ନୂଆଦିଲ୍ଲୀ,୮|୦୬:ସୋମବାର ଦିଲ୍ଲୀରେ ଇଣ୍ଡି ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଏଥିରେ ୨୫ଟି ବିରୋଧି ଦଳ ସାମିଲ ହୋଇଥିଲେ । ବିଭିନ୍ନ ବିରୋଧୀ ଦଳର ସୁପ୍ରିମୋ ଏବଂ ଟପ୍ ନେତାଙ୍କ ଉପସ୍ଥିତିରେ ବୈଠକ ଆୟୋଜିତ ହୋଇଥିଲା । ମେଣ୍ଟର ଭବିଷ୍ୟତ ରଣନୀତି ଏବଂ କାର୍ଯ୍ୟପନ୍ଥା ବାବଦରେ ବୈଠକରେ ଆଲୋଚନା ହୋଇଛି । ଏହାସହ ନେତାମାନେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ରଣନୀତି ବାବଦରେ ଆଲୋଚନା କରିଛନ୍ତି ।

ବୈଠକରେ ଏହି ସବୁ ଦଳ

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଦିଲ୍ଲୀର କନଷ୍ଟିଚ୍ୟୁସନ୍ କ୍ଲବରେ ଆୟୋଜିତ ବୈଠକରେ କଂଗ୍ରେସ ସମେତ, ଟିଏମସି, ସମାଜବାଦୀ ପାର୍ଟି, ନ୍ୟାଶନାଲ କନଫରେନ୍ସର ନେତାମାନେ ସାମିଲ ହୋଇଥିଲେ । ମୁଖ୍ୟତଃ ଏସଆଇଆର ଏବଂ ଭୋଟ୍ ଚୋରିକୁ ନେଇ ବିରୋଧୀ ନେତାମାନେ ଆଲୋଚନା କରିଥିଲେ । ଏହାସହ ବର୍ତ୍ତମାନର ଅର୍ଥନୈତିକ ସ୍ଥିତିକୁ ନେଇ ସରକାର ସର୍ବଦଳୀୟ ଡାକନ୍ତୁ ବୋଲି ବିରୋଧୀ ଦଳର ନେତା ମଲିକାର୍ଜ୍ଜୁନ ଖଡଗେ ଦାବି କରିଥିଲେ ।

ଇଣ୍ଡି ମେଣ୍ଟର ୫ ନିଷ୍ପତ୍ତି

ବୈଠକରେ ବିରୋଧି ନେତାମାନେ ପ୍ରଧାନ ବିଚାରପତିଙ୍କ ଉଦ୍ଦେଶ୍ୟରେ ପତ୍ର ଲେଖିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିରେ ଏସଆଇଆରର ସ୍ୱଚ୍ଛତା ସମ୍ବନ୍ଧରେ ସେମାନେ ଉଲ୍ଲେଖ କରିବେ । ଖୁବ୍ ଶୀଘ୍ର ପତ୍ରଙ୍କୁ ପ୍ରଧାନ ବିଚାରପତିଙ୍କୁ ପ୍ରଦାନ କରାଯିବ । ସେହିପରି ନିଟ୍ ଏବଂ ସିବିଏସଇ ପ୍ରସଙ୍ଗକୁ ବିରୋଧୀ ଦଳ ଗୁରୁତର ସହ ନେଇଛନ୍ତି । ଏହାସହ ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ଦୋହରାଇଛନ୍ତି ।

ଏତତ୍ ବ୍ୟତୀତ ଦେଶରେ ବଢୁଥିବା ବେରୋଜଗାର, ଅର୍ଥନୈତିକ ଅଚଳାବସ୍ଥା, ଦରଦାମ୍ ବୃଦ୍ଧି ଏବଂ ଚାଷୀ ପ୍ରସଙ୍ଗ ବିରୋଧରେ ସ୍ୱର ଉତ୍ତୋଳନ ସେମାନେ ଜାରି ରଖିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ସେହିପରି ଇଣ୍ଡି ମେଣ୍ଟର ସମସ୍ତ ଦଳ ପ୍ରତି ଦୁଇ ମାସ ବ୍ୟବଧାନରେ ବୈଠକ କରିବେ । ଆଗାମୀ ବୈଠକ ଅଗଷ୍ଟ ମାସରେ ହାଇଦ୍ରାବାଦରେ ଅନୁଷ୍ଠିତ ହେବ ।

ଆହୁରି ମଧ୍ୟ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, ମୌସୁମୀ ଅଧିବେଶନରେ ସମସ୍ତ ବିରୋଧି ଦଳ ଏକାଠି ହୋଇ ସମନ୍ୱୟ ରକ୍ଷା କରିବେ । ଏଥିପାଇଁ ଖଡଗେଙ୍କ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହେବା ନେଇ ସ୍ଥିର ହୋଇଛି ।

​​​​​​​Also Read :- India ମେଣ୍ଟ ବୈଠକରେ ଯୋଗ ଦେଲେ ୨୫ ବିରୋଧୀ ଦଳ, CJIଙ୍କୁ ପତ୍ର ଲେଖିବାକୁ ନିଆଗଲା ନିଷ୍ପତ୍ତି

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ବିରୋଧୀ ଦଳ କେତେ ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷା କରୁଛନ୍ତି । ଅନେକ ସମୟରେ ଦେଖିବାକୁ ମିଳିଛି ଯେ ନିର୍ବାଚନ ସମୟରେ ପରସ୍ପର ବିରୋଧରେ ଲଢେଇ କରୁଛନ୍ତି । ସିଟ୍ ଭାଗବଣ୍ଟା ଛିଡୁନି । କେହି କାହାକୁ ଆଗକୁ ଯିବାକୁ ବାଟ ଛାଡୁ ନାହାଁନ୍ତି । ଗୋଡଟଣା ରାଜନୀତି ଆରମ୍ଭ ହୋଇଯାଉଛି । ତେଣୁ ବିରୋଧୀ ଦଳଙ୍କ ୫ ନିଷ୍ପତ୍ତି ବାସ୍ତବତାର ରୂପ ନେବା ସହଜ ହେବ ନାହିଁ ।