ଭୁବନେଶ୍ୱର: ଓଡ଼ିଶାର ଭାତ ହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରୁ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଏଠାରୁ ସଂଗ୍ରହ କରାଯାଉଥିବା ଚାଉଳ ନମୁନାରେ କ୍ଷତିକାରକ କୀଟନାଶକର ଅବଶେଷ ମିଳିଛି। ଚାଷ ସମୟରେ ଅତ୍ୟଧିକ କୀଟନାଶକ ବ୍ୟବହାର କରାଯାଉଥିବା ଯୋଗୁ ଏଭଳି ସ୍ଥିତି ଉପୁଜିଛି ବୋଲି ପ୍ରମେୟ ଟାଇମ୍ସ ରିପୋର୍ଟ ପ୍ରକାଶ କରିଛି। ଦୀର୍ଘଦିନ ଧରି ଏପରି ରାସାୟନିକ ପଦାର୍ଥ ମିଶିଥିବା ଖାଦ୍ୟ ଗ୍ରହଣ କଲେ ସ୍ୱାସ୍ଥ୍ୟ ଉପରେ ଏହାର ଯେ କି ପ୍ରଭାବ ପଡ଼ିବ ସେ ନେଇ ଗବେଷକମାନେ ଚିନ୍ତା ପ୍ରକଟ କରିଛନ୍ତି।

ସମ୍ବଲପୁର ବିଶ୍ୱବିଦ୍ୟାଳୟର ପରିବେଶ ବିଜ୍ଞାନ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଚାଉଳ ନମୁନା ସଂଗ୍ରହଣ କରି ଏକ ପରୀକ୍ଷା କରାଯାଇଥିଲା। ଏଥିରେ ଚାଉଳ ନମୁନାରୁ ଡିଡିଟି ଓ ଲିଣ୍ଡେନ୍ ନାମକ କୀଟନାଶକର ଅବଶେଷ ମିଳିଥିଲା ବୋଲି ବିଭାଗୀୟ ପ୍ରଫେସର ମହାନ୍ତି ସୂଚନା ଦେଇଛନ୍ତି। ଏହି ଘଟଣାରେ ପରେ ଜିଲ୍ଲାରେ ଖାଦ୍ୟ ସୁରକ୍ଷା ନେଇ ଚିନ୍ତା ବଢ଼ି ଯାଇଛି। ଓଡ଼ିଶାରେ ବରଗଡ଼ ଜିଲ୍ଲାରେ କର୍କଟ ରୋଗ ମାମଲା ଓ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ଚିନ୍ତା ମଧ୍ୟରେ ଚାଉଳରୁ କୀଟନାଶକ ଅବେଶଷ ମିଳିବା ଚିନ୍ତା ଆହୁରି ବଢ଼ାଇ ଦେଇଛି।

ବରଗଡ଼ ଜିଲ୍ଲାରେ ଅତ୍ୟଧିକ କୀଟନାଶକର ବ୍ୟବହାର

ଓଡ଼ିଶା ଇକୋନୋମିକ ସର୍ଭେ ୨୦୨୫-୨୬ ଅନୁସାରେ, ବରଗଡ଼ ଜିଲ୍ଲାରେ ୨୦୨୪-୨୫ ଆର୍ଥିକ ବର୍ଷରେ ୧୮୭.୫୨ ମେଟ୍ରିକ୍ ଟନ୍ କୀଟନାଶକର ସକ୍ରିୟ ଉପାଦାନ ବ୍ୟବହାର କରାଯାଇଥିଲା। ହେକ୍ଟର ପିଛା ଏହାର ପରିମାଣ ପ୍ରାୟ ୦.୫୪ କିଲୋଗ୍ରାମ ଥିଲା। କୃଷି ବିଭାଗର ତଥ୍ୟ ଅନୁସାରେ, ଜିଲ୍ଲାରେ ମୋଟ ୮୨୨ଟି କୀଟନାଶକ ବିକ୍ରୟ କେନ୍ଦ୍ର ରହିଛି। ସେଥିମଧ୍ୟରୁ ୭୯୫ଟି ଘରୋଇ ଓ ୨୭ଟି ସମବାୟ ସଂସ୍ଥାର ଦୋକାନ ରହିଛି। ଜିଲ୍ଲାରେ ହୀରାକୁଦ ଜଳ ଯୋଗାଣ ବ୍ୟବସ୍ଥା ଯୋଗୁ ଅତ୍ୟଧିକ ଧାନ ଚାଷ ସମେତ ବିପୁଳ ପରିମାଣରେ ଫସଲ ଉତ୍ପାଦନ ହେଉଛି। ତେଣୁ ଏଠାରେ ଅତ୍ୟଧିକ ପରିମାଣରେ କୀଟନାଶକ ବ୍ୟବହାର କରାଯାଉଥିବା ଗବେଷକଙ୍କୁ ଚିନ୍ତାରେ ପକାଇଛି।

