟବହାର କରିନଥିଲା। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏକ୍ସ ରେ ଏକ ପୋଷ୍ଟ କରି ଋଷିଆର ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ସେ ସୁମି ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।

ଜେଲେନସ୍କିଙ୍କ ଅନୁସାରେ ଋଷିଆ କେବଳ କୁସୁମ ଔଷଧ କାରଖାନା ନୁହେଁ ରାଜଧାନୀ କିଭର ପିଭନିଚନୀ ପୋଲ ଉପରକୁ ମଧ୍ୟ ଡ୍ରୋନ ମାଡ କରିଛି। ଏହା ଛଡା ନିପ୍ରୋରେ କମ୍ୟୁନିକେସନ ସେଣ୍ଟର ଉପରକୁ ମଧ୍ୟ ଡ୍ରୋନ ମାଡ଼ ହୋଇଛି। ଫଳରେ ୬ ଜଣ ଲୋକ ଆହତ ହୋଇଛନ୍ତି। ୟୁକ୍ରେନରେ ଭାରତୀୟ ସମ୍ପତ୍ତି ଉପରେ ହୋଇଥିବା ଆକ୍ରମଣ ଅନ୍ତର୍ଜାତୀୟ ସ୍ତରରେ ଚିନ୍ତାର କାରଣ ପାଲଟିଛି। ଭାରତୀୟ ଔଷଧର ଡିଷ୍ଟ୍ରିବ୍ୟୁଟର ରୂପେ କୁସୁମ ଗ୍ରୁପ ୧୯୯୪ ମସିହାରେ ୟୁକ୍ରେନରେ କାମ ଆରମ୍ଭ କରିଥିଲା। ତେବେ ୨୦୦୨ ମସିହାରେ କମ୍ପାନୀ ଅନ୍ୟ ବ୍ରାଣ୍ଡର ବିତରଣ ବନ୍ଦ କରି ନିଜ ବ୍ରାଣ୍ଡର ମାର୍କେଟିଂ ଆରମ୍ଭ କରିଥିଲା। ଏହା ପରେ କୁସୁମ ଗ୍ରୁପ ଔଷଧ ତିଆରି କ୍ଷେତ୍ରରେ ପାଦ ଥାପିଥିଲା। ଏଥିରେ ୨୦୦୭ ମସିହାରେ ଭାରତରେ ଓ ୨୦୦୯ ମସିହାରେ ସୁମିରେ ପ୍ଲାଣ୍ଟ ଖୋଲିଥିଲା।