ନୂଆଦିଲ୍ଲୀ: ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ ବୁଧବାର କହିଛନ୍ତି ଯେ ଭାରତ-ବ୍ରିଟେନ ବ୍ୟାପକ ଆର୍ଥିକ ଓ ବାଣିଜ୍ୟ ବୁଝାମଣା (ସିଇଟିଏ) ଲାଗୁ ହେବାର ପ୍ରଥମ ଦିନ ବ୍ରିଟେନକୁ ଭାରତ ୧୪ କୋଟି ଡଲାର ମୂଲ୍ୟର ଶୂନ୍ୟ ଶୁଳ୍କ ରପ୍ତାନୀ କରିଛି। ଅଗ୍ରୱାଲ ଏହାକୁ ଭାରତ ଓ ବ୍ରିଟେନ ଅର୍ଥବ୍ୟବସ୍ଥା ଲାଗି ଏକ ଲାଭଜନକ ବୁଝାମଣା ଓ ଏହା ଭାରତର ଏ ପର୍ଯ୍ୟନ୍ତ ମହତ୍ୱାକାଙକ୍ଷୀ ବାଣିଜ୍ୟ ବୁଝାମଣା ମଧ୍ୟରେ ଅନ୍ୟତମ ବୋଲି କହିଛନ୍ତି। ଏହି ବାଣିଜ୍ୟ ବୁଝାମଣାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ୧୪ ରାଉଣ୍ଡର ଔପଚାରିକ ବାର୍ତ୍ତା ପରେ ୮୦୦ରୁ ଅଧିକ ବୈଷୟିକ ଅଧିବେଶନର ଆୟୋଜନ କରାଯାଇଥିଲା।

ସିଇଟିଏ ଅନୁସାରେ ଭାରତର ପାଖାପାଖି ୯୯% ରପ୍ତାନୀକୁ ବ୍ରିଟେନ ବଜାରର ଶୂନ୍ୟ ଶୁଳ୍କ ପହଞ୍ଚ ମିଳିବ। ଏଥିରେ ଚମଡା, ଜୋତା, ବସ୍ତ୍ର, ମେସିନାରୀ, ପ୍ଲାଷ୍ଟିକ୍, ଧାତୁ, ସାମୁଦ୍ରିକ ଉତ୍ପାଦ ଓ ରତ୍ନ ଆଭୂଷଣ ଭଳି କ୍ଷେତ୍ର ସାମିଲ ଅଛି, ଯାହାକୁ ପୂର୍ବରୁ ୨ରୁ ୧୬% ପର୍ଯ୍ୟନ୍ତ ଆମଦାନୀ ଶୁଳ୍କର ସମ୍ମୁଖୀନ ହେବାକୁ ପଡୁଥିଲା। ସେହିପରି ସରକାରୀ କ୍ରୟ ପ୍ରାବଧାନ ଅନୁସାରେ ଭାରତୀୟ କମ୍ପାନୀଙ୍କୁ ବ୍ରିଟେନର ପାଖାପାଖି ୯୦ ବିଲିୟନ ପାଉଣ୍ଡର ସରକାରୀ କ୍ରୟ ବଜାର ପର୍ଯ୍ୟନ୍ତ ଆଇନଗତ ପହଞ୍ଚ ମିଳିବ। ତେବେ ଏହା ବଦଳେ ବ୍ରିଟେନକୁ ଭାରତ ୧୧୪ ବିଲିୟନ ଡଲାରର ଅବସର ପ୍ରଦାନ କରିଛି।

ମନ୍ତ୍ରାଳୟର ଅତିରିକ୍ତ ସଚିବ ଦର୍ପଣ ଜୈନ କହିଛନ୍ତି ଯେ ଭାରତର ଏମଏସଏମଇ ସ୍ୱାର୍ଥ ଲକ୍ଷା ଲାଗି ଏହି ବୁଝାମଣାରେ ପର୍ଯ୍ୟାପ୍ତ ରକ୍ଷା ଉପାୟ କରାଯାଇଛି ଓ ରାଜ୍ୟସ୍ତରରେ ସରକାରୀ କ୍ରୟ ପ୍ରାବଧାନ ଲାଗୁ ହେବ ନାହିଁ। ଯେଉଁ ପର୍ଯ୍ୟନ୍ତ କାର୍ବନ ସୀମା ଆଡଜଷ୍ଟମେଣ୍ଟ ପ୍ରଣାଳୀ (ସିବିଏଏମ)ର ପ୍ରଶ୍ନ ରହୁଛି ଏହା ଉପରେ ଦୁଇ ଦେଶଙ୍କ ଚର୍ଚ୍ଚା ଜାରି ରହିଛି। ଏଥିରେ ଜଣେ ଅଧିକାରୀ କହିଛନ୍ତି ଯେ ଯଦି ଭବିଷ୍ୟତରେ ବ୍ରିଟେନର କାର୍ବନ କର ଭାରତୀୟ ରପ୍ତାନୀକୁ ପ୍ରଭାବିତ କରେ ତେବେ ଭାରତ ଆବଶ୍ୟକ ଆଡଜଷ୍ଟମେଣ୍ଟ କରିବ।