Also Read- ପୁଣି ବଢ଼ିବ ତେଲ, ଲୁଣ ଠାରୁ ଆରମ୍ଭ କରି ମୋବାଇଲ ଓ ଟିଭିର ଦାମ: କମିବ ବିସ୍କୁଟ ପ୍ୟାକେଟ୍ ସାଇଜ୍

ବରଗଡ଼ ଜିଲ୍ଲାର ଭେଡେନ, ବରପାଲି, ବରଗଡ଼, ଅତାବିରା, ବିଜେପୁର, ଭଟଲି ଏବଂ ଶୋହେଲା ବ୍ଲକରୁ ଏହି ଚାଳଉ ନମୁନା ସଂଗ୍ରହ କରାଯାଇଥିଲା। ଏହାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଲାବୋରଟୋରିରେ ପରୀକ୍ଷା କରାଯାଇଥିଲା। ଅଧ୍ୟୟନରେ ଡିଡିଟି ସଂପର୍କିତ କ୍ୟାନ୍ସର ରିସ୍କ ଭାଗ ୦.୫ରୁ ୩.୨ ମଧ୍ୟରେ ରହିଥିବା ଦର୍ଶାଯାଇଛି। କେତେକ ନମୁନାରେ ଏହି ମାନ ୧ରୁ ଅଧିକ ଥିବାରୁ ଦୀର୍ଘଦିନ ଧରି ପ୍ରଦୂଷିତ ଖାଦ୍ୟ ଖାଇବାକୁ ନେଇ ଚିନ୍ତା ବଢ଼ିଛି।

ଗବେଷଣାର ନେତୃତ୍ୱ ନେଇଥିବା ପ୍ରଫେସର ମଳୟ ରଞ୍ଜନ ମହାନନ୍ଦା ଦୀର୍ଘ ସମୟ ଧରି ଦୂଷିତ ଖାଦ୍ୟଶସ୍ୟ ଖାଇବା ଯୋଗୁ ସମ୍ଭାବ୍ୟ ସ୍ୱାସ୍ଥ୍ୟଗତ ପରିଣାମ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ସେପଟେ ଓଡ଼ିଶାରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ପାଲଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ କହୁଛି ରାଜ୍ୟରେ ଆନୁମାନିକ କର୍କଟ ରୋଗୀଙ୍କ ସଂଖ୍ୟା ୨୦୧୩ରେ ୪୩,୨୧୦ ଥିବାବେଳେ ୨୦୨୨ରେ ଏହା ୫୨,୯୬୦କୁ ବୃଦ୍ଧି ପାଇଥିଲା। ସେହିପରି କର୍କଟଜନିତ ମୃତ୍ୟୁ ସଂଖ୍ୟା ୨୩,୮୮୬ରୁ ବୃଦ୍ଧି ପାଇ ୨୯,୨୮୭ ହୋଇଥିଲା।

