India US LPG import deal 2027: ଭାରତ ନିଜ ଇନ୍ଧନ ଆବଶ୍ୟକତାକୁ ପୂରା କରିବା ପାଇଁ ଆମଦାନୀ ବିକଳ୍ପକୁ ବଢ଼ାଉଛି। ବିଭିନ୍ନ ଦେଶରୁ ପେଟ୍ରୋଲ, ଡିଜେଲ ଓ ଗ୍ୟାସ କିଣୁଛି। ଏଣୁ ଆମେରିକାରୁ ବି ଏଲପିଜି କିଣିବାକୁ ଯୋଜନା ହୋଇଛି। ୨୦୨୭ରେ ଭାରତ ଆମେରିକା ଠାରୁ ପାଖାପାଖି ୨୭.୫ ଲକ୍ଷ ମେଟ୍ରିକ ଟନ ଏଲପିଜି ଆମଦାନୀ କରିବ।

ଏଥିପାଇଁ ଇଣ୍ଡିଆନ୍ ଅଏଲ୍ (IOC), ଭାରତ ପେଟ୍ରୋଲିୟମ୍ (BPCL) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ (HPCL) ଏକ ମିଳିତ ଟେଣ୍ଡର ଜାରି କରିଥିଲେ। ଏହି ଟେଣ୍ଡରକୁ ୪ଟି ଗ୍ଲୋବାଲ କମ୍ପାନୀକୁ ଦିଆଯାଇଛି। ସେଗୁଡ଼ିକ ହେଲେ ସାଉଦି ଆରମକୋ,ଶେବରନ,ଟୋଟଲଏନର୍ଜୀ ଟ୍ରେଡିଂ ଏସଏ ଓ ବିଟୋଲ। ଇରାନ ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରୁ ତେଲ ସପ୍ଲାଏ କମିଥିବାରୁ ଭାରତ ଏହି ପଦକ୍ଷେପ ନେଇଛି। ଏନେଇ ରୟଟର୍ସରେ ଖବର ପ୍ରକାଶ ପାଇଛି।

ଆମେରିକାରୁ ପ୍ରତି ମାସ ଆସିବ ୫ ବଡ଼ ଜାହାଜ

ଭାରତୀୟ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ସେପ୍ଟେମ୍ବର ମାସରେ ଏହି ଟେଣ୍ଡର ଜାରି କରିଥିଲେ। ଏହି ଟେଣ୍ଡର ଅଧୀନରେ, ପ୍ରତି ମାସରେ ଆମେରିକାରୁ ୪ଟି ଭେରି ଲାର୍ଜ ଗ୍ୟାସ୍ କ୍ୟାରିଅର୍ (ବହୁତ ବଡ଼ ଗ୍ୟାସ ବୋଝେଇ ଜାହାଜ VLGC) କାର୍ଗୋ 'ଡେଲିଭରିଡ୍ ବେସିସ୍' ଏବଂ ଗୋଟିଏ କାର୍ଗୋ 'ଫ୍ରି-ଅନ୍-ବୋର୍ଡ' ବେସିସରେ ଆମଦାନି କରାଯିବ। ଟେଣ୍ଡର ଅନୁସାରେ ୨୦୨୭ରେ ବର୍ଷା ସାରା କମ୍ପାନୀଗୁଡ଼ିକ ଠାରୁ ଏଭଳି ସପ୍ଲାଏ ମିଳିବ।

କେଉଁ କମ୍ପାନୀକୁ କେତେ ତୈଳ ଟେଣ୍ଡର ମିଳିଛି ?

ଟୋଟଲ ଏନର୍ଜୀସ: ପ୍ରତି ମାସରେ ଡେଲିଭର୍ଡ ବେସିସରେ ୨ ଟି କାର୍ଗୋ ମିଳିବ।ସାଉଦି ଆରାମକୋ: ପ୍ରତି ମାସରେ ଡେଲିଭର୍ଡ ବେସିସରେ ଗୋଟିଏ କାର୍ଗୋ ସପ୍ଲାଏ ହେବ।ଶେବରନ: ପ୍ରତି ମାସରେ ଡେଲିଭର୍ଡ ବେସିସରେ ଗୋଟିଏ କାର୍ଗୋ ଭାରତରେ ପହଞ୍ଚିବ।ଭିଟୋଲ୍: 'ଫ୍ରି-ଅନ୍-ବୋର୍ଡ' ଆଧାରରେ ପ୍ରତି ମାସରେ ଗୋଟିଏ କାର୍ଗୋ କିଣାଯିବ।

