ନୂଆଦିଲ୍ଲୀ ୧୭। ୧୧; ଖାଦ୍ୟ ଯୋଗାଡ଼ କରିବାକୁ ଏବେ ନିଜ ଶରୀରକୁ ବିକ୍ରି କରୁଛନ୍ତି ଲୋକେ! ଋଣ ବୋଝ ଏତେ ଅସହ୍ୟ ହୋଇପଡିଛି ଯେ, ଶେଷରେ କିଡ୍ନୀ, ବୋନ୍ ମ୍ୟାରୋ ଏବଂ ଆଖିର ସ୍ୱଚ୍ଛପଟଳ ବିକ୍ରି କରିବାକୁ ବାହାରିଛନ୍ତି ଲୋକେ। ଏ କୌଣସି କାଳ୍ପନିକ କାହାଣୀ ନୁହେଁ, ବରଂ ଇରାନରୁ ସାମ୍ନାକୁ ଆସିଥିବା ଏକ ଚିନ୍ତାଜନକ ଚିତ୍ର। ଯୁଦ୍ଧର ଯୋଗୁଁ ଅର୍ଥନୈତିକ ସଂକଟ ଏବଂ ଦରଦାମ୍ ବୃଦ୍ଧି ଭିତରେ ଏବେ ନିଜ ଶରୀରର ଅଙ୍ଗ ବିକ୍ରି କରି ବଞ୍ଚିବାକୁ ବାଧ୍ୟ ହେଉଛନ୍ତି କିଛି ଇରାନୀ ନାଗରିକ।

ମଧ୍ୟପ୍ରାଚ୍ୟରେ ଲମ୍ବା ସମୟ ଧରି ଚାଲିଥିବା ଯୁଦ୍ଧ ଯୋଗୁ ଭୟଙ୍କର ଅର୍ଥନୈତିକ ଚାପ ମଧ୍ୟରେ ଗତି କରୁଛି ଇରାନ । ଏହି ସଂକଟ ବେଳେ ଋଣ ବୋଝରେ ବୁଡ଼ିଛନ୍ତି ଲୋକେ। ବୋଝକୁ ସହଜ କରିବା ପାଇଁ ତଥା ମୌଳିକ ଆବଶ୍ୟକତା ପୂରଣ ଲାଗି ସେମାନେ କିଡ୍ନୀ, ବୋନ୍ ମ୍ୟାରୋ ଏବଂ ସ୍ବଚ୍ଛପଟଳ ଭଳି ଶରୀର ଅଙ୍ଗ ବିକ୍ରି କରୁଛନ୍ତି । ଏକ ଯାଞ୍ଚରୁ ଏଭଳି ଏକ ଅନ୍ଲାଇନ୍ ବଜାରର ସୂଚନା ମିଳିଛି, ଯେଉଁ ବଜାରରେ ଆର୍ଥିକ ଚାପରେ ଥିବା ଇରାନ ଲୋକମାନେ ବିକ୍ରି ନିମନ୍ତେ ସେମାନଙ୍କ ଶରୀର ଅଙ୍ଗର ବିଜ୍ଞାପନ କରୁଛନ୍ତି। ପରିବାରର ଭବିଷ୍ୟତ ସୁରକ୍ଷା ଲାଗି କିଛି ଲୋକ ସେମାନଙ୍କ ଶରୀରର ଅତି ଗୁରୁତ୍ଵପୂର୍ଣ ଅଙ୍ଗକୁ ବିକ୍ରି କରି ବା ପାଇଁ ବି ପଛଘୂଞ୍ଚା ଦେଉନାହାନ୍ତି ।

ଇରାନ ନାଗରିକମାନଙ୍କ ଉପରେ ଅର୍ଥନୈତିକ ଅନିଶ୍ଚିତତାର ପ୍ରଭାବ କେତେଦିନ ରହିବ, ତାହାକୁ ନେଇ ପ୍ରଶ୍ନବାଚୀ ରହିଛି। ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଚେତାବନୀ ଦେଇଛନ୍ତି ଯେ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଇରାନ ଉପରେ ଚାପ ଜାରି ରହିବ। ଏହା ହେଲେ ଆଗକୁ ଇରାନ ଅର୍ଥନୀତି ଆହୁରି ଖସିବା ନେଇ ଆଶଙ୍କା କରାଯାଉଛି। ମେ’ରୁ ଅକ୍ଟୋବର ମଧ୍ୟରେ ଏକ ଟେଲିଗ୍ରାମ ଚ୍ୟାନେଲରେ ଦିଆଯାଇଥିବା ୬୦୦ରୁ ଉର୍ଦ୍ଧ୍ବ ବିଜ୍ଞାପନକୁ ସମୀକ୍ଷା କରିଥିଲା। ପ୍ରତି ୩ରୁ ଗୋଟିଏ ବିଜ୍ଞାପନରେ ଏକରୁ ଅଧିକ ଶରୀର ଅଂଶ ଏବଂ ଶରୀର ଟିସୁକୁ ଅଫର କରାଯାଇଥିବା ଜଣାପଡ଼ିଛି।