ତେବେ ICMRର ଜାତୀୟ କର୍କଟ ରେଜିଷ୍ଟ୍ରି କାର୍ଯ୍ୟକ୍ରମରେ ୨୦୨୫ ସୁଦ୍ଧା ରାଜ୍ୟରେ ୫୫ ହଜାରରୁ ଅଧିକ ନୂଆ କର୍କଟ ରୋଗୀ ଚିହ୍ନଟ ହୋଇପାରନ୍ତି ବୋଲି ଆକଳନ କରାଯାଇଥିଲା। ସେହିପିର ଆଞ୍ଚଳିକ ଡାଟା ଅନୁସାରେ ପଶ୍ଚିମ ଓଡ଼ିଶାର ବରଗଡ଼, ସମ୍ବଲପୁର ଓ ବଲାଙ୍ଗୀର ଆଦି ଜିଲ୍ଲାରେ ୨୦୨୧ରୁ ୨୦୨୩ ମଧ୍ୟରେ ପ୍ରାୟ ୨୨ ହଜାର ନୂଆ କର୍କଟ ରୋଗୀ ଚିହ୍ନଟ ହୋଇଛନ୍ତି। ବୁର୍ଲାସ୍ଥିତ ଭିମସାରରେ ୨୦୨୧ରୁ ୨୦୨୪ ମଧ୍ୟରେ ପ୍ରାୟ ୧୦ ହଜାର କର୍କଟ ରୋଗୀ ଚିକିତ୍ସିତ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏଥିରେ ବରଗଡ଼ ଜିଲ୍ଲାର ରୋଗୀଙ୍କ ସଂଖ୍ୟା ଅଧିକ ରହିଥିବା କୁହାଯାଇଛି।

ଅତ୍ୟଧିକ କୀଟନାଶକ ବ୍ୟବହାର ସହ କ୍ୟାନସର ଲିଙ୍କ୍

ତେବେ ଚାଉଳରେ କୀଟନାଶକ ଅବଶେଷ ମିଳିବା ଓ ରାଜ୍ୟରେ ବଢ଼ୁଥିବା କର୍କଟ ରୋଗ ମଧ୍ୟରେ ସିଧାସଳଖ କୌଣସି ସମ୍ପର୍କ ଥିବା ଏଯାଏ ବୈଜ୍ଞାନିକ ପ୍ରମାଣ ମିଳିନାହିଁ। ଏ ଦିଗରେ ଅଧିକ ଗବେଷଣା ଓ ଯାଞ୍ଚ ଆବଶ୍ୟକ ବୋଲି ଗବେଷକମାନେ ସତର୍କ କରାଇଛନ୍ତି। ଏହାସହ ରକ୍ତ ନମୁନା ପରୀକ୍ଷା ସମେତ ଅନ୍ୟାନ୍ୟ ଅଧ୍ୟୟନ ଜାରି ରହିଥିବା ଖବର ମିଳିଛି।

ତେବେ ପଶ୍ଚିମ ଓଡ଼ିଶାରେ ନକଲି ଓ ନିମ୍ନମାନର କୀଟନାଶକ ବିକ୍ରି ଅଭିଯୋଗ ମଧ୍ୟ ଏହି ପ୍ରସଙ୍ଗକୁ ଆହୁରି ଗମ୍ଭୀର କରିଛି ବୋଲି ଗବେଷଣାରେ କୁହାଯାଇଛି। କ୍ୟାନ୍ସର ସର୍ଭାଇଭର ଫାଇଟର୍ସ ଗ୍ରୁପ୍ର ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦର୍ଜୀ କହିଛନ୍ତି ଯେ, କର୍କଟ ରୋଗର ଏକମାତ୍ର କାରଣ କୀଟନାଶକ ନ ହୋଇପାରେ, କିନ୍ତୁ ଏହାର ସମ୍ଭାବ୍ୟ ବିପଦକୁ ଅଣଦେଖା କରିବା ଠିକ୍ ନୁହେଁ।

ଏହି ଘଟଣାର ବ୍ୟାପକ ତଦନ୍ତ, ନିୟମର କଡ଼ାକଡ଼ି ଅନୁପାଳନ ଏବଂ ଅବୈଧ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଆବଶ୍ୟକ ସ୍ଥଳେ ଲାଇସେନ୍ସ ସ୍ଥାୟୀ ଭାବେ ବାତିଲ କରିବାକୁ ସେ ଦାବି କରିଛନ୍ତି। ଏଥିସହ ନିୟମିତ କୀଟନାଶକ ଯାଞ୍ଚ, ଖାଦ୍ୟଶସ୍ୟର ମାନ ପରୀକ୍ଷା କରିବା, ଚାଷୀ ସଚେତନତା ଓ ଜୈବିକ ଚାଷ ସହ ସମନ୍ୱିତ କୀଟ ପରିଚାଳନା ପଦ୍ଧତିର ପ୍ରସାର ଉପରେ ଗୁରୁତ୍ୱ ଦେଇଛନ୍ତି ଶ୍ରୀ ଦର୍ଜୀ।