Also Read- ବରଗଡ଼ ଚାଉଳରୁ ମିଳିଲା କୀଟନାଶକ ଅବଶେଷ: ଗବେଷଣାରୁ ମିଳିଲା ଚିନ୍ତାଜନକ ତଥ୍ୟ

ଗୋଟିଏ ଭିଏଲଜିସି ଜାହାଜରେ ପାଖାପାଖି ୪୬,୦୦୦ ଟନ ଏଲ୍ପିଜି ଗ୍ୟାସ ଆସିଥାଏ। ଏଥିରେ ପ୍ରପେନ ଓ ବ୍ୟୁଟେନ ଆସିଥାଏ। ସାଧାରଣତଃ ଏହି କମ୍ପାନୀଗୁଡ଼ିକ ଅନ୍ତର୍ଜାତୀ ବାଣିଜ୍ୟ ସହ ଜଡ଼ିତ କୌଣସି ଅଫିସିଆଲ ବୟାନ ଦିଅନ୍ତି ନାହିଁ। ଭାରତ ଚଳିତ ବର୍ଷ ପ୍ରଥମ ଥର ପାଇଁ ଆମେରିକା ଠାରୁ ଏଲପିଜି କିଣିବା ଆରମ୍ଭ କରିଛି। ଶେଭ୍ରନ୍, ଫିଲିପ୍ସ ୬୬ ଏବଂ ଟୋଟସାକୁ ବାର୍ଷିକ ଚୁକ୍ତିନାମା ମାଧ୍ୟମରେ ପ୍ରଦାନ କରାଯାଇଛି।

୨୦୨୭ ପର୍ଯ୍ୟନ୍ତ ଆମେରିକାରୁ ଏକ ଚତୁର୍ଥାଂଶ ଏଲପିଜି ଆମଦାନୀ କରିବ ଭାରତ

ଭାରତ ୨୦୨୫ରେ ମୋଟ ୨.୧୮ କୋଟି ଟନ ଅର୍ଥାତ ୨୧.୮୫ ମିଲିଅନ ଟନ ଏଲ୍ପିଜି ଆମଦାନୀ କରିଥିଲା। ଏଥିରେ ପାଖାପାଖି ୯୦ ପ୍ରତିଶତ ଭାଗ ମଧ୍ୟପ୍ରାଚ୍ୟରୁ ଆମଦାନୀ କରାଯାଇଥିଲା। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତ ୨୦୨୭ରେ ଏକ ଚୁତର୍ଥାଂଶ ତୈଳ ଆମଦାନୀ ଆମେରିକାରୁ କରିବ। ତେଣୁ ନୂଆ ଜଏଣ୍ଟ ଟେଣ୍ଡର ଏହି ଷ୍ଟ୍ରାଟେଜୀର ଏକ ଅଂଶ ବୋଲି କୁହାଯାଉଛି।

ଆମେରିକା ଦାବି ପୂରଣ ହେବ, ଭାରତ ଠାରୁ ବାଣିଜ୍ୟିକ କ୍ଷତି କମିବ

ପ୍ରକୃତରେ ଆମେରିକାର ଭାରତ ସହିତ ବାଣିଜ୍ୟିକ ନିଅଣ୍ଟ ରହିଛି। କାରଣ ଆମେରିକା ଭାରତ ଠାରୁ ଅଧିକ ଆମଦାନୀ କରୁଛି କମ ରପ୍ତାନୀ କରୁଛି। ତେଣୁ ବାଣିଜ୍ୟ କ୍ଷତି କମ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସବୁବେଳେ ଦାବି କରି ଆସୁଥିଲେ। ଭାରତ ଆମେରିକା ଠାରୁ ତେଲ କିଣୁ ବୋଲି ସେ କହୁଥିଲେ ଓ ଚାପ ବି ପକାଉଥିଲେ। ଏପଟେ ଭାରତ ଓ ଆମେରିକା ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା ଜାରି ରଖିଛନ୍ତି। ତେଣୁ ଏହି ସମୟରେ ଆମେରିକାରୁ ତୈଳ ଆମଦାନୀ ଏ ଦିଗରେ ସକାରାତ୍ମକ ପ୍ରଭାବ ପକାଇପାରେ।